ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଝାରସୁଗୁଡ଼ା ଏବଂ ଦେବଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଅଟେ। ତେବେ ଆସନ୍ତା ୨-୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଖସିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ର ତଥ୍ୟ ଅନୁଯାୟୀ, ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଦେଖାଯାଉନି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୦.୮ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି କଟକରେ ସର୍ବାଧିକ ତାପମାତ୍ରା ୨୮.୮ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଉଥିବା ଦେଖାଯାଇଛି।
ତେବେ ଆଜି ସକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେଇଥିଲା। ରାଉରକେଲା, ଅନୁଗୋଳ ଏବଂ ବଲାଙ୍ଗୀର ରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା, ଯେଉଁଠାରେ ଦୃଶ୍ୟମାନତା ୩୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା। ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା ଯେଉଁଠାରେ ଦୃଶ୍ୟମାନତା ୨୦୦ ରୁ ୫୦୦ ମିଟର ମଧ୍ୟରେ ଥିଲା, ଅନ୍ୟପକ୍ଷରେ କେନ୍ଦୁଝରରେ ହାଲୁକା କୁହୁଡ଼ି ଦେଖାଯାଇଥିଲା ଯେଉଁଠାରେ ଦୃଶ୍ୟମାନତା ୫୦୦ ରୁ ୧୦୦୦ ମିଟର ମଧ୍ୟରେ ରହିଥିଲା।
