ପାରଳାଖେମୁଣ୍ଡି:ପତ୍ନୀ ହତ୍ୟା ମାମଲାର ବିଚାର କରି ସୋମବାର ଗଜପତି ଜିଲ୍ଲା କୋର୍ଟ ଇଲାମ ଦଳବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରିଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ସହ ୧୫ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ମାମଲାର ଶୁଣାଣି କରି ସେରଙ୍ଗ ଥାନା ଅନ୍ତର୍ଗତ କୁଡିଙ୍ଗଡ଼ା ଗ୍ରାମର ଇଲାମ ଦଳବେହେରା (୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ଅନାଦାୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନାଥାଉକି, ୨୦୨୨ ଅକ୍ଟୋବର ୨୩ ତାରିଖ ଦିନ ୨୦ବର୍ଷ ଝିଅ ଜିନନ୍ତିଙ୍କ ଦେହ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନା ନେବା ପାଇଁ ମା ବୁଢ଼ୀ ଦଳବେହେରା ତାଙ୍କ ସ୍ୱାମୀ ଅର୍ଥାତ ଅଭିଯୁକ୍ତ ଇଲାମ ଦଳବେହେରା (୬୨ବର୍ଷ)ଙ୍କୁ କହିଥିଲେ । ହେଲେ ଏଥିରେ ଉତକ୍ଷିପ୍ତ ହୋଇ ପଡିଥିଲେ ଇଲାମ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଇଲାମ ସ୍ତ୍ରୀଙ୍କୁ ମାଡ଼ ମାରି ରାସ୍ତା ପର୍ଯ୍ୟନ୍ତ ଘୋଷାରି ନେଇ ପରେ ସେ ଧରିଥିବା କାତିରେ ସ୍ତ୍ରୀ ବୁଢ଼ୀଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହେତୁ ପତ୍ନୀ ବୁଢ଼ୀ ଦଳବେହେରାଙ୍କର ମୃତ୍ୟୁ ଘଟିଥିଲା ।
ପରେ ଇଲାମ ଫେରାର ହୋଇଯାଇଥିଲେ। । ଝିଅ ଜିନନ୍ତି ଓ ତାଙ୍କ ଭାଇ ଆକାଶ ମାଆଙ୍କୁ ହତ୍ୟା କରାଯାଇଥିବା ନେଇ ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୮୫/୨୨ରେ ଏକ ମାମଲା ପଞ୍ଜିକୃତ କରିଥିଲା । ତତ୍କାଳୀନ ଇନ୍ସପେକ୍ଟର ଅଶୋକ କୁମାର ହାଁସଦା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତ ଇଲାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୧୨ଜଣ ସାକ୍ଷୀ ପ୍ରମାଣ ତଥା ୨୫ ଦସ୍ତାବିଜକୁ ଆଧାର କରି କୋର୍ଟ ଆଜି ଇଲାମ ଦଳବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି ।

