Latest Odisha News

BREAKING NEWS

ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ: ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ମିଳୁଛି ବଡ଼ ଲାଭ

ଭୁବନେଶ୍ୱର: ସାଧାରଣ ଗରିବ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଜେନେରିକ୍ ଔଷଧ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଏବେ ଯୁବବର୍ଗଙ୍କ ପାଇଁ ରୋଜଗାରର ଏକ ନୂଆ ମାଧ୍ୟମ ପାଲଟିଛି ।

ସ୍ୱଳ୍ପ ପୁଞ୍ଜି ବିନିଯୋଗ କରି ନିଜସ୍ୱ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ଏହି ଯୋଜନାରେ ବ୍ୟାପକ ସୁଯୋଗ ପ୍ରଦାନ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କେନ୍ଦ୍ର ଖୋଲିବା ପାଇଁ କୌଣସି ଫାର୍ମାସୀ ଡିଗ୍ରୀର ଆବଶ୍ୟକତା ନାହିଁ ଏବଂ ଯେକୌଣସି ଆଗ୍ରହୀ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ତେବେ ଦୋକାନର ଦୈନନ୍ଦିନ ପରିଚାଳନା ତଥା ଔଷଧ ବିକ୍ରି ନିମନ୍ତେ ଜଣେ ପଞ୍ଜୀକୃତ ଫାର୍ମାସିଷ୍ଟ ନିଯୁକ୍ତ କରିବା ବାଧ୍ୟତାମୂଳକ କରାଯାଇଛି। ଆବେଦନ ଅନୁମୋଦନ ବେଳେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏଥିସହ କେନ୍ଦ୍ର ପାଇଁ ନିଜସ୍ୱ କିମ୍ବା ଭଡ଼ା ସୂତ୍ରରେ ଅତିକମରେ ୧୨୦ ବର୍ଗଫୁଟର ଏକ ସ୍ଥାୟୀ ଦୋକାନ ଘର ଥିବା ନିହାତି ଆବଶ୍ୟକ ।

ସରକାରଙ୍କ ପକ୍ଷରୁ କେନ୍ଦ୍ର ପରିଚାଳକଙ୍କୁ ବଜାର ଦରଠାରୁ ଖୁବ୍ କମ୍ ମୂଲ୍ୟରେ ଔଷଧ ଯୋଗାଇ ଦିଆଯିବା ସହ ଦୋକାନର ଭିତ୍ତିଭୂମି ସଜାଡ଼ିବା, ଆସବାବପତ୍ର, କମ୍ପ୍ୟୁଟର ଏବଂ ଫ୍ରିଜ୍ ଆଦି କିଣିବା ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ଲାଭାଂଶ ଦୃଷ୍ଟିରୁ ଦେଖିଲେ, ପ୍ରତି ମାସର ମୋଟ ବିକ୍ରି ଉପରେ କେନ୍ଦ୍ର ମାଲିକଙ୍କୁ ୨୦ ପ୍ରତିଶତ କମିଶନ ମିଳିଥାଏ ଏବଂ ଉତ୍ତମ ପ୍ରଦର୍ଶନ ତଥା ଅଧିକ ବିକ୍ରି କଲେ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି। ଏହି ଯୋଜନାରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ଆବେଦନକାରୀଙ୍କ ନିମନ୍ତେ ୫,୦୦୦ ଟଙ୍କାର ଅଣ-ଫେରସ୍ତଯୋଗ୍ୟ ଫି’ ନିର୍ଦ୍ଧାରଣ କରାଯାଇଛି।

କିନ୍ତୁ ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗ ତଥା ହିମାଳୟ ଅଞ୍ଚଳ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ଦ୍ୱୀପପୁଞ୍ଜର ବାସିନ୍ଦାମାନଙ୍କ ପାଇଁ ଏହି ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବାରୁ ସେମାନେ ବିନା କୌଣସି ଫି’ରେ ଆବେଦନ କରିପାରିବେ ।

ଆଗ୍ରହୀ ବ୍ୟକ୍ତିମାନେ ସରକାରୀ ୱେବସାଇଟ୍ janaushadhi.gov.in କୁ ଯାଇ ଅନଲାଇନ୍ ଯୋଗେ ସହଜରେ ଆବେଦନ ପ୍ରକ୍ରିୟା ଶେଷ କରିପାରିବେ। ଏଥିପାଇଁ ହୋମ୍ ପେଜ୍‌ରେ ଥିବା ‘ଆପ୍ଲାଏ ଫର୍ କେନ୍ଦ୍ର’ ବିକଳ୍ପରେ କ୍ଲିକ୍ କରି ‘କ୍ଲିକ୍ ହିଅର ଟୁ ଆପ୍ଲାଏ’ ଓ ଶେଷରେ ‘ରଜିଷ୍ଟର୍ ନାଓ’ ଉପରେ ଯାଇ ଖୋଲିଥିବା ଫର୍ମରେ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ, ରାଜ୍ୟ ଏବଂ ଏକ ସୁରକ୍ଷିତ ପାସୱାର୍ଡ ଦେଇ ଫର୍ମଟିକୁ ସବମିଟ୍ କରିବାକୁ ହେବ ।

Leave A Reply

Your email address will not be published.