ଭୁବନେଶ୍ୱର: କୋଟିଆ ସୀମାନ୍ତ ବିବାଦ ଓ ସେଠାରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ହୋଇଥିବା ଏହି ବୈଠକ ଶେଷ ହେବା ପରେ ମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଏହି ବୈଠକରେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସପି, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସହ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ। ଆନ୍ଧ୍ର ଯେଉଁ ନୂଆ ହଟ୍ଟଚମଟ ପ୍ରସ୍ତୁତ କରିଛି ସେନେଇ କାଉଣ୍ଟର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବମନ୍ତ୍ରୀ କହିଛନ୍ତି।
ବୈଠକ ପରେ ଜିଲ୍ଲାପାଳ ଓ ଏସପିଙ୍କ ଉପରେ ଦାୟିତ୍ୱ ଦିଆଯାଇଛି। କୋଟିଆ ଉପରେ ଏବେ କୋରାପୁଟ ଜିଲ୍ଲାପାଳ ଏବଂ ଏସପି (SP) ନିୟମିତ ଓ ତୀକ୍ଷ୍ଣ ନଜର ରଖିବେ। ତୃଣମୂଳ ସ୍ତରରେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପ୍ରଶାସନର କାର୍ଯ୍ୟକଳାପ ଏବଂ ଗତିବିଧି ଉପରେ ଜିଲ୍ଲା ପ୍ରଶାସନ ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଜିଲ୍ଲାପାଳ ଏବଂ ଏସପିଙ୍କ ତରଫରୁ ମିଳିବାକୁ ଥିବା ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଓଡ଼ିଶା ସରକାର ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ସେହିପରି ମନ୍ତ୍ରୀ କହିଛନ୍ତି ୨୦୨୨ ଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ।
ମନ୍ତ୍ରୀ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, “ଓଡ଼ିଶା ହେଉଛି କୋଟିଆର ମା’ ଏବଂ ଆନ୍ଧ୍ରପ୍ରଦେଶ ଏକ ମାଉସୀ ଭଳି ରହିବା ଉଚିତ” । କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେଠାରେ ଆନ୍ଧ୍ରର କୌଣସି ପ୍ରକାର ଅନୁପ୍ରବେଶ ବା ନିର୍ବାଚନୀ ଚାଲ୍କୁ ବରଦାସ୍ତ କରାଯିବ ନାହିଁ । ଆଇନଗତ ଭାବେ ଏହାର ଦୃଢ଼ ମୁକାବିଲା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହି ବୈଠକରେ ଗୃହ ସଚିବ, ରାଜସ୍ୱ ସଚିବ, ଆଡଭୋକେଟ ଜେନେରାଲ (AG), ଦକ୍ଷିଣାଞ୍ଚଳ ଆରଡିସି (RDC) ଏବଂ କୋରାପୁଟ ଜିଲ୍ଲାପାଳ ପ୍ରମୁଖ ସାମିଲ ହୋଇ ଆନ୍ଧ୍ରର ନିର୍ବାଚନୀ ବିଜ୍ଞପ୍ତି ଉପରେ ରଣନୀତି ପ୍ରସ୍ତୁତ କରିଛନ୍ତି।

