Latest Odisha News

BREAKING NEWS

ବଡ଼ଗାମ ଏନକାଉଣ୍ଟର: ଭାରତୀୟ ସେନାର ଗୁଳିରେ ନିହତ ହେଲା ପାକିସ୍ତାନୀ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି । ବଡ଼ଗାମ ଜିଲ୍ଲାର ଅଶଦାର ଗଳି ଏବଂ ୟୁସମାର୍ଗ ଅଞ୍ଚଳରେ ଚାଲିଥିବା ‘ଅପରେସନ୍ ଅଶଦାର’ରେ ଜଣେ ନରହନ୍ତା ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । ଜମ୍ମୁ-କାଶ୍ମୀର ପୋଲିସ ଶନିବାର ସ୍ପଷ୍ଟ କରିଛି ଯେ, ନିହତ ଆତଙ୍କବାଦୀର ନାମ ହେଉଛି ୟାସିର, ଯିଏକି ପାକିସ୍ତାନର ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ଜଡିତ ଥିଲା ।

ଗୁଇନ୍ଦା ବିଭାଗରୁ ମିଳିଥିବା ସୁନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଭାରତୀୟ ସେନାର ଚିନାର କର୍ପସ, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ୍ ପକ୍ଷରୁ ମିଳିତ ଭାବେ ଏହି ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଗୁରୁବାର ଏବଂ ଶୁକ୍ରବାର ରାତିରେ ସୁରକ୍ଷା କର୍ମୀମାନେ ଅଶଦାର ଜଙ୍ଗଲ ଅଞ୍ଚଳରେ ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରିଥିଲେ। ଯେତେବେଳେ ସେମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ, ସେତେବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ଏହାର କଡ଼ା ଜବାବ ଦେଇ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା, ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀ ୟାସିରର ମୃତ୍ୟୁ ଘଟିଛି ।

ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିହତ ଆତଙ୍କୀ ନିକଟରୁ ଗୋଟିଏ ଏକେ ରାଇଫଲ ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଉଦ୍ଧାର କରାଯାଇଛି। ୟାସିର ଦୀର୍ଘ ଦିନ ଧରି ଲସ୍କରର ଏକ ଗ୍ରୁପ୍ ସହ ଜଡିତ ଥିଲା ଏବଂ ବଡ଼ଗାମ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଆସୁଥିଲା। ଏହି ସଫଳତା ପରେ ଜମ୍ମୁ-କାଶ୍ମୀର ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଲେଖିଛି, “ତୁମେ ଦୌଡ଼ି ପାରିବ, କିନ୍ତୁ ଲୁଚି ପାରିବ ନାହିଁ! ‘ଅପରେସନ୍ ଅଶଦାର’ରେ ନିହତ ଆତଙ୍କବାଦୀ ପାକିସ୍ତାନର ୟାସିର ବୋଲି ଚିହ୍ନଟ ହୋଇଛି ।”

ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ତଲାସୀ ଅଭିଯାନରେ ସାମାନ୍ୟ ବାଧା ଉପୁଜୁଛି, ତଥାପି ସୁରକ୍ଷା କର୍ମୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଅଞ୍ଚଳକୁ ଟିକନିଖି ଯାଞ୍ଚ କରୁଛନ୍ତି । ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସମ୍ପୂର୍ଣ୍ଣ ଜଙ୍ଗଲକୁ ଘେରାବନ୍ଦୀ କରାଯାଇଛି ।

ସୁରକ୍ଷା ଅଧିକାରୀମାନେ ଏବେ ୟାସିରର ସ୍ଥାନୀୟ ନେଟୱର୍କ ଏବଂ ଭବିଷ୍ୟତର ଷଡ଼ଯନ୍ତ୍ର ବିଷୟରେ ଖୋଳତାଡ଼ ଆରମ୍ଭ କରିଛନ୍ତି । ତାଙ୍କୁ କେଉଁ ସ୍ଥାନୀୟ ଲୋକମାନେ ସାହାଯ୍ୟ କରୁଥିଲେ କିମ୍ବା ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ, ତାହାର ପର୍ଦ୍ଦାଫାଶ କରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।

Leave A Reply

Your email address will not be published.