ଓଡିଶା ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପ୍ରସ୍ତୁତ
କଟକ: ଫେବୃଆରୀ ୧୯ରୁ ଆରମ୍ଭ ହେଉଛି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା । ପରୀକ୍ଷାକୁ ସୂଚାରୁ ରୂପେ ତୁଲାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଚାଲିଛି ।
ଏଥରର ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସ୍ତରରେ ୬୬ଟି ସ୍କ୍ୱାର୍ଡ ଓ ୪୪ଟି ବିଶେଷ ସ୍କ୍ୱାର୍ଡ ଗଠନ କରିଛନ୍ତି । ୧ହଜାର ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ବ୍ୟତୀତ କପି ଓ ସୋଶିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ବୋର୍ଡ ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ଫୋନକୁ ନିଷେଧ କରାଯାଇଛି ।
ପ୍ରଶ୍ନପତ୍ରରେ ଏକ ସିକ୍ରେଟ୍ କୋଡ ରହିଛି, ଯାହାକି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବ । ଜରୁରୀକାଳୀନ ପରିସ୍ଥିତିରେ କେବଳ ପରୀକ୍ଷା କେନ୍ଦ୍ର ଅଧ୍ୟକ୍ଷଙ୍କୁ ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଶିକ୍ଷକ, ଅଣ-ଶିକ୍ଷକ, ନିରୀକ୍ଷକ, ପର୍ଯ୍ୟବେକ୍ଷକ ଓ ସ୍କ୍ୱାର୍ଡ କର୍ମଚାରୀଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପୂର୍ବରୁ ମୋବାଇଲ ଫୋନ ଜମା କରିବାକୁ ପଡିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରାମାଶିସ ହାଜରା ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ରାଜ୍ୟରେ ୨ହଜାର ୮୮୮ଟି କେନ୍ଦ୍ରରେ ୫ଲକ୍ଷ ୬୦ହଜାର ୯୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ଶେଷ ହେବ । ପ୍ରଶ୍ନପତ୍ର, ଉତ୍ତର ଖାତା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସମସ୍ତ ୩୦୭ଟି ନୋଡାଲ ସେଣ୍ଟରକୁ ପଠାଇ ଦିଆଯାଇସାରିଛି । ୬୧ଟି ମୂଲ୍ୟାଙ୍କନ କେନ୍ଦ୍ରରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ ତାରିଖ ମଧ୍ୟରେ ଖାତାଦେଖା ଆରମ୍ଭ ହେବ ।
Comments are closed.