ବାଲେଶ୍ୱର: ୧୬ ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଜଣେ ନକଲି ଆରଟିଓର ପର୍ଦ୍ଦାଫାସ୍ କରିଛି ପୋଲିସ। ଦୀର୍ଘଦିନ ହେବ ଏଠାରେ ଚାଲିଥିଲା ନକଲି ଆରଟିଓ ରାକେଟ୍। ଏହି ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସହଯୋଗୀ ଫେରାର ମାରିଛି। ଗିରଫ ଅଭିଯୁକ୍ତ ହେଲେ, ଝାଡ଼ଖଣ୍ଡର ବାରଶୋଲ ଥାନା ଅଞ୍ଚଳର ଶମ୍ଭୁ ସାହୁ।
ସୂଚନା ମୁତାବକ ୧୬ ନଂ ଜାତୀୟ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ବେଆଇନ ଚାନ୍ଦା ଆଦାୟର ଖବର ପାଇ ଜଳେଶ୍ୱର ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ନକଲି ଆରଟିଓ ଗିରଫ ହୋଇଥିବାବେଳେ ଘଟଣାସ୍ଥଳରୁ ସହଯୋଗୀ ଫେରାର ମାରିଥିଲା। ପୋଲିସ ଗିରଫ ଅଭିଯୁକ୍ତ ଠାରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟ ପରିବହନ ବିଭାଗର ନକଲି ଫାଇନ ରସିଦ, ଷ୍ଟାମ୍ପ ପେପର ପ୍ରିଣ୍ଟର, କମ୍ପ୍ୟୁଟର ସହ ବାଇକ ଜବତ କରିଛି।
ଜଳେଶ୍ୱର ପୋଲିସ ୫୮୫/୨୬ ନଂରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗ୍ ପଛରେ ଆଉ କାହାର ହାତ ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।

