Latest Odisha News

BREAKING NEWS

ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ମହାସଂଘର ପ୍ରଶାସନିକ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ସଭାପତି ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସାଧାରଣ ସମ୍ପାଦକ ପ୍ରମୋଦ କୁମାରଙ୍କ ନେତୃତ୍ୱରେ ଅଧିକାଂଶ ରାଜ୍ୟ ୟୁନିଟ୍ ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି । ବୁଧବାର (୨୮ ଅକ୍ଟୋବର)  ସ୍ୱତନ୍ତ୍ର ସାଧାରଣ ବୈଠକରେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ । ଏହି ଶକ୍ତି ପରୀକ୍ଷା ପୂର୍ବରୁ ଅଜୟ ଏବଂ ପ୍ରମୋଦ କୁମାର ପରସ୍ପରକୁ ନିଲମ୍ବିତ କରିସାରିଛନ୍ତି । ଅଜୟ ସିଂ ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ପ୍ରମୋଦଙ୍କୁ ନିଲମ୍ବିତ କରିଥିବା ବେଳେ, ପ୍ରମୋଦ କୁମାର ସଭାପତି ଅଜୟ ସିଂଙ୍କୁ ମନମୁଖୀ ଓ ଏକଛତ୍ରବାଦୀ ଶାସନ ଅଭିଯୋଗରେ ନିଲମ୍ବିତ କରି ଏହି  ବୈଠକ ଡାକିଛନ୍ତି । ଅନ୍ୟପଟେ ଅଜୟ ଏହି ବୈଠକକୁ ସମ୍ପୂର୍ଣ୍ଣ  ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି ।

ଭାରତୀୟ ବକ୍ସିଂ ମହାସଂଘର ୩୪ଟି ରାଜ୍ୟ ୟୁନିଟ୍ ମଧ୍ୟରୁ ପ୍ରାୟ ୨୭ଟି ୟୁନିଟ୍‌ର ସଦସ୍ୟ ଏବଂ ବରିଷ୍ଠ ଉପ-ସଭାପତି ଲେନି ଡି’ଗାମାଙ୍କ ଭଳି ବରିଷ୍ଠ ଅଫିସିଆଲ୍ ଏହି ବୈଠକ ପାଇଁ ଏକାଠି ହୋଇଛନ୍ତି । ଗତ ୪ ବର୍ଷ ହେବ ଟେକ୍ନିକାଲ ଅଫିସିଆଲଙ୍କୁ ଭତ୍ତା ନ ମିଳିବା, ମହାସଂଘର ନିଜସ୍ୱ କାର‌୍ୟ୍ୟାଳୟ ନ ରହିବା, ଖେଳାଳି ଓ କୋଚଙ୍କ ବିକାଶ ପାଇଁ କୌଣସି ଯୋଜନା ନହେବା ଏବଂ ଆର୍ଥିକ ସଙ୍କଟକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଭାପତିଙ୍କୁ ପଦରୁ ହଟାଇବା ପାଇଁ ସମ୍ବିଧାନ ଅନୁଯାୟୀ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ । ଭାରତୀୟ ଅଲମ୍ପିକ ଆସୋସିଏସନ୍ ଏହି ବୈଠକ ପାଇଁ ନିଜର ଜଣେ ପର‌୍ୟ୍ୟବେକ୍ଷକ ପଠାଇବାକୁ ନିଷ୍ପତ୍ତି ନେଇଛି । କମନୱେଲଥ ଓ ଏସୀୟ କ୍ରୀଡ଼ାରେ ଭାରତୀୟ ବକ୍ସରମାନେ ଭଲ ପ୍ରଦର୍ଶନ କରିଥିଲେ ବି ପ୍ରଶାସନିକ ଟାଣପୋଡ଼ା ଯୋଗୁଁ ଖେଳର ଭବିଷ୍ୟତ ପ୍ରଭାବିତ ହେଉଥିବା ଦର୍ଶାଇ ପ୍ରଖ୍ୟାତ ପୂର୍ବତନ ବକ୍ସର ଓ ଅର୍ଜୁନ ପୁରସ୍କାର ବିଜେତାମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.