ଜାପାନ: ଭାରତର ଯୁବ ରେସଲର ଅମନ ସେହରାୱତ ଏସିଆନ୍ ଗେମ୍ସ ୨୦୨୬ରେ ୫୭ କିଲୋଗ୍ରାମ ଫ୍ରି-ଷ୍ଟାଇଲ କୁସ୍ତି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଫାଇନାଲ ମ୍ୟାଚରେ ଉତ୍ତର କୋରିଆର ବିଶ୍ୱ ଚାମ୍ପିୟନ ହାନ ଚୋଙ୍ଗ ସଙ୍ଗଙ୍କୁ ପରାସ୍ତ କରି ସେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ତେବେ ଏହି ସ୍ୱର୍ଣ୍ଣିମ ସଫଳତା ପଛରେ ରହିଛି ଅମନଙ୍କ ଅସୀମ ତ୍ୟାଗ, ସଂଘର୍ଷ ଓ ଆଖିର ଲୁହ।
ହରିୟାଣାର ଝଜ୍ଜର ଜିଲ୍ଲାର ବିରୋହର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅମନ ମାତ୍ର ୧୦ ବର୍ଷ ବୟସରେ ନିଜ ମା’ଙ୍କୁ ହରାଇଥିଲେ। ଏହି ଦୁଃଖରୁ ସେ ମୁକୁଳି ନଥିବା ବେଳେ, ମାତ୍ର ବର୍ଷକ ପରେ ଗୁରୁତର ଅସୁସ୍ଥତା ଯୋଗୁଁ ତାଙ୍କ ପିତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଅଳ୍ପ ବୟସରେ ପିତାମାତାଙ୍କୁ ହରାଇ ଅମନ ଗଭୀର ମାନସିକ ଆଘାତ ଓ ନିରାଶା ମଧ୍ୟ ଦେଇ ଗତି କରିଥିଲେ। ଏହାପରେ ତାଙ୍କର ଦାଦା ଏବଂ ମାମୁଁ ତାଙ୍କର ଦେଖାଚାହା କରିଥିଲେ।
୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସୁଶୀଲ କୁମାରଙ୍କ ରୌପ୍ୟ ପଦକ ବିଜୟରୁ ପ୍ରେରଣା ପାଇ ଅମନ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। କୋଚ୍ଙ୍କ ମାର୍ଗଦର୍ଶନ, ନିରବଚ୍ଛିନ୍ନ ସାଧନା ଓ କଠିନ ପରିଶ୍ରମ ବଳରେ ସେ ଜଣେ ଶ୍ରେଷ୍ଠ କୁସ୍ତି ଯୋଦ୍ଧା ଭାବେ ନିଜକୁ ଗଢ଼ିତୋଳିଥିଲେ। ଏହା ପୂର୍ବରୁ ସେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତର ସବୁଠାରୁ କମ୍ ବୟସ୍କ ଅଲିମ୍ପିକ ପଦକବିଜେତା ହେବାର ଗୌରବ ମଧ୍ୟ ଅର୍ଜନ କରିସାରିଛନ୍ତି।
ଅମନ କୁହନ୍ତି, “ମୋ ବାପା-ମା’ଙ୍କ ସ୍ୱପ୍ନ ଥିଲା ମୁଁ ଜଣେ ବଡ଼ କୁସ୍ତି ଯୋଧା ହୁଏ। ଆଜି ସେମାନେ ମୋ ସହ ନାହାନ୍ତି ସତ, କିନ୍ତୁ ସେମାନଙ୍କ ଆଶୀର୍ବାଦ ଓ ପ୍ରେରଣା ମୋ ସାଙ୍ଗରେ ସଦାବେଳେ ଅଛି।” ଜୀବନର ଅନେକ ଦୁଃଖ, ଦ୍ରୋହ ଓ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଅମନଙ୍କ ଏହି ସ୍ୱର୍ଣ୍ଣିମ ଅଭିଯାନ ଆଜି ସମଗ୍ର ଦେଶ ଓ ଯୁବପିଢ଼ି ପାଇଁ ଏକ ମହାନ ପ୍ରେରଣାର ଉତ୍ସ ପାଲଟିଛି।

