ନୂଆଦିଲ୍ଲୀ: ଇତିହାସ ରଚିବ ଭାରତ!
ଗଢ଼ୁଛି ନିଜର ‘ସୂର୍ଯ୍ୟ’!
ଗୁଜରାଟରେ ଚାଲିଛି ଏମିତି ପରୀକ୍ଷା…ଯାହା ବଦଳାଇପାରେ ଭବିଷ୍ୟତର ବିଦ୍ୟୁତ୍ ଉତ୍ପାଦନ!
ନିଜର ସୂର୍ଯ୍ୟ ତିଆରି କରିବା ଦିଗରେ ଭାରତର ବଡ଼ ପଦକ୍ଷେପ। ଗୁଜରାଟରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚର SST-1 ଟୋକାମାକ୍ରେ ନୂଆ ୮୨.୬ GHz, ୪୦୦ kW କ୍ଷମତାର ଗାଇରୋଟ୍ରନ୍ ସ୍ଥାପନ ଓ କମିଶନ୍ କରାଯାଇଛି। ଏହି ଅପଗ୍ରେଡ୍ ଭାରତର ନ୍ୟୁକ୍ଲିୟର ଫ୍ୟୁଜନ୍ ଗବେଷଣାକୁ ଆହୁରି ମଜବୁତ କରିବ। ସହଜ ଭାଷାରେ କହିଲେ, ଏହି ଯନ୍ତ୍ରଟି ଅତ୍ୟଧିକ ଗରମ ଗ୍ୟାସ୍କୁ ଆହୁରି ଗରମ ଏବଂ ଅଧିକ ସମୟ ଧରି ନିୟନ୍ତ୍ରଣରେ ରଖିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ।
SST-1 ଅର୍ଥାତ୍ ସ୍ଥିର ଅବସ୍ଥାର ସୁପରକଣ୍ଡକ୍ଟିଂ ଟୋକାମାକ୍(Steady State Superconducting Tokamak) ହେଉଛି ଭାରତର ଏକ ପରୀକ୍ଷାମୂଳକ ଫ୍ୟୁଜନ୍ ମେସିନ୍। ଏହାର ଲକ୍ଷ୍ୟ ହେଉଛି ସୂର୍ଯ୍ୟ ଓ ତାରାମାନଙ୍କ ଭିତରେ ଘଟୁଥିବା ନ୍ୟୁକ୍ଲିୟର ଫ୍ୟୁଜନ୍ ପ୍ରକ୍ରିୟାକୁ ପୃଥିବୀରେ ନିୟନ୍ତ୍ରିତ ଭାବେ ଅଧ୍ୟୟନ କରିବା। ସୂର୍ଯ୍ୟରେ ହାଇଡ୍ରୋଜେନ୍ ଭଳି ହାଲୁକା ପରମାଣୁ ଅତ୍ୟଧିକ ତାପମାତ୍ରାରେ ମିଶି ଶକ୍ତି ସୃଷ୍ଟି କରନ୍ତି। ଏହି ପ୍ରକ୍ରିୟାକୁ କୁହାଯାଏ ନ୍ୟୁକ୍ଲିୟର ଫ୍ୟୁଜନ୍। ବୈଜ୍ଞାନିକମାନେ ଚାହୁଁଛନ୍ତି, ସେହି ପ୍ରକ୍ରିୟାକୁ ପୃଥିବୀରେ ନିୟନ୍ତ୍ରିତ ଭାବେ କରି ଭବିଷ୍ୟତରେ ବିପୁଳ ପରିମାଣର ଶକ୍ତି ଉତ୍ପାଦନ କରାଯାଉ। ଏହା ଭାରତର ‘କୃତ୍ରିମ ସୂର୍ଯ୍ୟ’ ଭଳି କାମ କରିବ ।
ଏହି ପରୀକ୍ଷାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ପ୍ଲାଜ୍ମାକୁ ଅତ୍ୟଧିକ ଗରମ କରି ଦୀର୍ଘ ସମୟ ଧରି ସ୍ଥିର ରଖିବା। ଭାରତୀୟ ଫ୍ୟୁଜନ୍ ପରୀକ୍ଷଣରେ ପ୍ଲାଜ୍ମାର ତାପମାତ୍ରା ୨୦ କୋଟି ଡିଗ୍ରୀ ସେଲସିୟସ୍ରୁ ଅଧିକ ହୋଇସାରିଛି, ଯାହା ସୂର୍ଯ୍ୟର କୋର୍ ତାପମାତ୍ରାଠାରୁ ପ୍ରାୟ ୨୦ ଗୁଣ ଅଧିକ। କିନ୍ତୁ ଏତେ ଗରମ ପ୍ଲାଜ୍ମାକୁ ନିୟନ୍ତ୍ରଣ କରିବା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ସୂର୍ଯ୍ୟରେ ମାଧ୍ୟାକର୍ଷଣ ଶକ୍ତି ପ୍ଲାଜ୍ମାକୁ ଧରି ରଖେ। ପୃଥିବୀରେ କିନ୍ତୁ ବୈଜ୍ଞାନିକମାନେ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ରର ସାହାଯ୍ୟ ନିଅନ୍ତି।
ତେବେ ଏଠି ସାହାଯ୍ୟ କରିବ ଗାଇରୋଟ୍ରନ୍ । ନୂଆ ଗାଇରୋଟ୍ରନ୍ ପୂର୍ବର ୪୨ GHz ସିଷ୍ଟମ୍ଠାରୁ ଅଧିକ କ୍ଷମତାଶାଳୀ। ଏହା ହାଇ-ଫ୍ରିକ୍ୱେନ୍ସି ମାଇକ୍ରୋୱେଭ୍ ଏନର୍ଜି ଉତ୍ପାଦନ କରି ପ୍ଲାଜ୍ମାକୁ ଅଧିକ ସମୟ ଧରି ଗରମ ଓ ସ୍ଥିର ରଖିବା ଉପରେ ଗବେଷଣାକୁ ଆହୁରି ସହଜ କରିବ।
ତେବେ ଏହି ପ୍ରକ୍ରିୟା ଏବେ ମଧ୍ୟ ଗବେଷଣା ପର୍ଯ୍ୟାୟରେ ଅଛି । କିନ୍ତୁ ଯଦି ଫ୍ୟୁଜନ୍କୁ ନିୟନ୍ତ୍ରଣ କରି ନିରନ୍ତର ଶକ୍ତି ଉତ୍ପାଦନ କରିବା ସମ୍ଭବ ହୁଏ, ତେବେ ଭବିଷ୍ୟତରେ ଶକ୍ତି ଉତ୍ପାଦନର ଚିତ୍ର ବଦଳିପାରେ।

