ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଏହାର ପ୍ରକୋପକୁ ହ୍ରାସ କରିବା ପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଟ୍ରପିକାଲ ମେଟ୍ରୋଲୋଜି (IITM) ସହାୟତାରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପ କମାଇବା ପାଇଁ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ରଣନୀତି ପ୍ରସ୍ତୁତ କରାଯାଉଛି।
ଏନେଇ IITM ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କରିବ ଏମ୍ଓୟୁ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ସୂଚନା। ବଜ୍ରପାତ କ୍ଷୟକ୍ଷତି କମାଇବାକୁ ଆଇଆଇଟିଏମ ଦେବ ଜ୍ଞାନ କୌଶଳ। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନିକଟରେ ଅନେକ ପ୍ରମୁଖ କାର୍ଯ୍ୟ କରାଯାଇଛି। ଯେପରି, ପ୍ରାକୃତିକ ବିପର୍ଯ୍ୟୟର ସଠିକ ଆକଳନ ଏବଂ ପ୍ରସ୍ତୁତି ପାଇଁ OSDMA ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ବାତ୍ୟା ଓ ବନ୍ୟା ପ୍ରବଣ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ଗ୍ରାମ ସ୍ତରରେ ଏବଂ ଅବଶିଷ୍ଟ ୨୦ଟି ଜିଲ୍ଲାର ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ “ଶୂନ୍ୟ ମୃତ୍ୟୁହାର” ଲକ୍ଷ୍ୟକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ମୋବାଇଲ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ସଠିକ୍ ଓ ଆଗୁଆ ସୂଚନା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି।
ସେହପରି ରାଜ୍ୟରେ ଥିବା ୯୧୧ଟି ବିପର୍ଯ୍ୟୟ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ ₹୬ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ବଦଳୁଥିବା ଜଳବାୟୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଗ୍ରୀଷ୍ମପ୍ରବାହ (ଲୂ) ଏବଂ ବଜ୍ରପାତକୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରି ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି।

