Latest Odisha News

BREAKING NEWS

Abhijeet Dipke: NDAରେ ଯୋଗଦେବେ କି ଅଭିଜିତ୍ ଦୀପକେ? ଅଫର ନେଇ କିଛି ଏମିତି କହିଦେଲେ…

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ବିଜେପି ନେତୃତ୍ବାଧୀନ NDAରେ ସାମିଲ ହେବାକୁ ମିଳିଥିବା ପ୍ରସ୍ତାବକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଆଠାୱଲେ ଦୀପକେଙ୍କୁ ତାଙ୍କ ଦଳ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (A)ରେ ଯୋଗଦେବାକୁ ପରାମର୍ଶ ଦେବା ପରେ ଦୀପକେ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି। ଦୀପକେ ଇନଷ୍ଟାଗ୍ରାମରେ ଏକ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ସେୟାର କରି ଲେଖିଛନ୍ତି, “ ଏବେ ଗୋଟେ ମାସ ତଳେ ତଳେ ତ ଆପଣଙ୍କ ପାଇଁ ମୁଁ ଦେଶଦ୍ରୋହୀ ଥିଲି?” ତାଙ୍କ ଏହି ପ୍ରତିକ୍ରିୟାକୁ ଆଠାୱଲେଙ୍କ ପ୍ରସ୍ତାବ ଉପରେ ଏକ ତୀବ୍ର ବ୍ୟଙ୍ଗ ଭାବେ ଦେଖାଯାଉଛି।?

ସୋମବାର କେନ୍ଦ୍ରମନ୍ତ୍ରୀ ରାମଦାସ ଆଠାୱଲେ କହିଥିଲେ ଯେ ଅଭିଜିତ ଦୀପକେ ଜଣେ ଆମ୍ବେଦକରବାଦୀ ଏବଂ ଯୁବକ ହୋଇଥିବାରୁ ତାଙ୍କ ଦଳ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (A)ରେ ଯୋଗଦେବା ବିଷୟରେ ବିଚାର କରିବା ଉଚିତ। ଆଠାୱଲେ କହିଥିଲେ, “ମୁଁ ଭାବୁଛି ଅଭିଜିତ ଦୀପକେ ଜଣେ ଆମ୍ବେଦକରବାଦୀ। ସେ ସକ୍ରିୟ ଏବଂ ଯୁବକ। ତାଙ୍କୁ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (A)ରେ ଯୋଗଦେବା ବିଷୟରେ ବିଚାର କରିବା ଉଚିତ।” ସେ ଆହୁରି କହିଥିଲେ ଯେ ତାଙ୍କ ଦଳ ସମାଜକୁ ମଜବୁତ କରିବା ସହ ଡ. ବି.ଆର. ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ ଦିଗରେ କାମ କରୁଛି। ତାଙ୍କ ମତରେ ଦୀପକେ ଦଳରେ ଯୋଗଦେଲେ ଏହି ଉଦ୍ୟମକୁ ଆହୁରି ଶକ୍ତି ମିଳିପାରିବ। ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (A) ବିଜେପି ନେତୃତ୍ୱାଧୀନ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (NDA)ର ଅଂଶୀଦାର ଦଳ।

ଆଠାୱଲେଙ୍କ ଏହି ପ୍ରସ୍ତାବର ସମ୍ପର୍କ ଗତ ମାସରେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ସହ ଥିବା କୁହାଯାଉଛି। ପରୀକ୍ଷା ପେପର ଲିକ୍, ଛାତ୍ରଛାତ୍ରୀଙ୍କ ସମସ୍ୟା ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିକୁ ନେଇ CJP ସମେତ ଛାତ୍ରମାନେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ଏବଂ ବଢୁଥିବା ଚାପ ପରେ ଜୁଲାଇ ୨୫ରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେଇଛନ୍ତି। ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଇସ୍ତଫା ବିବୃତିରେ “ଆଣ୍ଟି-ନ୍ୟାସନାଲ୍ ଫୋର୍ସେସ୍” ବା ଦେଶବିରୋଧୀ ଶକ୍ତିମାନେ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା କଥା କହିଥିଲେ। ଏହି ଘଟଣା ପରେ ଅଭିଜିତ ଦୀପକେ ବିଜେପି ନେତାମାନଙ୍କ ଦ୍ୱାରା ଆନ୍ଦୋଳନକାରୀ ଛାତ୍ରଙ୍କୁ ‘ଦେଶଦ୍ରୋହୀ’ କୁହାଯିବା ପ୍ରସଙ୍ଗ ଉଠାଇଥିଲେ।

ଅଗଷ୍ଟ ୭ରେ ସେ RSS ମୁଖ୍ୟ ମୋହନ ଭାଗବତଙ୍କ ଏକ ବିବୃତିକୁ ସମର୍ଥନ କରିଥିଲେ। ଭାଗବତ କହିଥିଲେ ଯେ କୌଣସି ସମସ୍ୟା ନେଇ ଆନ୍ଦୋଳନ କରୁଥିବା Gen Z ଯୁବପିଢ଼ିକୁ ‘ଆଣ୍ଟି-ନ୍ୟାସନାଲ୍’ କୁହାଯିବା ଉଚିତ ନୁହେଁ ଏବଂ ଆନ୍ଦୋଳନ କରିବା ସେମାନଙ୍କ ଅଧିକାର। ଦୀପକେ ଭାଗବତଙ୍କ ମତକୁ ସମର୍ଥନ କରି କହିଥିଲେ ଯେ ସେ ଏହା ସହ ସମ୍ପୂର୍ଣ୍ଣ ଏକମତ। ସେ ବିଜେପି ନେତାମାନଙ୍କୁ ମଧ୍ୟ ଭାଗବତଙ୍କ ବାର୍ତ୍ତା ଶୁଣିବାକୁ ଆହ୍ୱାନ କରିଥିଲେ।

ଦୀପକେଙ୍କ ଅଭିଯୋଗ ଥିଲା ଯେ ବିଜେପିର କିଛି ନେତା ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ କଠୋର ଶବ୍ଦ ବ୍ୟବହାର କରିଥିଲେ। ସେ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଆନ୍ଦୋଳନକୁ ‘ଆତଙ୍କବାଦୀଙ୍କ ବି-ଟିମ୍’ ବୋଲି କହିଥିବା ବେଳେ ନୀତିନ ନବୀନ ଆନ୍ଦୋଳନକାରୀମାନଙ୍କୁ ‘ଭାଇରସ’ ବୋଲି କହିଥିଲେ।

ଏହାରି ଭିତରେ ଏବେ ଆଠାୱଲେଙ୍କ ପକ୍ଷରୁ ଦୀପକେଙ୍କୁ NDA ସହ ଜଡ଼ିତ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦିଆଯିବା ପରେ ତାଙ୍କ କଟାକ୍ଷ ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.