ChatGPT ‘Sir’: ଇଣ୍ଟରନେଟ୍ ପ୍ରେମରେ ୭୭ ବର୍ଷୀୟ ବୃଦ୍ଧ, ‘ସାର୍’ ବୋଲି କଲେ ସମ୍ବୋଧନ, ମନ କିଣିନେବ AI ସହ ତାଙ୍କ ବାର୍ତ୍ତାଳାପ…
ନୂଆଦିଲ୍ଲୀ: ଆମେ ସାଧାରଣତଃ ଭାବୁ ଇଣ୍ଟରନେଟ୍ ଓ ଟେକ୍ନୋଲୋଜିକୁ ବ୍ୟବହାର କରିବାରେ ଏବଂ ଏହାକୁ ପରିଚାଳନା କରିବାରେ ଯୁବପିଢ଼ି ହିଁ ସବୁଠୁ ଆଗରେ। ହାତରେ ସ୍ମାର୍ଟଫୋନ୍, ଆଖି ଇଣ୍ଟରନେଟ୍ ଉପରେ ଆଉ ନୂଆ ନୂଆ ଆପ୍ ବ୍ୟବହାର କରିବାରେ ଯୁବପିଢ଼ିଙ୍କ ଆଗ୍ରହ ଅଧିକ। କିନ୍ତୁ ଏବେ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କ ଟେକ୍ନୋଲୋଜି ପ୍ରେମ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ChatGPTର ସାହାଯ୍ୟ ନେଇ ନୂଆ ବ୍ୟବସାୟ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ଖାସ୍ କଥା ହେଉଛି, ସେ ChatGPTକୁ ବାରମ୍ବାର ‘ସାର୍’ ବୋଲି ସମ୍ମାନର ସହ କଥା ହେଉଛନ୍ତି।
ଏହି ୭୭ ବର୍ଷୀୟ ବୃଦ୍ଧ ହେଉଛନ୍ତି ହାଇଦ୍ରାବାଦର ଭିବିଆର୍ ପ୍ରସାଦ। ଏକ ଫ୍ଲାଇଟ୍ରେ ଯାତ୍ରା କରୁଥିବା ବେଳେ ସେ ChatGPT ସହାୟତାରେ ଭର୍ଟିକାଲ୍ ଫାର୍ମିଂ ବ୍ୟବସାୟ ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଥିଲେ। ସେ ChatGPTଠାରୁ ଭର୍ଟିକାଲ୍ ଫାର୍ମିଂ ସମ୍ପର୍କରେ ତଥ୍ୟ ନେବା ସହ ନିଜ ବ୍ୟବସାୟ ଆଇଡିଆକୁ ଆହୁରି ଭଲ କରିବା ପାଇଁ ପରାମର୍ଶ ନେଉଥିଲେ। ଏହି ସମୟରେ ତାଙ୍କ ସହଯାତ୍ରୀ ଏହି ଦୃଶ୍ୟର ଫଟୋ ଉଠାଇ ଏକ୍ସରେ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଲେଖିଥିଲେ ଯେ, ଫ୍ଲାଇଟ୍ ଟେକ୍ଅଫ୍ କରିବା ପର୍ଯ୍ୟନ୍ତ ୭୭ ବର୍ଷୀୟ ବୃଦ୍ଧ ChatGPT ସହିତ ଭର୍ଟିକାଲ୍ ଫାର୍ମିଂ ବିଜନେସ୍ ପ୍ଲାନ୍ ତିଆରି କରୁଥିଲେ। ସେ AIକୁ ‘ସାର୍’ ବୋଲି ସମ୍ବୋଧନ କରୁଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। ପ୍ରସାଦଙ୍କ ChatGPT ଚାଟ୍ର ଏକ ସ୍କ୍ରିନ୍ସଟ୍ ମଧ୍ୟ ଶେୟାର୍ କରାଯାଇଥିଲା। ସେଥିରେ ପ୍ରସାଦ ChatGPTକୁ କହିଥିଲେ, “ଓହ୍ ୱଣ୍ଡରଫୁଲ୍ ଗାଇଡାନ୍ସ ସାର୍। ବହୁତ ଧନ୍ୟବାଦ। ମୁଁ ପୁଣି ଆପଣଙ୍କ ପାଖକୁ ଆସିବି ସାର୍।” ତାଙ୍କ ଏହି ଅନନ୍ୟ ଅନ୍ଦାଜ୍ ହିଁ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ସତେ ଯେପରି କୌଣସି ସିଷ୍ଟମ୍ ସହ ନୁହେଁ, ଜଣେ ମଣିଷ ଏବଂ ଶିକ୍ଷକଙ୍କ ସହ କଥା ହେୁଛନ୍ତି ବୃଦ୍ଧ । ତାଙ୍କର ଏହି ସରଳତା ପୂର୍ଣ୍ଣ ବାର୍ତ୍ତାଳାପ ଏବେ ଇଣ୍ଟନେଟର ମନ କିଣୁଛି ।
ତେବେ ପୋଷ୍ଟଟି ଭାଇରାଲ୍ ହେବା ପରେ ୩ ମିଲିୟନ୍ରୁ ଅଧିକ ଭ୍ୟୁଜ୍ ମିଳିଥିବା ଦାବି କରାଯାଇଛି। ଅନେକ ୟୁଜର୍ ପ୍ରସାଦଙ୍କ ସରଳତା ଏବଂ ନୂଆ ଟେକ୍ନୋଲୋଜି ଶିଖିବାର ଆଗ୍ରହକୁ ପ୍ରଶଂସା କରିଛନ୍ତି। କିଛି ଲୋକ ମଜାରେ କହିଛନ୍ତି, AI ସହ ଏତେ ସମ୍ମାନରେ କଥା ହେଉଥିବାରୁ ଭବିଷ୍ୟତରେ AI ତାଙ୍କୁ ନିଶ୍ଚୟ ମନେ ରଖିବ। ଭାଇରାଲ୍ ହେବା ପରେ ଭିବିଆର୍ ପ୍ରସାଦ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଲୋକଙ୍କ ପ୍ରତିକ୍ରିୟା ପଢ଼ି ସେ ଖୁସି ହୋଇଥିବା କହିବା ସହ AIକୁ ନିଜ ଜୀବନକୁ ଭଲ କରିବା ପାଇଁ ବ୍ୟବହାର କରିବା ଆମ ହାତରେ ରହିଛି ବୋଲି କହିଛନ୍ତି।
୭୭ ବର୍ଷ ବୟସରେ ନୂଆ ବ୍ୟବସାୟ ଆଇଡିଆ ଉପରେ କାମ କରିବା ଏବଂ ChatGPT ଭଳି ନୂଆ ଟେକ୍ନୋଲୋଜିକୁ ଆପଣାଇବା, ପରିଣତ ବୟସରେ ଏହି ବୃଦ୍ଧଙ୍କ କାହାଣୀ ଅନେକଙ୍କୁ ଅନେକ ପ୍ରେରଣା ଦେଉଛି । ଅନ୍ୟକୁ ସମ୍ମାନ ଦେବା ଏବଂ ଶିଖିବାର ସମୟର କୌଣସି ପରିସୀମା ନାହିଁ ।

