ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ଜାତୀୟ ଖେଳ ପୁରସ୍କାର ୨୦୨୫ର ବିଧିବଦ୍ଧ ଘୋଷଣା କରିଛନ୍ତି । ଚଳିତ ବର୍ଷ ୧୭ ଜଣ ପ୍ରମୁଖ ଆଥଲେଟଙ୍କୁ ପ୍ରତିଷ୍ଠିତ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି । ତେବେ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ବି ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଦିଆଯାଇ ନାହିଁ । ଏହାପୂର୍ବରୁ ୨୦୧୪ ମସିହାରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ସୁପାରିଶ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ପ୍ରମୁଖ ପୁରସ୍କାର ବିଜେତାଙ୍କ ତାଲିକା- ଚେସ୍: ମହିଳା ୱାର୍ଲ୍ଡ କପ୍ ବିଜେତ୍ରୀ ଦିବ୍ୟା ଦେଶମୁଖ ଏବଂ ଗ୍ରାଣ୍ଡମାଷ୍ଟର ବିଦିତ ଗୁଜରାଟୀ । ବ୍ୟାଡମିଣ୍ଟନ୍: ସୈୟଦ ମୋଦୀ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ ଚାମ୍ପିୟନ୍ ଗାୟତ୍ରୀ ଗୋପୀଚନ୍ଦ ଏବଂ ତୃଷା ଜୋଲି । ଏଥଲେଟିକ୍ସ: ହାଇ ଜମ୍ପ ଓ ଡେକାଥଲନ୍ ଖେଳାଳି ତେଜସ୍ବିନ ଶଙ୍କର, ମୁହମ୍ମଦ ଅଜମଲ ଏବଂ ପ୍ରିୟଙ୍କା ଗୋସ୍ବାମୀ । ଲାଇଫଟାଇମ୍ କାଟେଗୋରୀ (ଅର୍ଜୁନ ଆୱାର୍ଡ): ୧୯୬୨ ଜକାର୍ତ୍ତା ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା, ୮୪ ବର୍ଷୀୟ ଫୁଟବଲ ଦିଗ୍ଗଜ ଆଇ. ଅରୁମାଇନାୟଗମ୍ । ଏହାବ୍ୟତୀତ ବକ୍ସିଂରେ ନରେନ୍ଦ୍ର, ହକିରେ ଲାଲରେମସିଆମି ଓ ରାଜକୁମାର ପାଲ, କବାଡ଼ିରେ ସୁରଜିତ ଓ ପୂଜାଙ୍କ ସମେତ ଧନୁଷ ଶ୍ରୀକାନ୍ତ (ଡେଫ୍ ଶୁଟିଂ), ରୁଦ୍ରାଂଶ ଖଣ୍ଡେଲୱାଲ (ପାରା ଶୁଟିଂ) ଏବଂ ଏକତା ଭୟାନଙ୍କୁ (ପାରା ଏଥଲେଟିକ୍ସ) ମଧ୍ୟ ଅର୍ଜୁନ ଆୱାର୍ଡ ଦିଆଯିବ ।
