ବଲାଙ୍ଗୀର:ଲାଠୋର ବସଷ୍ଟାଣ୍ଡ ନିକଟରୁ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଦଲାଲଙ୍କୁ ଅଟକ ରଖିଛି ପୋଲିସ । ଉଦ୍ଧାର ହୋଇଥିବା ସମସ୍ତ ୧୪ ଜଣ ଶ୍ରମିକ ମଧ୍ୟ ସୁକୁଲିମୁଣ୍ଡି ଗ୍ରାମର ବୋଲି ଜଣାପଡ଼ିଛି ।
ଅଟକ ଦଲାଲମାନେ ହେଲେ ମହାରାଷ୍ଟ୍ରର ଲକ୍ଷ୍ମଣ ସିନ୍ଧେ, ଅଜୟ ଧୋତ୍ରେ ଏବଂ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୁକୁଲିମୁଣ୍ଡି ଗ୍ରାମର ମାନସିଂହ ବରିହା ।
ଅଭିଯୋଗ ଅନୁସାରେ, ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ମହାରାଷ୍ଟ୍ରର ବିଭିନ୍ନ ଇଟାଭାଟିକୁ କାମ କରିବା ପାଇଁ ନିଆଯାଉଥିଲା । ପ୍ରତ୍ୟେକ ଶ୍ରମିକଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆଗୁଆ ଦିଆଯାଇଥିଲା । ତେବେ ଶ୍ରମିକ ଚାଲାଣ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଦଲାଲମାନେ ଦେଖାଇପାରି ନଥିଲେ । ଏନେଇ ଲାଠୋର ଥାନା ପୋଲିସ ଏକ ମାମଲା ରୁଜୁ କରି ୩ ଦଲାଲଙ୍କୁ ଅଟକ ରଖିଛନ୍ତି ଓ ଘଟଣାର ତଦନ୍ତ ଜାରି ରହିଛି ।
