କୋଲକାତା: ଚଳିତ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬-୨୭ର ଏକ ରୋମାଞ୍ଚକର ଏଲିଟ୍ ଗ୍ରୁପ୍ ମ୍ୟାଚ୍ରେ ଓଡ଼ିଶା ଶକ୍ତିଶାଳୀ ମୁମ୍ବାଇଠାରୁ ୨୨ ରନ୍ରେ ପରାସ୍ତ ହୋଇଛି । ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଓଡ଼ିଶା ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଟସ୍ ଜିତି ଓଡ଼ିଶା ଅଧିନାୟକ ସ୍ୱସ୍ତିକ ସାମଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ମୁମ୍ବାଇ ପକ୍ଷରୁ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୨୯ ବଲରେ ୪ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୪୬ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ଓପନର ହାର୍ଦ୍ଦିକ ତାମୋରେ ୩୨ (୨୧ ବଲ୍), ସାଇରାଜ ପାଟିଲ ଦ୍ରୁତ ୨୬ (୧୩ ବଲ୍) ଏବଂ ମୁଶୀର ଖାନ ୨୨ ରନ୍ (୧୮ ବଲ୍) ଯୋଗଦାନ ଦେଇ ଦଳୀୟ ସ୍କୋରକୁ ୧୮୧ରେ ପହଞ୍ଚାଇଥିଲେ । ଓଡ଼ିଶା ପକ୍ଷରୁ ବିମଳ କୁମାର ୪୨ ରନ୍ ଦେଇ ସର୍ବାଧିକ ୩ଟି ଏବଂ ବାଦଲ ବିଶ୍ୱାଳ ୩୦ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।
୧୮୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଓଡ଼ିଶାକୁ ଅଧିନାୟକ ସ୍ୱସ୍ତିକ ସାମଲ ଏବଂ ଗୌରବ ଚୌଧୁରୀ ଭଲ ଆରମ୍ଭ ଦେଇଥିଲେ । ସ୍ୱସ୍ତିକ ମାତ୍ର ୨୦ ବଲରେ ୪ଟି ଚୌକା ଓ ୩ଟି ଛକା ସହ ୩୮ ରନ୍ କରିଥିବା ବେଳେ ଗୌରବ ୨୪ ରନ୍ (୧୬ ବଲ୍) କରିଥିଲେ । ମଧ୍ୟକ୍ରମରେ ଶୁଭ୍ରାଂଶୁ ସେନାପତି ୨୬ ବଲରେ ୩୧ ରନ୍ ଏବଂ ଶେଷ ଭାଗରେ ଲଳିତ ଯାଦବ ୧୫ ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ର ଲଢ଼ୁଆ ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ମୁମ୍ବାଇ ପକ୍ଷରୁ ମୁଶୀର ଖାନ (୨/୨୭), ଅଥର୍ବ ଅଙ୍କୋଲେକର (୨/୨୪) ଏବଂ ଶାର୍ଦ୍ଦୁଳ ଠାକୁର (୨/୨୧) ଦୁଇଟି ଲେଖାଏଁ ୱିକେଟ୍ ନେଇ ଓଡ଼ିଶାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅଲରାଉଣ୍ଡ ପ୍ରଦର୍ଶନ (୨୨ ରନ୍ ଓ ୨ ୱିକେଟ୍) ପାଇଁ ମୁଶୀର ଖାନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଛି । ଓଡିଶାର ଏହା ୪ର୍ଥ ପରାଜୟ । ଦଳ ଶେଷ ଗ୍ରୁପ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ।
