Latest Odisha News

BREAKING NEWS

ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଶୁଭ୍ରାଂଶୁ ସେନାପତିଙ୍କ ବିସ୍ଫୋରକ ୮୯ ରନ୍ ସତ୍ତ୍ୱେ ହାରିଲା ଓଡ଼ିଶା

କୋଲକାତା: ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଶନିବାର କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଇଥିବା ଏକ ହାଇ-ସ୍କୋରିଂ ମୁକାବିଲାରେ ଗୁଜରାଟ ୨୧ ରନରେ ଓଡ଼ିଶାକୁ ପରାସ୍ତ କରିଛି । ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁ ସେନାପତି ୮୯ ରନର ଦମଦାର ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନାହାନ୍ତି । ଟସ୍ ଜିତି ଓଡ଼ିଶା ଅଧିନାୟକ ସ୍ୱସ୍ତିକ ସାମଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶାର ମଧ୍ୟମ ଗତିର ବୋଲର ଦେବବ୍ରତ ପ୍ରଧାନ (୩/୩୪) ଏବଂ ଲଳିତ ଯାଦବ (୩/୩୬) ପ୍ରାରମ୍ଭିକ ସଫଳତା ଦେଇ ମାତ୍ର ୪ ଓଭର ମଧ୍ୟରେ ଗୁଜରାଟର ୩ଟି ୱିକେଟ୍ ଖସାଇ ସ୍କୋରକୁ ୨୯/୩ରେ ସୀମିତ ରଖିଥିଲେ । ତେବେ ଏହାପରେ ପଦାର୍ପଣ କରିଥିବା ୧୯ ବର୍ଷୀୟ ଖିଲାନ ପଟେଲ ମାତ୍ର ୨୯ଟି ବଲରୁ ୬ଟି ଚୌକା ଓ ୮ଟି ଛକା ସହାୟତାରେ ବିସ୍ଫୋରକ ୮୪ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଉର୍ଭିଲ ପଟେଲ (୩୦ ବଲରୁ ୬୨ ରନ୍)ଙ୍କ ସହ ମିଶି ସେ ୫ ଓଭରରେ ୭୮ ରନ୍ ଯୋଡ଼ିଥିଲେ । ଫଳରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୨୫୦ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ।

୨୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ମାତ୍ର ୩ ଓଭର ମଧ୍ୟରେ ଦୁଇ ଓପନର ସ୍ୱସ୍ତିକ ସାମଲ (୫) ଏବଂ ଗୌରବ ଚୌଧୁରୀ (୬)ଙ୍କ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହାପରେ ଶୁଭ୍ରାଂଶୁ ସେନାପତି ଓ କାର୍ତ୍ତିକ ବିଶ୍ୱାଳ ପାଳି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୧୨୯ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଗଢ଼ି ଓଡ଼ିଶାର ବିଜୟ ଆଶା ଉଜ୍ଜୀବିତ କରିଥିଲେ । ଶୁଭ୍ରାଂଶୁ ମାତ୍ର ୪୭ଟି ବଲରୁ ୬ଟି ଚୌକା ଓ ୭ଟି ଛକା ବଳରେ ୮୯ ରନ୍ କରିଥିବା ବେଳେ କାର୍ତ୍ତିକ ବିଶ୍ୱାଳ ୩୨ଟି ବଲରୁ ୭ଟି ଚୌକା ସହାୟତାରେ ୫୫ ରନ୍ କରିଥିଲେ । ତେବେ ଗୁଜରାଟ ପେସର ଅର୍ଜାନ ନାଗୱାସୱାଲା (୪/୫୦) ଏହି ଯୋଡ଼ିଙ୍କୁ ଆଉଟ୍ କରିବା ପରେ ନିମ୍ନକ୍ରମ ବ୍ୟାଟରମାନେ ଆବଶ୍ୟକ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଶେଷରେ ଓଡ଼ିଶା ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସଂକ୍ଷିପ୍ତ ସ୍କୋର: ଗୁଜରାଟ: ୨୫୦/୯ (୨୦ ଓଭର) – ଖିଲାନ ପଟେଲ ୮୪, ଉର୍ଭିଲ ପଟେଲ ୬୨; ଦେବବ୍ରତ ପ୍ରଧାନ ୩/୩୪, ଲଳିତ ଯାଦବ ୩/୩୬, ସୌମ୍ୟ ରଞ୍ଜନ ଲେଙ୍କା ୨/୬୧। ଓଡ଼ିଶା: ୨୨୯/୮ (୨୦ ଓଭର) – ଶୁଭ୍ରାଂଶୁ ସେନାପତି ୮୯, କାର୍ତ୍ତିକ ବିଶ୍ୱାଳ ୫୫; ଅର୍ଜାନ ନାଗୱାସୱାଲା ୪/୫୦, ରବି ବିଷ୍ଣୋଇ ୨/୩୭ ।

Leave A Reply

Your email address will not be published.