Latest Odisha News

BREAKING NEWS

ହଠାତ୍ ବନ୍ଦ ହୋଇଗଲା କି ଆପଣଙ୍କ WhatsApp? ଆପଣ ବି କରୁନାହାନ୍ତି ତ ଏହି ଭୁଲ?

ନୂଆଦିଲ୍ଲୀ: ଭାରତର ଅନେକ WhatsApp ବ୍ୟବହାରକାରୀଙ୍କ ଆକାଉଣ୍ଟ ହଠାତ୍ ବନ୍ଦ ହୋଇଯାଇଛି। କୌଣସି ପୂର୍ବ ସୂଚନା ନ ଦେଇ Meta ଅନେକ ୟୁଜରଙ୍କ ଆକାଉଣ୍ଟ ବ୍ୟବହାର ଉପରେ ଅସ୍ଥାୟୀ କଟକଣା ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ଅନେକ ୟୁଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ସ୍କ୍ରିନ୍‌ସଟ୍‌ ମଧ୍ୟ ସେୟାର କରିଛନ୍ତି। ସେଥିରେ “ଆପଣଙ୍କ ଆକାଉଣ୍ଟର ସମୀକ୍ଷା ଚାଲିଛି(Your account is being reviewed)” ବୋଲି ବାର୍ତ୍ତା ଦେଖାଯାଉଛି ଏବଂ ୨୪ ଘଣ୍ଟା ପାଇଁ ଆକାଉଣ୍ଟ ବ୍ୟବହାର ବନ୍ଦ ରଖାଯାଇଛି।

Meta କହିଛି, ଏହା କୌଣସି ଅସାଧାରଣ ଘଟଣା ନୁହେଁ, ବରଂ ଏକ ନିୟମିତ ସୁରକ୍ଷା ପ୍ରକ୍ରିୟା। ପ୍ଲାଟଫର୍ମର ଦୁରୁପଯୋଗ କରୁଥିବା ବ୍ୟବହାରକାରୀଙ୍କ ବିରୋଧରେ କମ୍ପାନୀ ନିୟମିତ ଭାବେ ପଦକ୍ଷେପ ନେଇଥାଏ। ଏହାଦ୍ୱାରା ଅନ୍ୟ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଏ। ବିଶେଷକରି ଯେଉଁ ଆକାଉଣ୍ଟ ବିରୋଧରେ ବାରମ୍ବାର ଅଭିଯୋଗ ଆସେ, ସେଗୁଡ଼ିକୁ ସମୀକ୍ଷା ପାଇଁ ଅସ୍ଥାୟୀ ଭାବେ ବନ୍ଦ କରାଯାଏ।

ରିପୋର୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୮ଟା ପରେ ଭାରତର ଅନେକ ୟୁଜରଙ୍କ ଆକାଉଣ୍ଟ ହଠାତ୍ ବନ୍ଦ ହୋଇଥିଲା। WhatsApp ଖୋଲିବା ମାତ୍ରେ ଆକାଉଣ୍ଟର କାର୍ଯ୍ୟକଳାପ ଓ ଡିଭାଇସ୍‌ ସମ୍ବନ୍ଧୀୟ ସୂଚନା ଯାଞ୍ଚ କରାଯାଉଥିବା ବାର୍ତ୍ତା ଦେଖାଯାଉଛି। କମ୍ପାନୀ କହିଛି, ଆକାଉଣ୍ଟ WhatsAppର ନିୟମ ପାଳନ କରୁଛି କି ନାହିଁ, ତାହା ଯାଞ୍ଚ କରାଯାଉଛି ଏବଂ ୨୪ ଘଣ୍ଟା ମଧ୍ୟରେ ଫଳାଫଳ ଜଣାଇ ଦିଆଯିବ।

ତେବେ କେଉଁ କାରଣରୁ ଆକାଉଣ୍ଟ ବନ୍ଦ ହୋଇପାରେ? ସେନେଇ Meta କହିଛି, ସନ୍ଦେହଜନକ କାର୍ଯ୍ୟକଳାପ, ବାରମ୍ବାର ସ୍ପାମ୍ ବାର୍ତ୍ତା ପଠାଇବା, ଭୁଲ କିମ୍ବା ଗୁଜବ ସୂଚନା ପ୍ରସାର କରିବା, କିମ୍ବା ଏକାସାଙ୍ଗରେ ଅନେକ ବ୍ୟବହାରକାରୀ ଅଭିଯୋଗ କଲେ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ସମୀକ୍ଷାରେ କୌଣସି ନିୟମ ଉଲ୍ଲଂଘନ ନ ମିଳିଲେ ଆକାଉଣ୍ଟ ପୁଣିଥରେ ସକ୍ରିୟ କରାଯାଏ। Meta ଏହା ମଧ୍ୟ ସ୍ୱୀକାର କରିଛି ଯେ କେତେକ କ୍ଷେତ୍ରରେ ଭୁଲବଶତଃ ମଧ୍ୟ ଆକାଉଣ୍ଟ ବନ୍ଦ ହୋଇଯାଇପାରେ ଏବଂ ସେଗୁଡ଼ିକୁ ଶୀଘ୍ର ପୁନଃସ୍ଥାପନ କରାଯାଏ।

କେବଳ ଭାରତ ନୁହେଁ, ବିଶ୍ୱର ଅନ୍ୟ କିଛି ଦେଶର ବ୍ୟବହାରକାରୀ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

ଏପଟେ WhatsAppର ନୂଆ ୟୁଜରନେମ୍ ବୈଶିଷ୍ଟ୍ୟକୁ ନେଇ ଭାରତ ସରକାର ଆପତ୍ତି ଉଠାଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ Meta ଭାରତରେ ଏହି ସୁବିଧାକୁ ବର୍ତ୍ତମାନ ବନ୍ଦ ରଖିଛି। ପୂର୍ବରୁ ସରକାର ଏନେଇ Metaଠାରୁ ସ୍ପଷ୍ଟୀକରଣ ମାଗିଥିଲେ ଏବଂ ପରେ କମ୍ପାନୀ ନିଜ ପକ୍ଷ ରଖିଥିଲା।

Leave A Reply

Your email address will not be published.