ଫୁଲବାଣୀ: ଏକ ଭଡାଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଥିଲା । ଏହି ଘଟଣାର ପର୍ଦ୍ଦାଫାସ କରିଛି ଟାଉନ ପୋଲିସ । ଜମି ବିବାଦକୁ ନେଇ ତାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରେ ଜଣାପଡିଛି। ମୃତକ ହେଲେ ଅଶୋକ ସାହୁ । ମୃତକଙ୍କ ଭାଇ ଅରୁଣ କୁମାର ସାହୁଙ୍କୁ ଗିରଫ କରାଯାଇଛି ।
ପୋଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରିଛି ।
ସୂଚନାଥାଉକି,ଶୁକ୍ରବାର ଟାଉନ ଥାନା ଅଧୀନ ପ୍ରଗତି ମାର୍ଗ ଅଞ୍ଚଳର ଏକ ଭଡ଼ା ଘରୁ ଅଶୋକ ସାହୁଙ୍କ ମୃତଦେହ ମିଳିଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଇଥିଲା। ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତରୁ ଜଣାପଡିଥିଲା ଯେ, ମୃତକ ଅଶୋକ ଓ ଅଭିଯୁକ୍ତ ଅରୁଣଙ୍କ ମଧ୍ୟରେ ଫୁଲବାଣୀ ଢିପାସାହି ନିକଟରେ ମୃତ ପିତା ଭାସ୍କର ସାହୁଙ୍କ ନାମରେ ଥିବା ଏକ ଜମି ବିକ୍ରିକୁ ନେଇ ବିବାଦ ରହିଥିଲା। ଗତ ୨୬ ତାରିଖ ରାତି ପ୍ରାୟ ୧୦ଟାରେ ଅଶୋକ ମଦ୍ୟପାନ କରି ଘରକୁ ଆସିଥିଲେ। ଜମିର ନିଜ ଭାଗ ବିକ୍ରି କରି ଟଙ୍କା ପାଇବାକୁ ସେ ଦାବି କରିବାରୁ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଏକ କାଠ ଫାଳିଆରେ ଅଶୋକଙ୍କ ମୁଣ୍ଡକୁ ଆଘାତ କରିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଥିଲେ ।


Comments are closed.