Latest Odisha News

BREAKING NEWS

US Fentanyl Crisis: ଆମେରିକା ନିଦ ହଜାଇଲାଣି ଭାରତର ଏହି ସହର…!

ନୂଆଦିଲ୍ଲୀ: ଆମେରିକାର ଚିନ୍ତା ବଢାଇଛି ଭାରତର ଏହି ସହର…

ଯୋଗାଉଛି ଗରଳ!

ଭାରତ ପାଇଁ ବି ବଡ ବିପଦ!

ପେନ୍‌ସିଲ୍‌ ମୁନ ଭଳି, ଏହାର ଡୋଜ୍ ବି ଆପଣଙ୍କ ଜୀବନ ନେଇପାରେ । ଏହି ଭୟଙ୍କର ନିଶାଦ୍ରବ୍ୟର ନାଁ ହେଉଛି ଫେଣ୍ଟାନିଲ୍। ଆମେରିକାରେ ଫେଣ୍ଟାନିଲ୍‌କୁ ନେଇ ବଢୁଥିବା ନିଶା ସଙ୍କଟର ତାର ଏବେ ଗୁଜରାଟର ସୁରତ ପର୍ଯ୍ୟନ୍ତ ପହଞ୍ଚିଛି।

ଆମେରିକାର ଡ୍ରଗ୍ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଅନୁସାରେ, ପ୍ରାୟ ୨ ମିଲିଗ୍ରାମ୍ ଫେଣ୍ଟାନିଲ୍ ଜଣେ ବୟସ୍କଙ୍କ ପାଇଁ ଘାତକ ହୋଇପାରେ। ଏହା ହେରୋଇନ୍‌ ଠାରୁ ପ୍ରାୟ ୫୦ ଗୁଣ ଏବଂ ମର୍ଫିନ୍‌ଠାରୁ ୧୦୦ ଗୁଣ ଅଧିକ ଶକ୍ତିଶାଳୀ। ଆମେରିକାରେ ଏହା ଗୁରୁତର ନିଶା ସଙ୍କଟର ଏକ ପ୍ରମୁଖ କାରଣ ପାଲଟିଛି।

ବର୍ଷ ବର୍ଷ ଧରି ମେକ୍ସିକୋର ଡ୍ରଗ୍ କାର୍ଟେଲ୍‌ଗୁଡ଼ିକ ଫେଣ୍ଟାନିଲ୍ ତିଆରି ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ଚୀନ୍‌ରୁ ସଂଗ୍ରହ କରୁଥିଲେ। ଚୀନ୍ ଏହି ପଦାର୍ଥଗୁଡ଼ିକର ଯୋଗାଣ ଉପରେ କଟକଣା ବଢ଼ାଇବା ପରେ ତସ୍କରୀ ନେଟୱର୍କ ଭାରତ ଆଡ଼କୁ ମୁହାଁଇଥିବା ତଦନ୍ତକାରୀମାନେ କହୁଛନ୍ତି। ଏହି ମାମଲାରେ ଗୁଜରାଟର ସୁରତ ଉପରେ ବିଶେଷ ନଜର ରହିଛି। କାରଣ ସୁରତ ଓ ଗୁଜରାଟ ଦେଶର ପ୍ରମୁଖ ରାସାୟନିକ ଓ ଔଷଧ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ଅନ୍ୟତମ। ଗୁଜରାଟରେ ୫ ହଜାରରୁ ଅଧିକ ରାସାୟନିକ ଶିଳ୍ପ ୟୁନିଟ୍ ଓ ପ୍ରାୟ ୩ ହଜାର ଔଷଧ ଉତ୍ପାଦନ ୟୁନିଟ୍ ରହିଛି। ମୁନ୍ଦ୍ରା ଓ ପିପାଭାଭ୍ ଭଳି ବନ୍ଦର ମଧ୍ୟ ଅନ୍ତର୍ଜାତୀୟ ଯୋଗାଣ ବ୍ୟବସ୍ଥାକୁ ସହଜ କରିଥାଏ।

୨୦୨୫ରେ ଗୁଜରାଟ ଆତଙ୍କବାଦ ନିରୋଧୀ ଦଳର ଏକ ମାମଲାରେ ସୁରତର ଏଥୋସ୍ କେମିକାଲ୍ସର ସତୀଶକୁମାର ସୁତାରିଆ ଓ ଯୁକ୍ତା ମୋଦୀଙ୍କ ନାଁ ସାମ୍ନାକୁ ଆସିଥିଲା। ତଦନ୍ତକାରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ରାସାୟନିକ ପଦାର୍ଥର ଅନ୍ତିମ ବ୍ୟବହାରକାରୀ ପ୍ରମାଣପତ୍ରରେ ହେରଫେର କରିଥିଲେ। ଏହି ମାଧ୍ୟମରେ ଫେଣ୍ଟାନିଲ୍ ତିଆରିରେ ବ୍ୟବହୃତ N-Boc-4-piperidone, ANPP ଏବଂ N-Phenethyl-4-piperidone ଭଳି ରାସାୟନିକ ପଦାର୍ଥ ଗ୍ୱାଟେମାଲାର ‘ଜେ ଆଣ୍ଡ୍ ସି ଇମ୍ପୋର୍ଟ’ ନାମକ କମ୍ପାନୀକୁ ପଠାଯାଇଥିବା ଅଭିଯୋଗ ରହିଛି। ତଦନ୍ତକାରୀଙ୍କ ଅନୁସାରେ, ଏହି କମ୍ପାନୀର ସମ୍ପର୍କ ମେକ୍ସିକୋର ସିନାଲୋଆ ଡ୍ରଗ୍ କାର୍ଟେଲ୍‌ର ଜଣେ ମଧ୍ୟସ୍ଥଙ୍କ ସହ ଥିଲା। ସୁରତର ଆଉ ଜଣେ ବ୍ୟବସାୟୀ ଭାବେଶ ଲାଠିଆଙ୍କ ନାଁ ମଧ୍ୟ ଆମେରିକାର ଏକ ଫେଡେରାଲ୍ ମାମଲାରେ ଆସିଛି।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଫେଣ୍ଟାନିଲ୍ କେବଳ ଯେ ଡ୍ରଗ୍ସ ତିଆରି ପ୍ରଡକ୍ଟ ତାହା ନୁହେଁ, ବରଂ ଡାକ୍ତରୀ କ୍ଷେତ୍ରରେ ଗୁରୁତର ଯନ୍ତ୍ରଣା, କ୍ୟାନ୍ସର ଚିକିତ୍ସା, ଶଲ୍ୟଚିକିତ୍ସା ସମୟରେ ଅଚେତନ କରିବା ଏବଂ ଆଘାତ ଚିକିତ୍ସାରେ ନିୟନ୍ତ୍ରିତ ଭାବେ ଏହା ବ୍ୟବହୃତ ହୁଏ। ଭାରତରେ ଏହା ନିଶାଦ୍ରବ୍ୟ ଓ ମନୋପ୍ରଭାବୀ ପଦାର୍ଥ ଆଇନ ଅଧୀନରେ ନିୟନ୍ତ୍ରିତ। ସମସ୍ୟା ହେଉଛି ଏହାର ଅବୈଧ ଉତ୍ପାଦନ ଓ ତସ୍କରୀ। ଏହାକୁ ନେଇ ଆମେରିକାର ଗୁଇନ୍ଦା ମହଲର ରିପୋର୍ଟ ଆହୁରି ଚିନ୍ତା ବଢ଼ାଇଛି। ୨୦୨୫ର ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଅବୈଧ ଫେଣ୍ଟାନିଲ୍ ପାଇଁ ଆବଶ୍ୟକ ପ୍ରିକର୍ସର ରାସାୟନିକ ପଦାର୍ଥ ଓ ଟାବଲେଟ୍ ତିଆରି ଯନ୍ତ୍ରର ଉତ୍ସ ଭାବେ ଚୀନ୍ ପରେ ଭାରତକୁ ଦ୍ୱିତୀୟ ସ୍ଥାନରେ ରଖାଯାଇଛି। ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ନିୟନ୍ତ୍ରଣ ବୋର୍ଡର ୨୦୨୫ ରିପୋର୍ଟରେ ମଧ୍ୟ ୨୦୨୪ର ଦ୍ୱିତୀୟାର୍ଦ୍ଧରେ ୟୁରୋପରେ ଭାରତରୁ ଆସିଥିବା 1-Boc-4-piperidoneର ୪ଟି ଚାଲାଣ ଜବତ ହୋଇଥିବା ଉଲ୍ଲେଖ ରହିଛି।

ଚୀନ୍‌ରେ କଟକଣା ପରେ ଯଦି ଏହି ଅବୈଧ ନେଟୱର୍କ ଭାରତକୁ ବିକଳ୍ପ ଯୋଗାଣ କେନ୍ଦ୍ର ଭାବେ ବ୍ୟବହାର କରୁଛି, ତେବେ ଭାରତର ବଡ଼ କେମିକାଲ୍ ଓ ଫାର୍ମା ଶିଳ୍ପ ବ୍ୟବସ୍ଥାକୁ ଅବୈଧ ନେଟୱର୍କ ଦୁରୁପଯୋଗ କରିବାର ଆଶଙ୍କା ବଢ଼ିଛି। ଭାରତରୁ ଏହି ରାସାୟନିକ ପଦାର୍ଥ ବିଦେଶକୁ ଯାଇ ଅବୈଧ ଫେଣ୍ଟାନିଲ୍ ତିଆରିରେ ବ୍ୟବହୃତ ହେଲେ ଦେଶର ଅନ୍ତର୍ଜାତୀୟ ଛବି ସହ ବୈଧ କେମିକାଲ୍ ଓ ଔଷଧ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇପାରେ। ଏହାଠାରୁ ବଡ଼ ଚିନ୍ତା ହେଉଛି, ଯଦି ଏହି ନେଟୱର୍କ ଭାରତରେ ମଧ୍ୟ ଶକ୍ତିଶାଳୀ ହୁଏ, ତେବେ ଦେଶରେ ଅବୈଧ ନିଶା କାରବାର ବଢ଼ିପାରେ। ଫଳରେ ଯୁବପିଢ଼ି ନିଶାର କବଳରେ ପଡ଼ିବାର ଆଶଙ୍କା ମଧ୍ୟ ବଢ଼ିବ। ଯାହା ଏବେ ଭାରତ ପାଇଁ ମଧ୍ୟ ବଡ ଚିନ୍ତା ସୃଷ୍ଟି କରୁଛି ।

Leave A Reply

Your email address will not be published.