ନୂଆଦିଲ୍ଲୀ:ଫିଫା ବିଶ୍ୱକପ ୨୦୨୬ରେ ପର୍ତୁଗାଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଶ୍ୱର ଅନ୍ୟତମ ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ନେଇ ଗୁଜବ ଉଠିଥିଲା । ସେ ମଧ୍ୟ ଫଳାଫଳ ନେଇ ନିରାଶ ହୋଇ ପଡିଥିଲେ । ରୋନାଲ୍ଡୋ ନିଜର ଚମତ୍କାର ଫୁଟବଲ୍ କ୍ୟାରିୟରର ଅନ୍ତ ନେଇ ବଡ଼ ସଙ୍କେତ ଦେଇଛନ୍ତି । ୪୧ ବର୍ଷୀୟ ଏହି ପର୍ତୁଗାଲ ଖେଳାଳି କହିଛନ୍ତି ଯେ, ଖେଳାଳି ଭାବେ ଏହା ହୁଏତ ଫୁଟବଲ୍ରେ ମୋର ଶେଷ ବର୍ଷ । ମୁଁ ଏକ ଭଲ ସ୍ମୃତି ଓ ଗୌରବମୟ ପରମ୍ପରା ଛାଡ଼ି ଯିବାକୁ ଚାହେଁ ।
ସୂଚନାଯୋଗ୍ୟ ଯେ ସାଉଦି ପ୍ରୋ ଲିଗ୍ କ୍ଲବ୍ ଅଲ୍-ନାସର ସହ ରୋନାଲ୍ଡୋଙ୍କର ଜୁନ୍ ୨୦୨୭ ପର୍ୟ୍ୟନ୍ତ ଚୁକ୍ତି ରହିଛି । ଅଗଷ୍ଟ ୧୧, ୨୦୨୬ରେ ନିଜ ପାର୍ଟନର ଜର୍ଜିନା ରୋଡ୍ରିଗ୍ରେଜ୍ଙ୍କୁ ବିବାହ କରିବା ପରେ ନିଜ କ୍ୟାରିୟରକୁ ନେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ୨୫ ବର୍ଷର କଠିନ ସଂଘର୍ଷ ଓ ତ୍ୟାଗ ପରେ ରୋନାଲ୍ଡୋ ଏବେ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଏବଂ ନିଜର ଅନ୍ୟାନ୍ୟ ଶୋକ ପୂରଣ କରିବାକୁ ଚାହୁଁଛନ୍ତି । ଫୁଟବଲ୍ ପରର ଜୀବନ ପାଇଁ ସେ ପୂର୍ବରୁ ଯୋଜନା କରିସାରିଛନ୍ତି । ବୁଲାବୁଲି କରିବା, ମଜା କରିବା ଏବଂ ପ୍ୟାଡେଲ ଖେଳିବାକୁ ସେ ବହୁତ ପସନ୍ଦ କରନ୍ତି ବୋଲି ପ୍ରକାଶ କରିଛନ୍ତି ।
