ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ଯୁବକ-ଯୁବତୀ କଲେଜରେ ନାମ ଲେଖାଇ ପଢ଼ା ଆରମ୍ଭ କରନ୍ତି, ସେହି ବୟସରେ ଜଣେ ଯୁବକ କଲେଜରେ ଛାତ୍ରମାନଙ୍କୁ ପାଠ ପଢ଼ାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ଫ୍ଲୋରିଡାର ନାଥନ୍ ଥୋମାସ ମାତ୍ର ୧୮ ବର୍ଷ ୩୪୬ ଦିନ ବୟସରେ ବିଶ୍ୱର ସର୍ବକନିଷ୍ଠ ପୁରୁଷ ପ୍ରଫେସର ହୋଇ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।
ନାଥନ୍ ଆମେରିକାର ମିଆମି ଡେଡ୍ କଲେଜରେ ଇଞ୍ଜିନିୟରିଂ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। ସେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ‘ସି’ ପ୍ରୋଗ୍ରାମିଂ ଭାଷା ଏବଂ କମ୍ପ୍ୟୁଟର ଆଧାରିତ ସମସ୍ୟା ସମାଧାନ ବିଷୟ ପଢ଼ାଉଛନ୍ତି। ତାଙ୍କ ଅନେକ ଛାତ୍ରଛାତ୍ରୀଙ୍କ ବୟସ ମଧ୍ୟ ତାଙ୍କ ପାଖାପାଖି।
ନାଥନଙ୍କ ଏହି ସଫଳତା ସ୍କଟଲ୍ୟାଣ୍ଡର ଗଣିତଜ୍ଞ କଲିନ୍ ମ୍ୟାକଲରିନଙ୍କ ୧୭୧୭ ମସିହାରେ ସ୍ଥାପିତ ରେକର୍ଡକୁ ଭାଙ୍ଗିଛି। ସେତେବେଳେ କଲିନ୍ ୧୯ ବର୍ଷ ବୟସରେ ପ୍ରଫେସର ହୋଇଥିଲେ। ଏହି ରେକର୍ଡ ୩୦୬ ବର୍ଷ ଧରି ଅପରିବର୍ତ୍ତିତ ରହିଥିଲା।
ନାଥନଙ୍କ ଶିକ୍ଷାଯାତ୍ରା ଆରମ୍ଭ ହୋଇଥିଲା ମାତ୍ର ୧୦ ବର୍ଷ ବୟସରୁ। ସ୍କୁଲରେ ପଢ଼ୁଥିବା ସମୟରେ ସେ ଏକ ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ମିଆମି ଡେଡ୍ କଲେଜରେ ପଢ଼ିବା ଆରମ୍ଭ କରିଥିଲେ। ପରେ ୧୪ ବର୍ଷ ବୟସରେ ସେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍ ୟୁନିଭର୍ସିଟିରେ ଭର୍ତ୍ତି ହୋଇ ବୈଦ୍ୟୁତିକ ଇଞ୍ଜିନିୟରିଂରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ସମ୍ମାନର ସହ ହାସଲ କରିଥିଲେ।
୨୦୨୩ ଅଗଷ୍ଟରେ ସେ ସେହି କଲେଜକୁ ପ୍ରଫେସର ଭାବେ ଫେରିଥିଲେ, ଯେଉଁଠାରେ ସେ କେବେ ଶିଶୁ ଛାତ୍ର ଥିଲେ। ନାଥନଙ୍କ କହିବା ଅନୁସାରେ, ଶିଖିବାର କ୍ଷମତା ବୟସ ଉପରେ ନୁହେଁ, ବରଂ ଆଗ୍ରହ ଓ ପରିଶ୍ରମ ଉପରେ ନିର୍ଭର କରେ। ଛାତ୍ରଛାତ୍ରୀମାନେ କଠିନ ବିଷୟ ବୁଝିପାରିଲେ ସେ ସବୁଠାରୁ ଅଧିକ ଖୁସି ଅନୁଭବ କରନ୍ତି।
ଇଞ୍ଜିନିୟର ପରିବାରରେ ବଢ଼ିଥିବା ନାଥନ୍ ତାଙ୍କ ମା’ଙ୍କୁ ନିଜ ସଫଳତାର ବଡ଼ ଶ୍ରେୟ ଦେଇଛନ୍ତି। ଛୋଟବେଳୁ ମା’ ତାଙ୍କ ମନରେ ଗଣିତ ଓ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ। କେବଳ ଇଞ୍ଜିନିୟରିଂରେ ନୁହେଁ, ନାଥନ୍ ବର୍ତ୍ତମାନ ମିଆମି ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ମଧ୍ୟ ପଢ଼ୁଛନ୍ତି। ୨୦୨୮ରେ ତାଙ୍କ ଆଇନ ଶିକ୍ଷା ଶେଷ ହେବ। ଭବିଷ୍ୟତରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରର ନୂତନ ଉଦ୍ଭାବନର ସୁରକ୍ଷା ପାଇଁ ବୌଦ୍ଧିକ ସମ୍ପତ୍ତି ଆଇନରେ ବିଶେଷଜ୍ଞ ହେବା ତାଙ୍କ ଲକ୍ଷ୍ୟ।
ମାତ୍ର ୧୦ ବର୍ଷ ବୟସରେ କଲେଜରେ ପ୍ରବେଶ, ୧୮ ବର୍ଷରେ ପ୍ରଫେସର ହେବା ଏବଂ ୩୦୬ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିବା, ନାଥନ୍ ଥୋମାସଙ୍କ ଏହି ସଫଳତା ଆଜି ବିଶ୍ୱର ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।