ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀ ପୁଣି ଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ଯାହା ଫଳରେ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି କରିଛି।
ରିପୋର୍ଟ ଅନୁସାରେ, ସକାଳ ୯ଟାରେ ରାଜଘାଟରେ ଜଳସ୍ତର ୧୦.୪୦ ମିଟର ଥିଲା, ଯାହା ବିପଦ ସ୍ତର ୧୦.୩୬ମିଟର ଠାରୁ ଅଧିକ ଥିଲା।
ଏହାରି ମଧ୍ୟରେ ବାଲିଆପାଳ ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିସାରିଛି। ଜଳ ନିଷ୍କାସନର ସୁବିଧା ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଜଳସ୍ତର ବୃଦ୍ଧି ଜାରି ରହିଲେ ବାଲିଆପାଳ ଏବଂ ଭୋଗରାଇ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟାର ସମ୍ମୁଖୀନ ହୋଇପାରେ ବୋଲି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକାଶ କରିଛି। ସେହିପରି ଗାଲୁଡିହ ବ୍ୟାରେଜ ରେ ଭୋର ୩ଟାରେ ପ୍ରାୟ ୬,୫୦୦ କ୍ୟୁସେକ ପାଣି ଛାଡିଛି। ଯାହା ନଦୀର ଜଳସ୍ତରକୁ ଆହୁରି ବୃଦ୍ଧି କରିଛି। ସେହିପରି ନହରା ପଞ୍ଚାୟତ ଅଂଚଳରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

