ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜର ଦମଦାର ପ୍ରଦର୍ଶନ ବଳରେ ବିଶ୍ୱସ୍ତରରେ ଭାରତର ନାମ ରଖିଥିବା ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ୟ୍ୟବଂଶୀଙ୍କୁ ପ୍ରସିଦ୍ଧ ଆମେରିକୀୟ ପତ୍ରିକା ଟାଇମ ତାର ଟାଇମ ୧୦୦ ନେକ୍ସଟ ୨୦୨୬ର (ଟପ୍-୧୦୦ ରାଇଜିଂ ଷ୍ଟାର୍ସ) ତାଲିକାରେ ସାମିଲ କରିଛି । ଏହି ତାଲିକାରେ ସ୍ଥାନ ପାଇବାରେ ବୈଭବ ଏକମାତ୍ର ଭାରତୀୟ ହେବା ସହ ଏସିଆର ସବୁଠାରୁ କମ୍ ବୟସ୍କ ସଦସ୍ୟ ଭାବେ ଐତିହାସିକ ସଫଳତା ହାସଲ କରିଛନ୍ତି । ତାଲିକାରେ ସ୍ଥାନ ପାଇଥିବା ୭ ଜଣ ବିଶ୍ୱସ୍ତରୀୟ ଆଥଲେଟ୍ଙ୍କ ମଧ୍ୟରେ ବୈଭବ ହେଉଛନ୍ତି ଏକମାତ୍ର କ୍ରିକେଟର । ଏହି ତାଲିକାରେ ଆମେରିକୀୟ ଫୁଟବଲର ଆର୍ଚିବାଲ୍ଡ ମ୍ୟାନିଂ, ଏନବିଏ ଖେଳାଳି ଟାଇରିସ୍ ମ୍ୟାକ୍ସି, ଫୁଟବଲର ନାଓମି ଗିରମା, ଟେନିସ୍ ତାରକା ଆଲେକ୍ସଜାଣ୍ଡ୍ରା ଇଲା ପ୍ରଭୃତି ସାମିଲ ଅଛନ୍ତି । ଗତବର୍ଷ (୨୦୨୫) ଭାରତର ଯଶସ୍ୱୀ ଜାଇସ୍ୱାଲ ଏହି ତାଲିକାରେ ଏକମାତ୍ର କ୍ରିକେଟର ଭାବେ ସ୍ଥାନ ପାଇଥିଲେ ।
ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଟି୨୦ ଆନ୍ତର୍ଜାତୀୟ ଡେବ୍ୟୁ କରି ସେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଭାରତର ସବୁଠାରୁ କମ୍ ବୟସ୍କ କ୍ରିକେଟର ହୋଇଥିଲେ । ୨୦୨୪ରେ ବିହାର ପକ୍ଷରୁ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଡେବ୍ୟୁ କରିଥିଲେ । ସେହି ବର୍ଷ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧ କୋଟି ଟଙ୍କାରେ କିଣି ଆଇପିଏଲ ଇତିହାସର ସବୁଠାରୁ କମ୍ ବୟସ୍କ ଖେଳାଳି କରିଥିଲା । ଗୁଜରାଟ ଟାଇଟନ୍ସ ବିପକ୍ଷରେ ମାତ୍ର ୩୫ ବୋଲ୍ରେ ଶତକ ହାସଲ କରି ସେ ଦ୍ରୁତତମ ଆଇପିଏଲ୍ ଶତକର ରେକର୍ଡ କରିଥିଲେ । ଆଇପିଏଲ ୨୦୨୬ ସିଜନ୍ରେ ସେ ୧୬ଟି ମ୍ୟାଚ୍ରୁ ୭୭୬ ରନ୍ କରିବା ସହ ୭୨ଟି ଛକା ମାରି କ୍ରିସ୍ ଗେଲ୍ଙ୍କ ଗୋଟିଏ ସିଜନ୍ର ସର୍ବାଧିକ ଛକା ରେକର୍ଡକୁ ଭାଙ୍ଗିଥିଲେ । ଜୁନରେ କୋଲମ୍ବୋରେ ଶ୍ରୀଲଙ୍କା ଏ ବିପକ୍ଷରେ ଇଣ୍ଡିଆ ଏ ପକ୍ଷରୁ ଖେଳି ମାତ୍ର ୧୧ ବୋଲ୍ରେ ଅର୍ଦ୍ଧଶତକ (୫୦) ହାସଲ କରି ଲିଷ୍ଟ-ଏ କ୍ରିକେଟ୍ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ସେ ଦୁଲୀପ ଟ୍ରଫି ବିଜେତା ଇଷ୍ଟ ଜୋନର ଉପଅଧିନାୟକ ଥିଲେ ଏବଂ ବର୍ତ୍ତମାନ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ୱ କରୁଛନ୍ତି ।

