Samantha Welcomes First Child: ମା’ ହେଲେ ସାଉଥ୍ ସୁନ୍ଦରୀ ସମନ୍ଥା! ସ୍ୱାମୀ ରାଜ୍ ନିଦିମୋରୁଙ୍କ ସହ ପୁଅକୁ କଲେ ସ୍ୱାଗତ…
ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଆସିଛି ଖୁସି ଖବର। ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ଓ ତାଙ୍କ ସ୍ୱାମୀ ରାଜ୍ ନିଦିମୋରୁଙ୍କ ଘରକୁ ଆସିଛି ନୂଆ ଅତିଥି। ୩୯ ବର୍ଷ ବୟସରେ ମା’ ହୋଇଛନ୍ତି ସମନ୍ଥା। ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିବା ନେଇ ନିଜେ ସୋସିଆଲ ମିଡିଆରେ ଖୁସି ଖବର ଦେଇଛନ୍ତି। ନିଜ ପୁଅର ନାଁ ମଧ୍ୟ ଘୋଷଣା କରିଛନ୍ତି ଏହି ଷ୍ଟାର୍ ଦମ୍ପତି।
ସମନ୍ଥା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପୁଅ ଜନ୍ମ ହେବାର ସୂଚନା ଦେଇଛନ୍ତି। ତାଙ୍କ ପୋଷ୍ଟ ଅନୁସାରେ, ନଭେମ୍ବର ୧୯ ତାରିଖ ୨୦୨୬ରେ ତାଙ୍କ ପୁଅ ଜନ୍ମ ହୋଇଛି। ଦମ୍ପତି ପୁଅର ନାଁ ‘ଦେବ ନିଦିମୋରୁ’ ରଖିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, “ଆମର ପ୍ରିୟ ପୁଅ ଦେବ ନିଦିମୋରୁ, ୧୯.୧୧.୨୦୨୬।” ଏହା ସହ ଏହି ମୁହୂର୍ତ୍ତକୁ ନିଜ ଜୀବନର ସବୁଠାରୁ ଖୁସିର ସମୟ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।
ସମନ୍ଥା ସେୟାର କରିଥିବା ଫଟୋରେ ସେ ଓ ରାଜ୍ ନିଜ ନବଜାତ ଶିଶୁର କୁନି ହାତକୁ ଧରିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକ ଓ ଶୁଭେଚ୍ଛୁମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁଅର ନାଁ ‘ଦେବ’କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ମିଳୁଛି।
ସୂଚନାଯୋଗ୍ୟ, ସମନ୍ଥାଙ୍କ ପୂର୍ବ ଫିଲ୍ମ ରିଲିଜ୍ ପରେ ତାଙ୍କ ମାତୃତ୍ୱକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଫିଲ୍ମର ନିର୍ଦ୍ଦେଶକ ଶୁଟିଂ ସମୟରେ ସମନ୍ଥାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା କଥା କହିଥିଲେ, ତଥାପି ସେ ଶୁଟିଂ ଶେଷ କରିଥିଲେ। ପରେ ଫିଲ୍ମ ପ୍ରମୋସନ୍ ସମୟରେ ସମନ୍ଥା ନିଜେ ଶୀଘ୍ର ମାଟର୍ନିଟି ବ୍ରେକ୍ ନେବେ ବୋଲି ପ୍ରଶଂସକଙ୍କୁ ଜଣାଇଥିଲେ। ଗର୍ଭାବସ୍ଥାରେ ମଧ୍ୟ ସେ କାମ ଜାରି ରଖିଥିଲେ । କିଛି ଦିନ ତଳେ ସେ ସ୍ୱାମୀ ରାଜ୍ଙ୍କ ସହ ଏକ ପୂଜାରେ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ।
ସମନ୍ଥା ରୁଥ୍ ପ୍ରଭୁ ଓ ରାଜ୍ ନିଦିମୋରୁ ୧ ଡିସେମ୍ବର ୨୦୨୫ରେ ବିବାହ କରିଥିଲେ। ଇଶା ଫାଉଣ୍ଡେସନ୍ର ଲିଙ୍ଗ ଭୈରବୀ ମନ୍ଦିରରେ ଅତି ସରଳ ଓ ପାରମ୍ପରିକ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା। ବିବାହର ପ୍ରାୟ ଏକ ବର୍ଷ ପରେ ଏବେ ତାଙ୍କ ଘରକୁ ପୁଅ ଦେବଙ୍କ ଆଗମନ ହୋଇଛି। ଏହି ଖୁସି ଖବରକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
