ପୁରୀ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଗିରଫ। ସମସ୍ତ ଅଟକ ଅଭିଯୁକ୍ତ ବାଲୁଗାଁ ଥାନା ଚନ୍ଦ୍ରପୁଟ ଗାଁର। ମାତ୍ର ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ। ପ୍ରେସ୍ମିଟ୍ କରି ସୂଚନା ଦେଲେ ପୁରୀ ଏସ୍ପି ପ୍ରତୀକ ସିଂ। କୃଷ୍ଣପ୍ରସାଦ ବ୍ଲକ ଚିଲିକାରେ ଗତ ଅଗଷ୍ଟ ୧୧ରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚିଲିକା ଭିତରେ ମାଛ ଜାଲ ନିକଟରେ ୩ଜଣ ଯୁବକ ବସିଥିଲେ। ଏହି ସମୟରେ କିଛି ଅଜଣା ଲୋକ ପହଞ୍ଚି ମାଛ ଚୋରି କରିବା ପାଇଁ ଉଦ୍ୟମ କରିଥିଲେ।
ଏହାପରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ କଥା କଟାକଟି ହେବା ସହ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୫ ବର୍ଷୀୟ ଓମ ର ମୃତ୍ୟୁ ହୋଇଥିଲା। ବାଲୁଗାଁ ଚନ୍ଦ୍ରାପୁଟ ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସ ହତ୍ୟାକାଣ୍ଡ ପରେ ଫେରାର ଥିଲା। ଗତକାଲି ପୋଲିସ ତାଙ୍କୁ ଧରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୋଲିସ ଏହି ଘଟଣାରେ ସେମାନଙ୍କଠାରୁ ତିନୋଟି ବୋଟ ସହ ହତ୍ୟାରେ ବ୍ୟବହୃତ ହୋଇଥିବା କାଠ ଫାଳିଆ ଜବତ କରିଛି। ତେବେ ଏଭଳି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
