Latest Odisha News

BREAKING NEWS

ଭୁବନେଶ୍ୱର ଜଳବନ୍ଦୀ ସମସ୍ୟାର ଦୃଷ୍ଟି ଆକର୍ଷଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ବର୍ଷା ଦିନରେ ସ୍ମାର୍ଟସିଟିର ଜଳବନ୍ଦୀ ଓ ଜଳ ନିଷ୍କାସନ ସସସ୍ୟା ସମାଧାନ ସମ୍ପର୍କୀତ ଏକ ପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ।

ଏହି ପତ୍ରରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ, ଆବଶ୍ୟକୀୟ ଡ୍ରେନେଜ ଅଭାବରୁ ଲଗାତର କିଛିବର୍ଷ ଧରି ସ୍ମାର୍ଟସିଟିରେ ବର୍ଷା ସମୟରେ ଅଯଥା ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏହି ସମସ୍ୟାର ସମାଧାନ ଲାଗି ରାଜଧାନୀର ଅନେକ ସିଭିଲ୍ ସୋସାଇଟି ସଂଗଠନ ଏବଂ ୱେଲଫେୟାର୍ ଆସୋସିଏସନ ଗୁଡ଼ିକ ଅନେକ ଦିନ ଦାବି କରିଆସୁଛନ୍ତି । “ଏହି ସମସ୍ୟା ସମ୍ପର୍କରେ ତଥା ସହରାଞ୍ଚଳ ବିକାଶ ସମ୍ପର୍କରେ ଜାନୁଆରୀ ୧୭ରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଓଡ଼ିଶା ଗସ୍ତ ସମୟରେ ଆଲୋଚିତ ହୋଇଛି,” ବୋଲି ସେ ପତ୍ରରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଏ ସମ୍ପର୍କୀତ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଏହି ସମସ୍ୟା ଲାଗି ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବା ଅପରିହାର୍ଯ୍ୟ ହୋଇପଡ଼ିଛି । “ଏନେଇ ମେଁହାର୍ଡ଼ଟ ସିଙ୍ଗାପୁର ଦ୍ୱାରା ଏକ ଯୋଜନା ୨୦୦୮ରେ ପ୍ରସ୍ତୁତ ହୋଇଥିଲା । ଏହି ଯୋଜନା ଲାଗି ଭୂମି ଅଧିଗ୍ରହଣ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନହେବା ଯୋଗୁଁ ଯୋଜନାଟି ଅଗ୍ରସର ହୋଇପାରୁନାହିଁ । ଏହି ଯୋଜନାନୁଯାୟୀ ଦୁଇଟି ପର୍ଯ୍ୟାୟରେ ପ୍ରାକୃତିକ ନାଳ ଖନନର ଆବଶ୍ୟକତା ରହିଛି । ସହରାଞ୍ଚଳରେ ରହିଥିବା ସମସ୍ତ ଆଭ୍ୟନ୍ତରୀଣ ଡ୍ରେନଗୁଡ଼ିକ ଏହି ବଡ଼ ଡ୍ରେନ ସହିତ ସଂଯୋଗ ହୋଇପାରିଲେ କୃତ୍ରିମ ବନ୍ୟା ଜଳ ସହଜରେ ଏବଂ କମ୍ ସମୟ ମଧ୍ୟରେ ନିଷ୍କାସିତ ହୋଇପାରିବ, ” ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି ।

ଏହି ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ସରକାରୀ ଜମିଗୁଡ଼ିକୁ ଯେଉଁସ୍ଥାନମାନଙ୍କରେ ଜବର ଦଖଲ କରାଯାଇଥିବାରୁ ଡ୍ରେନ ଅବରୋଧ ହେଉଛି । ଏହି ଅବରୋଧକୁ ରୋକାଗଲେ ଖନନ ହେବାକୁ ଥିବା ପ୍ରାକୃତିକ ନାଳକୁ ସହର ମଧ୍ୟରେ ଥିବା ସମସ୍ତ ଡ୍ରେନଗୁଡ଼ିକର ଜଳ ନିଷ୍କାସିତ ହେବାରେ ସାହାଯ୍ୟ କରିବ ।

ଏନେଇ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ପକ୍ଷରୁ ୩୭ଟି ପଏଣ୍ଟ ସ୍ଥାପନ ଲାଗି ପ୍ରସ୍ତାବ ଦିଆଯାଇଥିଲା । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଡ୍ରେନେଜ୍ ଲାଗି ୧୧୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ସହରାଞ୍ଚଳର ସାଧାରଣ ଜନତା ଟିକସ ଦେଇ ଚାଲିଥିବା ବେଳେ ସେମାନଙ୍କର ପଇସା ଏହିପରି କାର୍ଯ୍ୟରେ ଉପଯୋଗ ନହେବା ନେଇ ମଧ୍ୟ ପତ୍ର ମାଧ୍ୟମରେ ସାଂସଦ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ଏହି ୧୧୦ କୋଟି ଟଙ୍କାର ସଠିକ୍ ବିନିଯୋଗ ହୋଇ ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବର୍ଷ ବର୍ଷ ଧରି ରାଜଧାନୀ ବାସିନ୍ଦା ଏହି କୃତ୍ରିମ ବନ୍ୟା ବିତ୍ପାତରେ କାଳାତିପାତ କରୁଥିବା ବେଳେ ତୁରନ୍ତ ଏହି ଜନହିତକର କାର୍ଯ୍ୟ ଆରମ୍ଭ କରାଯିବାକୁ ସାଂସଦ ପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ସାଂସଦ ଏନେଇ ନିଜ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପତ୍ରରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.