Latest Odisha News

BREAKING NEWS

Starship Floating: ଭାରତ ମହାସାଗରରେ ଭାସୁଥିବା ଷ୍ଟାରସିପ୍! ସାଟେଲାଇଟ୍‌ରେ କଏଦ ହେଲା ସ୍ପେସ୍ ଏକ୍ସର ଐତିହାସିକ ଉଦ୍ଧାର ଅଭିଯାନ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ SpaceX ପୁଣିଥରେ ମହାକାଶ ଜଗତରେ ନୂଆ ଇତିହାସ ରଚିଛି। ଭାରତ ମହାସାଗର ମଝିରେ ଭାସୁଥିବା ଷ୍ଟାରସିପ୍ ପ୍ରୋଟୋଟାଇପ୍ ସିପ୍ ୪୦କୁ ଉଦ୍ଧାର କରାଯାଉଥିବା ବେଳର ଦୃଶ୍ୟ ସାଟେଲାଇଟ୍ ଛବିରେ କଏଦ ହୋଇଛି। ଏହି ଛବିଗୁଡ଼ିକୁ କଲୋରାଡୋ ଭିତ୍ତିକ ଜିଓ ସ୍ପେସିଆଲ୍ ଇଣ୍ଟେଲିଜେନ୍ସ କମ୍ପାନୀ ଭେଣ୍ଟର(Vantor) ଅଗଷ୍ଟ ୨ ଓ ୩ ତାରିଖରେ କଏଦ୍ କରିଛି।

ସିପ୍ ୪୦, ଜୁଲାଇ ୨୪ରେ SpaceXର ୧୩ତମ ସମ୍ପୂର୍ଣ୍ଣ ସଂଯୁକ୍ତ ଷ୍ଟାରସିପ୍ ପରୀକ୍ଷା ଉଡ଼ାଣରେ ସାମିଲ ହୋଇଥିଲା। ମିଶନ ଶେଷରେ ଏହା ସମୁଦ୍ରରେ ଅତ୍ୟନ୍ତ ମୃଦୁ ଅବତରଣ (Soft Splashdown) କରିଥିଲା। ପୂର୍ବରୁ ଅନ୍ୟ ପ୍ରୋଟୋଟାଇପ୍‌ଗୁଡ଼ିକ ସମୁଦ୍ରରେ ପଡ଼ିବା ପରେ ବୁଡ଼ିଯାଉଥିଲେ, କିନ୍ତୁ ସିପ୍ ୪୦ ବୁଡ଼ି ନଯାଇ ପାଣି ଉପରେ ଭାସୁଥିବାରୁ ଏହାକୁ ଉଦ୍ଧାର କରିବା ସମ୍ଭବ ହୋଇଛି। ଆରମ୍ଭରେ ଏହାକୁ ଫେରାଇ ଆଣିବାର କୌଣସି ଯୋଜନା ନଥିଲା।

ସାଟେଲାଇଟ୍ ଛବିରେ ଏକାଧିକ ଉଦ୍ଧାରକାରୀ ଜାହାଜ ମହାକାଶଯାନକୁ ଦଉଡ଼ିରେ ବାନ୍ଧି ଟାଣି ନେଉଥିବା ଦେଖାଯାଇଛି। ନରୱେର ଟଗ୍‌ବୋଟ୍ ନରମାନ୍ଦ ରେଞ୍ଜର ଓ ସ୍କିମର ଟାଇଡ୍, SpaceXର ସହାୟକ ଜାହାଜ ଗୋ ଅଷ୍ଟ୍ରାଲିସ୍ ସହ ସିପ୍ ୪୦କୁ ଉଦ୍ଧାର କରୁଥିବା ଦେଖାଯାଇଛି। Starshipର ନାକ ଅଂଶରେ ଟୋ ଲାଇନ୍ ବନ୍ଧାଯାଇ ଟଣାଯାଇଥିବା ଦୃଶ୍ୟ ମଧ୍ୟ ଛବିରେ ସ୍ପଷ୍ଟ ଦେଖାଯାଉଛି । ଜାହାଜଗୁଡ଼ିକ ପ୍ରାୟ ୧ ନଟ୍ ବେଗରେ ଚାଲୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପରେ ଗୋ ଅଷ୍ଟ୍ରାଲିସ୍ ଘଟଣାସ୍ଥଳ ଛାଡ଼ି ଅଷ୍ଟ୍ରେଲିଆ ଅଭିମୁଖେ ଫେରିଯାଇଛି।

ଜୁଲାଇ ୨୮ରେ SpaceX ସିଇଓ ଏଲନ୍ ମସ୍କ ନିଶ୍ଚିତ କରିଥିଲେ ଯେ କମ୍ପାନୀ ସିପ୍ ୪୦କୁ ଉଦ୍ଧାର କରିବାର ଚେଷ୍ଟା କରିବ। ଏହି ଉଦ୍ଧାର ସଫଳ ହେଲେ ପୃଥିବୀର ବାୟୁମଣ୍ଡଳକୁ ପୁନଃପ୍ରବେଶ ସମୟରେ ପ୍ରତିଘଣ୍ଟା ୨୮ ହଜାର କିଲୋମିଟରରୁ ଅଧିକ ବେଗ ସହିଥିବା ଷ୍ଟାର ସିପର ହିଟ୍ ଶିଲ୍ଡ, ସେରାମିକ୍ ଟାଇଲ୍ ଓ ଗଠନାତ୍ମକ ଅବସ୍ଥାକୁ ବୈଜ୍ଞାନିକମାନେ ଖୁବ ନିକଟରୁ ପରୀକ୍ଷା କରିପାରିବେ।

SpaceX ପାଇଁ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳ ମିଶନ ପାଇଁ ଦ୍ରୁତ ଗତିରେ ପୁନଃବ୍ୟବହାରଯୋଗ୍ୟ ଷ୍ଟାରସିପ୍ ତିଆରି କରିବା ସହ ମହାକାଶ ଯାତ୍ରାର ଖର୍ଚ୍ଚକୁ ବହୁ ପରିମାଣରେ କମାଇବା SpaceXର ଲକ୍ଷ୍ୟ। ସିପ୍ ୪୦ର ସଫଳ ଉଦ୍ଧାର ସେହି ଲକ୍ଷ୍ୟ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।

Leave A Reply

Your email address will not be published.