Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
ଭୁବନେଶ୍ୱର:କୃଷି ଶିକ୍ଷାକୁ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅନନ୍ୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ ହୋଇଛି। ଓୟୁଏଟି (OUAT)ର କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି।
୨୦୨୩ ମସିହାରୁ ସଫଳତାର ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ବ୍ୟାପକ ଭାବେ କାର୍ଯ୍ୟକାରୀ ହେଉଛି। ଖରିଫ ଫସଲ ସମୟରେ ରୋଗ-ପୋକ ସର୍ବେକ୍ଷଣ (e-Pest Surveillance) ଏବଂ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ ଅକ୍ଟୋବରରୁ ଡିସେମ୍ବର—ଏହି ତିନି ମାସ ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟର କୃଷି ଓ ଉଦ୍ୟାନ କୃଷି ଶାଖାର ଶେଷ ବର୍ଷର ୯୬୪ ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କୁ “ସହଯୋଗୀ” (Associates) ଭାବେ ମନୋନୀତ କରାଯାଇଛି। ପ୍ରତ୍ୟେକ ବ୍ଲକରେ ପ୍ରାୟ ୨ ରୁ ୩ ଜଣ ଛାତ୍ର ସହଯୋଗୀ କାର୍ଯ୍ୟ କରିବେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ରାଜ୍ୟରେ କୃଷିର ବିକାଶ କରିବା ସହ ଏକ ମଜବୁତ କୃଷି ସମ୍ପ୍ରସାରଣ ବ୍ୟବସ୍ଥା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଛାତ୍ରଛାତ୍ରୀ ଅନୁଭୂତିରୁ ବହୁତ କିଛି ଶିଖିବେ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କାମରେ ସାହାଯ୍ୟ କରିବ। ସେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠା, ନମ୍ରତା ଓ ସେବା ମନୋଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ କୃଷି ବିଭାଗ, ବିଶ୍ୱବିଦ୍ୟାଳୟ ଓ କୃଷକ ସମ୍ପ୍ରଦାୟର ମିଳିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଉନ୍ନତ ପ୍ରଦର୍ଶନ କରିଥିବା ୫ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଅନୁଭୂତିକୁ ଲୋକଙ୍କ ସହ ବାଣ୍ଟିବେ ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି।
ସହଯୋଗୀମାନେ ସୋମବାରରୁ ଶୁକ୍ରବାର (ସକାଳ ୧୦ଟାରୁ ସନ୍ଧ୍ୟା ୫ଟା) କ୍ଷେତ୍ରସ୍ତରରେ କାର୍ଯ୍ୟ କରିବେ। ଗ୍ରାମପଞ୍ଚାୟତ ସ୍ତରୀୟ ସମ୍ପ୍ରସାରଣ କର୍ମଚାରୀଙ୍କ ସହଯୋଗରେ e-Pest ଏବଂ NPSS ମାଧ୍ୟମରେ ରୋଗ-ପୋକ ନିରୀକ୍ଷଣ କରାଯିବ। ପ୍ରତ୍ୟେକ ଛାତ୍ର ୧୦୦ ଜଣ କୃଷକଙ୍କ ଗୁଣାତ୍ମକ ସର୍ବେକ୍ଷଣ (Qualitative Survey) କରିବେ ଏବଂ ଅର୍ଦ୍ଧ-ଭୌତିକ ପଦ୍ଧତିରେ ୫ଟି ଫସଲ ଅମଳ ପରୀକ୍ଷଣ (Crop Cutting Experiments) ସମ୍ପାଦନ କରିବେ। ଛାତ୍ରଛାତ୍ରୀମାନେ କୃଷି ସାମଗ୍ରୀ ବିକ୍ରେତା (Input Dealers), ଗୋଟିଏ FPO, ଦୁଇଟି SHG ଏବଂ ଦୁଇଟି PACS/LAMPS ପରିଦର୍ଶନ କରି ଚାଷୀଙ୍କୁ ସରକାରୀ ଯୋଜନା ଓ କୃଷି ଆପ୍ଲିକେସନ୍ ବିଷୟରେ ସଚେତନ କରାଇବେ। କୃଷକମାନଙ୍କ ସମସ୍ୟା, ସଫଳତାର କାହାଣୀ ଓ ପ୍ରତିକ୍ରିୟା ସଂଗ୍ରହ କରି କୃଷି ଶିକ୍ଷା, ସମ୍ପ୍ରସାରଣ ସେବା ଓ ଚାଷୀଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରାଯିବ।
ସହଯୋଗୀମାନଙ୍କ ପ୍ରଦର୍ଶନ KUS App ଏବଂ ADAPT Dashboard ମାଧ୍ୟମରେ ଡିଜିଟାଲ୍ ରୂପେ ଅନୁଧ୍ୟାନ କରାଯିବ। ସମ୍ପୃକ୍ତ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ସାପ୍ତାହିକ ଭାବେ ଏହାର ସମୀକ୍ଷା କରିବେ। ତିନି ମାସର ଇଣ୍ଟର୍ନସିପ୍ ସଫଳତାର ସହ ଶେଷ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ₹୨୧,୦୦୦ ଟଙ୍କାର ଷ୍ଟାଇପେଣ୍ଡ/ପ୍ରୋତ୍ସାହନ ରାଶି ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ତରଫରୁ ସମାପ୍ତି ପ୍ରମାଣପତ୍ର ପ୍ରଦାନ କରାଯିବ।

