Latest Odisha News

BREAKING NEWS

ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ଆଜି ମୁଳାଷ୍ଟମୀ ଅବସରରେ ଷୋଳପୂଜା (ଷୋଡଶ ପୂଜା)ର ବିଧି ଆରମ୍ଭ ହୋଇଛି ଗଜପତିଙ୍କ ଶ୍ରୀନଅରରୁ। ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟବରଣ କାର୍ଯ୍ୟ କରାଯାଇଛି।

ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ଶ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡ଼ାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି। ଏହି ଆଚାର୍ଯ୍ୟ ମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା କରିବେ। ତେବେ ଆଶ୍ବିନ ମାସ କୃଷ୍ଣପକ୍ଷ ଅର୍ଥାତ୍ ଆଜିଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନା କରାଯିବ।

ସେପଟେ ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି ଏହି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ମା ଭୂବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତିପୀଠ ଯଥା ଦକ୍ଷିଣକାଳୀ,ମା ଚର୍ଚ୍ଚିକା, ମରିଚେଇ ଠାକୁରାଣୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି। ସେପଟେ ଶାରଦୀୟ ଦୁର୍ଗାପୂଜା ଅବସରରେ ସର୍ବତ୍ର ମାଆ ଦୁର୍ଗାଙ୍କ ପୂଜା ଚାଲୁଥିବା ଵେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ତେବେ ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୂପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯିବ।

Leave A Reply

Your email address will not be published.