Latest Odisha News

BREAKING NEWS

କଲ୍ ଡ୍ରପ୍ ଓ ନେଟୱର୍କ ସମସ୍ୟାର ସିଧାସଳଖ ରିପୋର୍ଟ କରିପାରିବେ ଗ୍ରାହକ: ଟ୍ରାଇ ଲଞ୍ଚ୍ କଲା ‘TRAI MyCall’ ଆପ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋବାଇଲ୍ ଫୋନରେ କଥା ହେବା ବେଳେ ବାରମ୍ବାର କଲ୍ କଟିଯାଉଛି କିମ୍ବା ନେଟୱର୍କ ସମସ୍ୟା ଦେଖାଦେଉଛି କି? ତେବେ ଏବେ ଗ୍ରାହକମାନେ ନିଜର ଏହି ସମସ୍ୟା ସିଧାସଳଖ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଓ ନିଜ ଟେଲିକମ୍ କମ୍ପାନୀଙ୍କୁ ଜଣାଇପାରିବେ। ଏଥିପାଇଁ ଟ୍ରାଇ ପକ୍ଷରୁ ‘TRAI MyCall’ (ଟ୍ରାଇ ମାଇଁ କଲ୍) ଆପ୍‌ର ଏକ ନୂ ତଥା ଉନ୍ନତ ସଂସ୍କରଣ ଲଞ୍ଚ୍ କରାଯାଇଛି। ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଗ୍ରାହକମାନେ ନିଜର ଭଏସ୍ କଲିଂ ଅଭିଜ୍ଞତା ବା ନେଟୱର୍କ ଗୁଣବତ୍ତା ସମ୍ପର୍କରେ ରିଅଲ୍-ଟାଇମ୍ ଫିଡବ୍ୟାକ୍ ବା ମତାମତ ଦେଇପାରିବେ।

ବର୍ତ୍ତମାନ ଦେଶରେ ଏକ ବିଲିୟନରୁ ଅଧିକ ଟେଲିକମ୍ ଉପଭୋକ୍ତା ଅଛନ୍ତି। ନେଟୱର୍କ କିପରି ରହିଛି, ତାହା ଭଏସ୍ କଲିଂ ମାଧ୍ୟମରେ ହିଁ ପ୍ରଥମେ ଜଣାପଡ଼ିଥାଏ। ତେଣୁ କେବଳ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନେଟୱର୍କ କ୍ୱାଲିଟି ଯାଞ୍ଚ କରିବା ପରିବର୍ତ୍ତେ, ଗ୍ରାହକଙ୍କ ପ୍ରକୃତ ଅଭିଜ୍ଞତା ଉପରେ ଏବେ ଟ୍ରାଇ ଅଧିକ ଗୁରୁତ୍ୱ ଦେଇଛି।

ଏହି ଆପ୍ ମାଧ୍ୟମରେ ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ଫିଡବ୍ୟାକ୍‌କୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ (ଟିଏସପି) ଏବଂ ଟ୍ରାଇ ନିକଟକୁ ପଠାଯିବ। ଫଳରେ କେଉଁ ଅଞ୍ଚଳରେ ନେଟୱର୍କ ସମସ୍ୟା ରହିଛି, ତାହା ଚିହ୍ନଟ କରି ସମ୍ପୃକ୍ତ କମ୍ପାନୀଗୁଡ଼ିକ ତୁରନ୍ତ ପଦକ୍ଷେପ ନେଇପାରିବେ। ଏହାଦ୍ୱାରା ସାମଗ୍ରିକ ଟେଲିକମ୍ ସେବାର ମାନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ନୂଆ ଆପ୍‌ରେ ରହିଛି ଏହିସବୁ ଖାସ୍ ଫିଚର୍ସ:

  • ଷ୍ଟାର୍ ରେଟିଂ: ୧ ରୁ ୫ ଷ୍ଟାର୍ ରେଟିଂ ବ୍ୟବସ୍ଥା ଜରିଆରେ ଗ୍ରାହକମାନେ କଲ୍‌ର ମାନ ଉପରେ ତୁରନ୍ତ ନିଜର ମତାମତ ଦେଇପାରିବେ।
  • ସମସ୍ୟାର ସିଧାସଳଖ ରିପୋର୍ଟ: କଲ୍ ଡ୍ରପ୍, କଥା ହେବା ବେଳେ ଇକୋ ହେବା (ଶବ୍ଦ ପ୍ରତିଧ୍ୱନିତ ହେବା), ସ୍ୱର ବିଳମ୍ବରେ ଶୁଭିବା, କ୍ରସ୍ କନେକ୍ସନ୍, ସ୍ୱର କଟିଯିବା ବା ଅନ୍ୟ ପଟେ ଥିବା ବ୍ୟକ୍ତିଙ୍କୁ କିଛି ଶୁଭି ନଥାଇ କଲ୍ ଲାଗିବାକୁ ଅଧିକ ସମୟ ନେବା ଭଳି ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକୁ ରିପୋର୍ଟ କରିହେବ।
  • ଅଟୋମେଟିକ୍ ପ୍ରମ୍ପ୍ଟ: କଲ୍ ଶେଷ ହେବା ମାତ୍ରେ ସ୍ୱୟଂଚାଳିତ ଭାବେ ଫିଡବ୍ୟାକ୍ ଦେବା ପାଇଁ ସ୍କ୍ରିନ୍‌ରେ ଅପ୍ସନ୍ ଆସିବ।
  • ଇଣ୍ଟରାକ୍ଟିଭ୍ ମ୍ୟାପ୍: ଆପ୍‌ରେ ଥିବା ଏକ ଇଣ୍ଟରାକ୍ଟିଭ୍ ମ୍ୟାପ୍‌ରେ ୟୁଜର ନିଜର ରେଟିଂ ଏବଂ ଫିଡବ୍ୟାକ୍ ହିଷ୍ଟ୍ରି ଦେଖିବାକୁ ପାଇବେ।
  • କଭରେଜ୍ ଟେଷ୍ଟ: ନିଜ ଅଞ୍ଚଳରେ ମୋବାଇଲ୍ ସିଗନାଲ୍ ଷ୍ଟ୍ରେନ୍ଥ କେତେ ରହିଛି, ତାହା ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର କଭରେଜ୍ ଟେଷ୍ଟ ଫିଚର ଉପଲବ୍ଧ କରାଯାଇଛି।

ଆପ୍‌ର ଶୁଭାରମ୍ଭ କରି ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲାହୋଟି କହିଛନ୍ତି ଯେ, “ପ୍ରତ୍ୟେକ ଟେଲିକମ୍ ଗ୍ରାହକ ନେଟୱର୍କ କ୍ୱାଲିଟିର ସିଧାସଳଖ ଅନୁଭବ କରିଥାନ୍ତି। ଏହି ନୂ ‘ଟ୍ରାଇ ମାଇଁ କଲ୍’ ଆପ୍ ଜରିଆରେ ଗ୍ରାହକମାନେ ସେମାନଙ୍କ କଲ୍ ଅଭିଜ୍ଞତା ଉପରେ ତୁରନ୍ତ ମତାମତ ଦେଇପାରିବେ। ଏହି ମତାମତଗୁଡ଼ିକ ଟେଲିକମ୍ କମ୍ପାନୀଗୁଡ଼ିକୁ ନିଜର ନେଟୱର୍କ ତ୍ରୁଟି ସୁଧାରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଗ୍ରାହକଙ୍କ ସନ୍ତୋଷ ବୃଦ୍ଧି ପାଇବା ସହ ଏକ ଉନ୍ନତ ମୋବାଇଲ୍ ଯୋଗାଯୋଗ ବ୍ୟବସ୍ଥା ଗଠନ ହୋଇପାରିବ।” ଏହା ସହିତ ସମସ୍ତ ମୋବାଇଲ୍ ବ୍ୟବହାରକାରୀ ଏହି ଆପ୍ ଡାଉନଲୋଡ୍ କରି ନିୟମିତ ନିଜର ଫିଡବ୍ୟାକ୍ ଦେବାକୁ ସେ ନିବେଦନ କରିଛନ୍ତି।

ବର୍ତ୍ତମାନ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ଗୁଗଲ୍ ପ୍ଲେ ଷ୍ଟୋର୍‌ରୁ (Google Play Store) ଏହି ନୂ ‘TRAI MyCall’ ଆପ୍‌କୁ ସମ୍ପୂର୍ଣ୍ଣ ମାଗଣାରେ ଡାଉନଲୋଡ୍ କରିପାରିବେ।

Leave A Reply

Your email address will not be published.