Latest Odisha News

BREAKING NEWS

ଲାଭ ବଢ଼ାଇବା ଲକ୍ଷ୍ୟରେ ଜେପ୍ଟୋ: ବଢ଼ିଲା ଫ୍ରି ଡେଲିଭରି ପାଇଁ ସର୍ବନିମ୍ନ ଅର୍ଡର ମୂଲ୍ୟ

ନୂଆଦିଲ୍ଲୀ: ଅନଲାଇନ୍ ମାଧ୍ୟମରେ ଘରୋଇ ସାମଗ୍ରୀ ଓ ଗ୍ରୋସରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। କ୍ୱିକ୍ କମର୍ସ ପ୍ଲାଟଫର୍ମ ‘ଜେପ୍ଟୋ’ ନିଜର ଫ୍ରି ଡେଲିଭରି ନିୟମରେ ପରିବର୍ତ୍ତନ କରିଛି। ଏଣିକି ମାଗଣାରେ ସାମଗ୍ରୀ ଡେଲିଭରି ପାଇବା ପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କମ୍ପାନୀ ପକ୍ଷରୁ ଫ୍ରି ଡେଲିଭରି ପାଇଁ ଥିବା ସର୍ବନିମ୍ନ ଅର୍ଡର ମୂଲ୍ୟକୁ ୧୪୯ ଟଙ୍କାରୁ ୧୯୯ ଟଙ୍କାକୁ ବୃଦ୍ଧି କରାଯାଇଛି।

 

ଏହାର ସିଧାସଳଖ ଅର୍ଥ ହେଉଛି, ଯଦି ଆପଣ ଜେପ୍ଟୋରୁ ୧୯୯ ଟଙ୍କାରୁ କମ୍ ମୂଲ୍ୟର କୌଣସି ଜିନିଷ ମଗାଉଛନ୍ତି, ତେବେ ଆପଣଙ୍କୁ ସାମଗ୍ରୀର ଦାମ୍ ସହିତ ଅତିରିକ୍ତ ଡେଲିଭରି ଚାର୍ଜ ଦେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ମାସରେ ହିଁ ଜେପ୍ଟୋ ନିଜର ଫ୍ରି ଡେଲିଭରି ସୀମାକୁ ୯୯ ଟଙ୍କାରୁ ବଢ଼ାଇ ୧୪୯ ଟଙ୍କା କରିଥିଲା। ଏବେ ପୁଣିଥରେ ଏହି ସୀମାକୁ ବୃଦ୍ଧି କରାଯିବା ଗ୍ରାହକଙ୍କ ପକେଟ୍ ଉପରେ ଚାପ ପକାଇବ।

 

କମ୍ପାନୀର ଏହି ନିଷ୍ପତ୍ତି ପଛରେ ମୁଖ୍ୟ କାରଣ ହେଉଛି ବ୍ୟବସାୟିକ ଲାଭାଂଶ ବୃଦ୍ଧି କରିବା। ସୂଚନା ଅନୁଯାୟୀ, ଆସନ୍ତା ଦୁଇଟି ତ୍ରୈମାସିକ ମଧ୍ୟରେ କମ୍ପାନୀ ନିଜର ହାରାହାରି ଅର୍ଡର ମୂଲ୍ୟକୁ ୨୫ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। କ୍ୱିକ୍ କମର୍ସ ବଜାରରେ ଏବେ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। କମ୍ପାନୀଗୁଡ଼ିକ କେବଳ ବିଭିନ୍ନ ଅଫର୍ ଦେଇ ଗ୍ରାହକ ବଢ଼ାଇବା ପରିବର୍ତ୍ତେ ଏବେ ଲାଭ କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜେପ୍ଟୋ ଆଗାମୀ ଦିନରେ ସେୟାର ବଜାରରେ ନିଜର ଆଇପିଓ ଆଣିବାକୁ ପ୍ରସ୍ତୁତି ଚଳାଇଛି, ତେଣୁ ଖର୍ଚ୍ଚ କାଟ୍ ଓ ମୁନାଫା ବୃଦ୍ଧି କରି ବାଲାନ୍ସ ସିଟ୍‌କୁ ମଜବୁତ କରିବା ପାଇଁ ଏଭଳି ପଦକ୍ଷେପ ନେଉଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

ଅନ୍ୟପକ୍ଷରେ, ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କ କଥା ବିଚାରକୁ ନେଲେ ବ୍ଲିଙ୍କଇଟ୍ ମଧ୍ୟ ଫ୍ରି ଡେଲିଭରି ପାଇଁ ସର୍ବନିମ୍ନ ସୀମା ୧୯୯ ଟଙ୍କା ରଖିଥିବା ବେଳେ ସ୍ୱିଗି ଇନଷ୍ଟାମାର୍ଟ ସାଧାରଣ ଗ୍ରାହକଙ୍କ ପାଇଁ ଏହି ସୀମା ୨୯୯ ଟଙ୍କା ରଖିଛି। ତେଣୁ ଜେପ୍ଟୋର ଏହି ନୂଆ ନିୟମ ଲାଗୁ ହେବା ପରେ ବି ଏହା ଅନ୍ୟ କମ୍ପାନୀଗୁଡ଼ିକ ସହ ପ୍ରତିଯୋଗିତାରେ ସମାନ ସ୍ଥିତିରେ ରହିବ। ତେବେ ଯେଉଁ ଗ୍ରାହକମାନେ ଦୈନନ୍ଦିନ ଆବଶ୍ୟକତା ପାଇଁ କେବଳ ଗୋଟିଏ କିମ୍ବା ଦୁଇଟି ଛୋଟମୋଟ ଜିନିଷ ମଗାଇବାକୁ ପସନ୍ଦ କରନ୍ତି, ସେମାନଙ୍କୁ ଏଣିକି ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନଚେତ୍ ଡେଲିଭରି ଚାର୍ଜରୁ ବର୍ତ୍ତିବା ପାଇଁ ଅଧିକ ଜିନିଷ କିଣିବାକୁ ବାଧ୍ୟ ହେବେ।

Leave A Reply

Your email address will not be published.