Latest Odisha News

BREAKING NEWS

Sheikh Hasina Return: ଡିସେମ୍ବରରେ ଦେଶକୁ ଫେରିବେ ଶେଖ୍ ହସିନା! ପ୍ରତ୍ୟର୍ପଣ ପୂର୍ବରୁ ବାଂଲାଦେଶକୁ ଭାରତର ୨ଟି ସର୍ତ୍ତ…

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହସିନା। ତେବେ ତାଙ୍କ ଫେରିବା ପୂର୍ବରୁ ଭାରତ କିଛି ସର୍ତ୍ତ ରଖିଥିବା ନେଇ ରିପୋର୍ଟରେ ଦାବି କରାଯାଇଛି। ହସିନାଙ୍କ ସୁରକ୍ଷା ଏବଂ ନିରପେକ୍ଷ ନ୍ୟାୟ ପ୍ରକ୍ରିୟା ସୁନିଶ୍ଚିତ କରିବା ଭାରତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

୨୦୨୪ ଅଗଷ୍ଟ ୫ରେ ବାଂଲାଦେଶରେ ହିଂସାତ୍ମକ ପରିସ୍ଥିତି ଏବଂ ଜନଆନ୍ଦୋଳନ ମଧ୍ୟରେ ଶେଖ୍ ହସିନା ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ସେତେବେଳେ ବାଂଲାଦେଶ ସେନାର ଏକ ବିମାନରେ ସେ ଭାରତ ଆସିଥିଲେ। ଏବେ ଦୁଇ ବର୍ଷରୁ ଅଧିକ ସମୟ ପରେ ସେ ପୁଣି ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଏହି ଫେରିବା ଯୋଜନାକୁ ନେଇ ନୂଆଦିଲ୍ଲୀ ସହମତ ଥିବା କୁହାଯାଉଥିଲେ ମଧ୍ୟ, କିଛି ଗୁରୁତ୍ୱପୂର୍ଣ୍ଣ ଗ୍ୟାରେଣ୍ଟି ଚାହୁଁଛି ଭାରତ।

ରିପୋର୍ଟ ଅନୁସାରେ, ଭାରତୀୟ ଅଧିକାରୀମାନେ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଦୁଇଟି ପ୍ରମୁଖ ସର୍ତ୍ତ ରଖିଛନ୍ତି। ପ୍ରଥମ ସର୍ତ୍ତ: ବାଂଲାଦେଶ ସେନା ନେବ ଫେରାଇ ଆଣିବାର ଦାୟିତ୍ୱ । ହସିନାଙ୍କୁ ଭାରତରୁ ବାଂଲାଦେଶ ଫେରାଇ ନେବାରେ ବାଂଲାଦେଶ ସେନାର ସକ୍ରିୟ ଭୂମିକା ରହିବା ଉଚିତ ବୋଲି ଭାରତ ଚାହୁଁଛି। ହସିନା ଯେପରି ୨୦୨୪ରେ ବାଂଲାଦେଶ ସେନାର ବିମାନରେ ଭାରତ ଆସିଥିଲେ, ସେହିପରି ଏଥର ମଧ୍ୟ ସେନା ତାଙ୍କୁ ଫେରାଇ ନେଉ ବୋଲି ଭାରତର ଇଚ୍ଛା। ଏହି ପ୍ରକ୍ରିୟା ଆକାଶପଥ କିମ୍ବା ସ୍ଥଳପଥରେ ହୋଇପାରେ। ବାଂଲାଦେଶ ସେନା ଦିଲ୍ଲୀକୁ ବିମାନ ପଠାଇ ହସିନାଙ୍କୁ ନେଇପାରେ, ନଚେତ୍ ଭାରତ-ବାଂଲାଦେଶ ସୀମାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେନା ତାଙ୍କୁ ଗ୍ରହଣ କରିପାରେ। ଏଥିପାଇଁ ଆବଶ୍ୟକ ଲଜିଷ୍ଟିକ୍ ବ୍ୟବସ୍ଥା କରିବାକୁ ଭାରତ ପ୍ରସ୍ତୁତ ଥିବା ରିପୋର୍ଟରେ ଦାବି କରାଯାଇଛି।

ଦ୍ୱିତୀୟ ସର୍ତ୍ତ: ମୃତ୍ୟୁଦଣ୍ଡ ବିରୋଧରେ ଅପିଲ୍ ଓ ନୂଆ ନିରପେକ୍ଷ ବିଚାର । ଶେଖ୍ ହସିନାଙ୍କୁ ବାଂଲାଦେଶର ଏକ ଅଦାଲତ ମୃତ୍ୟୁଦଣ୍ଡ ଦେଇଛି। ଏହା ସହ ୨୦୨୪ର ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଓ ହତ୍ୟା ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ମାମଲା ରହିଛି। ଏପରି ସ୍ଥିତିରେ ହସିନାଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଅପିଲ୍ କରିବାର ସୁଯୋଗ ଦେବା ସହ ଏକ ନୂଆ ଏବଂ ନିରପେକ୍ଷ ନ୍ୟାୟିକ ପ୍ରକ୍ରିୟା ନିଶ୍ଚିତ କରିବାକୁ ଭାରତ ଚାହୁଁଛି।

ରିପୋର୍ଟ ଅନୁସାରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଜ୍ଞାତ ଅଧିକାରୀ କହିଛନ୍ତି ଯେ ଭାରତ ହସିନାଙ୍କୁ ଜାଣିଶୁଣି ଫାଶୀ ଦିଆଯିବା ପରିସ୍ଥିତିରେ ହସ୍ତାନ୍ତର କରିବାକୁ ଚାହିଁବ ନାହିଁ। ତାଙ୍କୁ ଏକ ନୂଆ ଓ ନିରପେକ୍ଷ ନ୍ୟାୟ ପ୍ରକ୍ରିୟାର ସୁଯୋଗ ମିଳୁ ବୋଲି ଭାରତ ଚାହୁଁଛି। ଏହି ବିଚାର ପ୍ରକ୍ରିୟା ଅନ୍ତର୍ଜାତୀୟ ସମୁଦାୟ ଏବଂ ବିଶ୍ୱ ଗଣମାଧ୍ୟମର ନଜରରେ ହେବା ଉଚିତ ବୋଲି ମଧ୍ୟ ଅଧିକାରୀ ମତ ଦେଇଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ପାଇଁ ଭାରତ ଗତ କିଛି ମାସ ଧରି ବାଂଲାଦେଶ ସହ ପରଦା ପଛରେ ଆଲୋଚନା କରୁଛି। ଏହି ପ୍ରକ୍ରିୟାରେ ଉଭୟ ଦେଶର ସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି। ଅକ୍ଟୋବର ପ୍ରଥମ ସପ୍ତାହରେ ବାଂଲାଦେଶରେ ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀଙ୍କ ଦିଲ୍ଲୀ ଗସ୍ତ ଏବଂ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଧୀରଜ ସେଠଙ୍କ ସହ ସାକ୍ଷାତକୁ ନେଇ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।

ଭାରତୀୟ ସେନାର ସାର୍ବଜନୀନ ସୂଚନା ବିଭାଗ Xରେ ଏକ ପୋଷ୍ଟ ମାଧ୍ୟମରେ କହିଥିଲା ଯେ ଅକ୍ଟୋବର ୬ରେ ଦିନେଶ ତ୍ରିବେଦୀ ଜେନେରାଲ୍ ଧୀରଜ ସେଠଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସହଯୋଗ ଏବଂ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ନଭେମ୍ବର ୯ରେ ଶେଖ୍ ହସିନା ନୂଆ ପାସପୋର୍ଟ ଏବଂ ଯାତ୍ରା ଦଲିଲ ପାଇଁ ଆବେଦନ କରିଥିଲେ। ନିର୍ବାସନ ପରେ ବାଂଲାଦେଶ ସରକାରଙ୍କ ସହ ଏହା ତାଙ୍କର ପ୍ରଥମ ଔପଚାରିକ ସମ୍ପର୍କ ବୋଲି କୁହାଯାଉଛି। କିନ୍ତୁ ଢାକାର ପ୍ରତିକ୍ରିୟା ଉତ୍ସାହଜନକ ନଥିଲା। ବାଂଲାଦେଶର କିଛି ନେତା ଭାରତ ହସିନାଙ୍କୁ ପ୍ରତ୍ୟର୍ପଣ କରୁ ବୋଲି ଦାବି କରିଛନ୍ତି। ପୂର୍ବତନ ଭାରତୀୟ କୂଟନୀତିଜ୍ଞ ବୀଣା ସିକ୍ରି କହିଛନ୍ତି ଯେ ପାସପୋର୍ଟ ଆବେଦନ ନେଇ ବାଂଲାଦେଶ ସରକାରଙ୍କ ଆଭିମୁଖ୍ୟ ଅତ୍ୟଧିକ କଠୋର ଏବଂ ଅଯୁକ୍ତିସଙ୍ଗତ। ବର୍ତ୍ତମାନ ବାଂଲାଦେଶରେ ତାରିକ୍ ରହମାନଙ୍କ ନେତୃତ୍ୱରେ ସରକାର ରହିଛି।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହାୟକ ପ୍ରେସ୍ ସଚିବ କେ.ଏମ୍. ନଜମୁଲ ହକ୍ ଶୁକ୍ରବାର ଫେସବୁକ୍‌ରେ ଏକ ପୋଷ୍ଟ କରି କହିଥିଲେ ଯେ କୌଣସି ଦେଶ ଶେଖ୍ ହସିନାଙ୍କୁ ଆଶ୍ରୟ ଦେବାକୁ ଇଚ୍ଛା ପ୍ରକାଶ କରିନାହିଁ। ବ୍ରିଟେନ୍, UAE, ସାଉଦି ଆରବ, ଫିନଲ୍ୟାଣ୍ଡ, ଆମେରିକା, ବେଲାରୁସ୍ ଏବଂ କତାର ଭଳି ଦେଶର ନାମ ଉଲ୍ଲେଖ କରି ସେ ହସିନାଙ୍କ ପାଇଁ ବିଦେଶରେ ଆଶ୍ରୟ ମିଳିବା କଷ୍ଟକର ବୋଲି ଦାବି କରିଥିଲେ। ତାଙ୍କ ମତରେ, ହସିନା ଏବେ ନିଜ ଦେଶକୁ ଫେରିବାକୁ ଶେଷ ବିକଳ୍ପ ଭାବେ ଦେଖୁଛନ୍ତି।

ରିପୋର୍ଟ ଅନୁସାରେ, ଭାରତର ଉଦ୍ୟମ ସତ୍ତ୍ୱେ ଶେଖ୍ ହସିନାଙ୍କ ଡିସେମ୍ବରରେ ବାଂଲାଦେଶ ଫେରିବା ସମ୍ଭାବନା କମ୍ ରହିଛି। ଭାରତୀୟ ଅଧିକାରୀମାନଙ୍କ ମତରେ, ବାଂଲାଦେଶ ସରକାର ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଥିଲେ ମଧ୍ୟ ବାସ୍ତବରେ ତାଙ୍କ ଫେରିବାକୁ ଚାହୁଁନଥାଇପାରନ୍ତି। ହସିନାଙ୍କ ଫେରିବା ଦ୍ୱାରା ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ସଙ୍କଟ ଆହୁରି ବଢ଼ିପାରେ ବୋଲି ଢାକା ଭାବୁଥିବା ରିପୋର୍ଟରେ ଦାବି କରାଯାଇଛି ।

Leave A Reply

Your email address will not be published.