Latest Odisha News

BREAKING NEWS

ପେଟରେ ଫସିଥିବା ଗ୍ୟାସ୍ ଯନ୍ତ୍ରଣାର କାରଣ ଏବଂ ଏଥିରୁ ମୁକୁଳିବାର ସହଜ ଉପାୟ

ପେଟରେ ଗ୍ୟାସ୍ ସମସ୍ୟା ଏକ ସାଧାରଣ କଥା ହୋଇପାରେ, କିନ୍ତୁ ଅନେକ ସମୟରେ ଏହା ଏତେ ଭୟଙ୍କର ଯନ୍ତ୍ରଣା ଦେଇଥାଏ ଯେ ରୋଗୀକୁ ଲାଗେ ଯେପରି କୌଣସି ବଡ଼ ରୋଗ ବା ମେଡିକାଲ୍ ଏମର୍ଜେନ୍ସି ସୃଷ୍ଟି ହୋଇଛି। ପେଟରେ ଗ୍ୟାସ୍ ଫସିଗଲେ ପ୍ରକୃତରେ ଶରୀର ଭିତରେ କ’ଣ ହୁଏ ଏବଂ କାହିଁକି ଏତେ କଷ୍ଟ ହୁଏ, ସେ ନେଇ ଜଣେ ବିଶେଷଜ୍ଞ ଡାକ୍ତର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

 

ଡାକ୍ତରଙ୍କ ଅନୁଯାୟୀ, ଆମେ ଖାଦ୍ୟ ଖାଇବା ବେଳେ ବା କଥା କହିବା ବେଳେ କିଛି ପବନ ପାକସ୍ଥଳୀ ଭିତରକୁ ଚାଲିଯାଏ। ଏହାବ୍ୟତୀତ ପେଟ ଭିତରେ ଥିବା ବ୍ୟାକ୍ଟେରିଆ ଖାଦ୍ୟ ହଜମ କରିବା ସମୟରେ ମଧ୍ୟ ପ୍ରଚୁର ପରିମାଣରେ ଗ୍ୟାସ୍ ନିର୍ଗତ କରିଥାନ୍ତି। ସାଧାରଣତଃ ଏହି ଗ୍ୟାସ୍ ଢାକୁର ବା ଅନ୍ୟ ମାଧ୍ୟମରେ ବାହାରିଯାଏ। କିନ୍ତୁ ଯେତେବେଳେ ଏହି ଅତିରିକ୍ତ ଗ୍ୟାସ୍ ଅନ୍ତନଳୀର କୌଣସି ଅଂଶରେ ଫସିଯାଏ ବା ସହଜରେ ବାହାରି ପାରେନାହିଁ, ସେତେବେଳେ ଏହା ଅନ୍ତନଳୀର କାନ୍ଥ ଉପରେ ପ୍ରବଳ ଚାପ ପକାଇଥାଏ। ଆମ ଅନ୍ତନଳୀର ସ୍ନାୟୁଗୁଡ଼ିକ ବହୁତ ସମ୍ବେଦନଶୀଳ ହୋଇଥିବାରୁ, ଏହି ଚାପ ଯୋଗୁଁ ତୀବ୍ର ଯନ୍ତ୍ରଣା ଅନୁଭୂତ ହୁଏ। ଏହି ଯନ୍ତ୍ରଣା ବେଳେବେଳେ ଏତେ ଅସହ୍ୟ ହୁଏ ଯେ ଛାତି ବା ପେଟର ଉପରି ଭାଗ ଦରଜ ହେବା ପରି ଲାଗେ ଏବଂ ଲୋକେ ଏହାକୁ ହାର୍ଟ ଆଟାକ୍ ଭାବି ଭୟଭୀତ ହୋଇପଡ଼ନ୍ତି।

 

ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଡାକ୍ତର କିଛି ସହଜ ତଥା ଘରୋଇ ଉପାୟ ମଧ୍ୟ ବତାଇଛନ୍ତି। ପ୍ରଥମତଃ, ଯନ୍ତ୍ରଣା ହେଲେ ଗୋଟିଏ ଜାଗାରେ ବସି ନରହି ଧୀରେ ଧୀରେ ଚଲାବୁଲା କରିବା ଦ୍ୱାରା ଫସିଥିବା ଗ୍ୟାସ୍ ତଳକୁ ଖସିବାରେ ସାହାଯ୍ୟ ମିଳିଥାଏ। ଦ୍ୱିତୀୟରେ, ହାଲୁକା ଉଷୁମ ପାଣି ପିଇବା, ପେଟରେ ଗରମ ସେକ ଦେବା କିମ୍ବା କିଛି ସରଳ ଯୋଗାସନ (ଯେପରିକି ପବନମୁକ୍ତାସନ) କରିବା ଦ୍ୱାରା ଅନ୍ତନଳୀର ମାଂସପେଶୀକୁ ଆରାମ ମିଳିଥାଏ ଏବଂ ଗ୍ୟାସ୍ ସହଜରେ ବାହାରିଯିବାରେ ସୁବିଧା ହୁଏ।

 

ତା’ସହ, ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ମଧ୍ୟ ନିହାତି ଜରୁରୀ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କୋବି, ବିନ୍ସ କିମ୍ବା ଫାଷ୍ଟଫୁଡ୍ ଭଳି ଅଧିକ ଗ୍ୟାସ୍ ସୃଷ୍ଟି କରୁଥିବା ଖାଦ୍ୟ କମ ଖାଇବା ଏବଂ ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଗ୍ୟାସ୍ ଯନ୍ତ୍ରଣା ବାରମ୍ବାର ହୁଏ କିମ୍ବା ଏହା ସହ ବାନ୍ତି, ଅତ୍ୟଧିକ ଓଜନ ହ୍ରାସ, ଛାତିରେ ଯନ୍ତ୍ରଣା ବା ମଳରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ, ତେବେ ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସେ ସତର୍କ କରାଇଦେଇଛନ୍ତି।

Leave A Reply

Your email address will not be published.