Latest Odisha News

BREAKING NEWS

ମହିଳା ହକି ବିଶ୍ୱକପ୍ ୨୦୨୬: ଦକ୍ଷିଣ ଆଫ୍ରିକାକୁ ୬-୧ ବୃହତ ବ୍ୟବଧାନରେ ହରାଇଲା ଭାରତ

ଆମ୍ସଟରଡାମ: ମହିଳା ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ମହିଳା ହକି ଦଳ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି । ଏହି ବିପୁଳ ବିଜୟ ସହ ଭାରତୀୟ ଦଳ ପୁଲ୍-ଡିର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମ ମ୍ୟାଚ୍‌ରେ ଚୀନ ସହ ୨-୨ ଗୋଲ୍‌ରେ ଡ୍ର’ ରଖିଥିବା ଭାରତ ଏବେ ୪ ପଏଣ୍ଟ ଏବଂ +୫ ଗୋଲ୍ ବ୍ୟବଧାନ ସହ ଆଗୁଆ ରହିଛି ।ୱାଗେନର ହକି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ୧୧ଶ ମିନିଟ୍‌ରେ ଓଡ଼ିଶାର ସୁନ୍ଦରଗଡ଼ର ଯୁବ ଖେଳାଳି ସୁନେଲିତା ଟପୋ ସାକ୍ଷୀ ରାଣାଙ୍କ ଆସିଷ୍ଟରୁ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ । ସୁନେଲିତାଙ୍କ ପ୍ରଥମ ଗୋଲ୍ ପରେ ଦ୍ୱିତୀୟ କ୍ୱାଟରରେ ନବନୀତ କୌର (ଡ୍ରାଗ୍-ଫ୍ଲିକ୍) ଏବଂ ସୁଶୀଳା ଚାନୁ ଗୋଟିଏ ଲେଖାଏଁ ଗୋଲ୍ ଦେଇ ହାଫ୍-ଟାଇମ୍ ସୁଦ୍ଧା ଭାରତକୁ ୩-୦ରେ ଆଗୁଆ ରଖିଥିଲେ ।

୩୮ତମ ମିନିଟ୍‌ରେ ଦୀପିକା, ୪୯ତମ ମିନିଟ୍‌ରେ ଲାଲରେମସିଆମି ଏବଂ ସେହି ମିନିଟ୍‌ରେ ସାକ୍ଷୀ ରାଣାଙ୍କ ଦମଦାର ରିଭର୍ସ-ଷ୍ଟିକ୍ ସଟ୍ ବଳରେ ଭାରତ ୬-୦ର ବଡ଼ ଅଗ୍ରଣୀ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଶେଷ ହେବାର କିଛି ସମୟ ପୂର୍ବରୁ ଗୋଟିଏ ସାନ୍ତ୍ୱନାମୂଳକ ଗୋଲ୍ ଦେଇଥିଲା । ଭାରତୀୟ ଦଳର ଏହି ଶାଣିତ ଆକ୍ରମଣ ଏବଂ ୬ ଜଣ ଭିନ୍ନ ଭିନ୍ନ ଖେଳାଳିଙ୍କ ଗୋଲ୍ ସ୍କୋର କରିବା ଦଳର ମନୋବଳକୁ ବହୁତ ବଢ଼ାଇଦେଇଛି । ଆସନ୍ତା ଅଗଷ୍ଟ ୨୦ ତାରିଖରେ ଭାରତ ନିଜର ଶେଷ ପୁଲ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ । ନକ୍‌ଆଉଟ୍ ପର‌୍ୟ୍ୟାୟକୁ ଯିବା ପାଇଁ ଭାରତକୁ ଏହି ମ୍ୟାଚ୍‌ରେ ଅନ୍ତତଃ ଗୋଟିଏ ଡ୍ର’ ଆବଶ୍ୟକ ।

Leave A Reply

Your email address will not be published.