Latest Odisha News

BREAKING NEWS

Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ:ମଧ୍ୟ-ପୂର୍ବରେ ଉତ୍ତେଜନା ଏବେ ମଧ୍ୟ ଜାରି ରହିଛି। ଏଥି ମଧ୍ୟରେ ଶୁକ୍ରବାର ଦିନ ହର୍ମୁଜ ପ୍ରଣାଳୀ((Strait of Hormuz)ରେ କୁୱେତର ପତାକା ବହନ କରୁଥିବା ଏକ ତେଲ ବାହୀ ଜାହାଜ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହି ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଓମାନସ୍ଥିତ ଭାରତୀୟ ଦୂତାବାସ ଶନିବାର ଦିନ ଏହି ସୂଚନା ପ୍ରଦାନ କରିଛି। ଓମାନର କର୍ତ୍ତୃପକ୍ଷଙ୍କ ସହାୟତାରେ ଦୂତାବାସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପରିଚାଳନା କରାଯାଇଥିଲା ଏବଂ ଏହା ପରେ ସମସ୍ତ ପାଞ୍ଚ ଜଣ ଭାରତୀୟ ନାବିକଙ୍କୁ ଜାହାଜରୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା।

ଭାରତୀୟ ଦୂତାବାସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ଜଣାଇଛି ଯେ, ‘MT Kajimah III’ ନାମକ ତେଲ ବୋଝେଇ ଜାହାଜଟି ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏହା ଉପରେ ଏକ କ୍ଷେପଣାସ୍ତ୍ର (projectile) ମାଡ଼ ହୋଇଥିଲା। ଦୂତାବାସ ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ଓମାନର କର୍ତ୍ତୃପକ୍ଷ ଏହି ପ୍ରୟାସରେ ସହଯୋଗ କରିଥିଲେ ଏବଂ ଦୂତାବାସ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛି।

ଦୂତାବାସ ପକ୍ଷରୁ ଜାହାଜ ଉପରେ କିଏ ଆକ୍ରମଣ କରିଥିଲା, ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରାଯାଇନାହିଁ। ଏହି ଟ୍ୟାଙ୍କରଟି ଅଶୋଧିତ ତେଲ ପରିବହନ କରୁଥିଲା ଏବଂ ପଶ୍ଚିମ ଆଫ୍ରିକୀୟ ଦେଶ ଟୋଗୋର ଲୋମେ (Lomé) ସହର ଅଭିମୁଖେ ଯାତ୍ରା କରୁଥିଲା।

ସୂଚନାଥାଉକି, ଫେବୃଆରୀ ମାସରୁ ହର୍ମୁଜ ପ୍ରଣାଳୀ (Strait of Hormuz) ରେ ହୋଇଥିବା ଆକ୍ରମଣ ଯୋଗୁଁ ୧୦୦ରୁ ଅଧିକ ଭାରତୀୟ ନାବିକ ପ୍ରଭାବିତ ହୋଇଛନ୍ତି; ଏହି ଘଟଣାଗୁଡ଼ିକରେ ୧୧ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଚଳିତ ସପ୍ତାହ ଆରମ୍ଭରେ କହିଥିଲେ ଯେ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକରେ ୪,୫୦୦ରୁ ଅଧିକ ଭାରତୀୟ ନାବିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬୩ ଜଣ ଭାରତୀୟ ନାବିକ ୧୨ଟି କାର୍ଗୋ ଜାହାଜରେ ନିୟୋଜିତ ଅଛନ୍ତି । ଯେଉଁଥିରେ ଛଅଟି ଭାରତୀୟ ପତାକାବାହୀ ଏବଂ ଛଅଟି ବିଦେଶୀ ପତାକାବାହୀ ଜାହାଜ ଅନ୍ତର୍ଭୁକ୍ତଏବଂ ଏହି ସମସ୍ତ ଜାହାଜ ଭାରତକୁ ସାମଗ୍ରୀ ପରିବହନ କରୁଛନ୍ତି।

ଜୈସୱାଲ କହିଛନ୍ତି ଯେ, Ministry of Shipping ଏହି ଜାହାଜଗୁଡ଼ିକର ଗତିବିଧି ଏବଂ ସେଥିରେ କାର୍ଯ୍ୟରତ ନାବିକମାନଙ୍କ ସୁରକ୍ଷା ଉପରେ ନଜର ରଖିଛି । ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରୁଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ବିଦେଶରେ କାର୍ଯ୍ୟରତ ଭାରତୀୟ ନାବିକମାନଙ୍କ ସୁରକ୍ଷା ଓ କଲ୍ୟାଣ ଭାରତ ପାଇଁ ଏକ ପ୍ରାଥମିକତା ଅଟେ। ଆବଶ୍ୟକ ହେଲେ ଭାରତୀୟ ଦୂତାବାସ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ସହାୟତା ଯୋଗାଇଦେବେ। ଯଦି ଆବଶ୍ୟକତା ପଡ଼େ ତେବେ ନାବିକମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ କ୍ରମାଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛି।

Leave A Reply

Your email address will not be published.