Latest Odisha News

BREAKING NEWS

ଦାମ ବିଦା…

ଭୁବନେଶ୍ୱର: ଶେଷକୁ ପୂର୍ବତନ ମନ୍ତ୍ରୀ ଦମୋଦର ରାଉତଙ୍କୁ ବିଜେଡ଼ିରୁ ବହିଷ୍କୃତ କରାଯାଇଛି । ଦଳ ବାହାରକୁ ଫିଙ୍ଗି ଦିଆଯାଇଛି । ଯେମିତି ଯେଉଁ ଢଙ୍ଗରେ ଆଗରୁ ବହୁ ନେତାଙ୍କୁ ବାହାର କରାଯାଇଥିଲା, ସେଇ ଢଙ୍ଗରେ ।

ବିଜେଡ଼ି ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଏହା କୁହାଯାଇଛି । ପାର୍ଟି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ଦାମୋଦର ରାଉତ ଗଲା କିଛି ଦିନ ଧରି ନିଜେ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଥିଲେ । ପ୍ରତିଦିନ ସେ ଯାହା କହୁଥିଲେ ଓ ଯେଉଁ ଢଙ୍ଗରେ ଶାସକ ଦଳକୁ ବା ସରକାରକୁ ଆକ୍ରମଣ କରୁଥିଲେ, ତାହା ରାଜ୍ୟ ରାଜନୀତିକୁ ଦୋହଲେଇ ଦେଉଥିଲା । କିନ୍ତୁ ବୁଧବାର ସକାଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ପ୍ରଶଂସା କରିବା ସହିତ ତାଙ୍କୁ ଜଣେ ଭଲ ମଣିଷ, ଲେଖକ ଏବହ ସ୍ୱଚ୍ଛ ଭାବମୂର୍ତ୍ତିର ମଣିଷ ବୋଲି କହିଥିଲେ । ତଥାପି ସବୁ ପରେ ତାଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି ।

ଖାଲି ଯେ ଦାମ ଆକ୍ରମଣ କରୁଥିଲେ, କଥାଟି ସେମିତି ନୁହେଁ ଜମାରୁ, ବରଂ ଦାମ ସରକାରୀସ୍ତରରେ ଚାଲିଥିବା ଦୁର୍ନୀତି କଥା ବି ସାମ୍ନାକୁ ଆଣିଥିଲେ । ମୋଟ ଉପରେ ଦାମ ବାବୁ ବିଜେଡ଼ି ପାଇଁ ସବୁଠାରୁ ବଡ଼ ମୁଣ୍ଡ ବ୍ୟଥା ପାଲଟି ଯାଇଥିଲେ । ନିର୍ବାଚନ ଆଉ କେଇ ମାସ ଅଛି, ଏମିତି ପରିସ୍ଥିତିରେ ଦାମଙ୍କ ବିସ୍ଫୋରକ ବୟାନ ଦଳକୁ ନିଶ୍ଚିତ ଭାବେ ବ୍ୟାକଫୁଟକୁ ନେଇ ଯାଇଥିିଲା ।

ଦାମଙ୍କ ତୁଣ୍ଡ ସବୁବେଳେ ସକ୍ରିୟ । ତେଣିକି ଯେତେବେଳେ ସେ ମନ୍ତ୍ରୀ ଥିଲେ ଓ ଦଳର ଉପ ସଭାପତି ଭାବେ କାର୍ଯ୍ୟ ମଧ୍ୟ କରିଥିଲେ । ସେସବୁ ପଦବୀରୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବରଖାସ୍ତ କରି ସାରିଛନ୍ତି । ତେଣୁ ଏବେ କଥା ଉଠୁଛି ବା ବିଜେଡ଼ିର କିଛି ଆଗୁଆ ନେତା କହୁଥିଲେ- ଯେହେତୁ ଦାମ ବାବୁ ମନ୍ତ୍ରୀ ପଦରୁ ବାହାର କରି ଦିଆଗଲେ, ତେଣୁ ସେ ଏମିତି ବୟାନବାଜି କରୁଛନ୍ତି ।

କିନ୍ତୁ ପ୍ରଶ୍ନ ହେଉଛି ଦାମ ବାବୁ ପାଖାପାଖି ନଅ ମାସ ତଳରୁ ମନ୍ତ୍ରୀ ପଦରୁ ବିଦା ହେଲେଣି । ଏବେ କାହିଁକି ଓ କଣ ପାଇଁ ସେ ଏତେ ଶାଣିତ ଆକ୍ରମଣ କରୁଥିଲେ ?

ଦାମ ବାବୁ ଆଣିଥିବା ଅଭିଯୋଗ ଗୁଡ଼ିକୁ ବି ଏମିତିରେ ଉଡ଼େଇ ଦେଇ ହେବନି । ସମବାୟ ବିଭାଗ, ଓମଫେଡ଼ରେ କୋଟି କୋଟି ଟଙ୍କାର ଦୁର୍ନୀତି ପ୍ରସଙ୍ଗ ଦାମ ବାବୁ ଉଠାଇଛନ୍ତି । ଯଦିଓ ବିଭାଗୀୟ ମନ୍ତ୍ରୀମାନେ ଏହାକୁ ଉଡ଼େଇ ଦେଉଛନ୍ତି, କିନ୍ତୁ କଥାଟି ହେଉଛି- ଦାମ ବାବୁ ବିଜେଡ଼ିର ଜଣେ ପୁରୁଖା ଓ ବରିଷ୍ଠ ନେତା ଥିଲେ । ସିଏ ବିରୋଧୀ ଦଳରେ ନାହାନ୍ତି । ତେଣୁ ତାଙ୍କ ଅଭିଯୋଗକୁ ଏତେ ହାଲକା ଢଙ୍ଗରେ ଉଡ଼େଇ ଦେଇ ହେବ କି ?

ସେପଟେ ଦାମ ବାବୁଙ୍କ ଚିରାଚରିତ ବିରୋଧୀ ବିଷ୍ଣୁ ଦାସଙ୍କ ପାଇଁ ଏହା ମଉକା ଆଣି ଦେଇଛି । ଦାମଙ୍କୁ ଅଲୋଡ଼ା କରି ପକେଇବା ସହ ଦଳ ଭିତରୁ ବାହାର କରିବା ପାଇଁ ଏମିତି ଭଲ ମଉକା ଆଉ ଆସିବ ନାହିଁ ବୋଲି ବିଷ୍ଣୁ ଜାଣି ସାରିଥିଲେ ।

ତେଣୁ କର୍ମୀଙ୍କୁ ଧରି ସୁପ୍ରିମୋଙ୍କ ପାଖରେ ଫେରାଦ ହେବାର କୌଣସି ମଉକା ସେ ହାତଛଡ଼ା କରୁ ନଥିଲେ । ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ବି ବିଷ୍ଣୁଙ୍କ ପଛରେ ଧାଡ଼ି ବାନ୍ଧିଥିଲେ ।
ଦାମ ବାବୁ କହୁ କହୁ ଅନେକ କଥା କହି ଦିଅନ୍ତି । ସେ ନିଜେ ବି କହି ଦେଇଛନ୍ତି- ଏ ଦଳରେ ମୁଁ ଆଉ ନାହିଁ । ଯେଉଁ ଦଳକୁ ବବି ଦାସ, ଅରୁଣ ସାହୁ ଓ ଦେବାଶିଷ ସାମନ୍ତରାୟ ଚଳାଉଛନ୍ତି । ବିଜେଡ଼ିରେ ଏ ପ୍ରସଙ୍ଗକୁ ନେଇ ଅସନ୍ତୋଷ ରହିଛି । କିନ୍ତୁ କେହି ସାମ୍ନାକୁ ଏ ପ୍ରସଙ୍ଗ ଆଣିବାକୁ ଆଜିଯାକେ ସାହାସ କରି ନାହାନ୍ତି । ଦ୍ୱିତୀୟରେ – ଦାମ ବାବୁ କିନ୍ତୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମସ୍ତ ସମର୍ଥନ ଜଣାଇଛନ୍ତି । କହିଛନ୍ତି- ସଭାପତି ସବୁ ଜାଣିଛନ୍ତି ।

କିଛି ମାସ ତଳେ ଏଇ ଧରଣର ଆକ୍ରମଣ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କରୁଥିଲେ । ନିଇତି ସେ ଦଳକୁ ଆକ୍ରମଣ କରି ଅସୁବିଧାରେ ପକୋଉ ଥିଲେ । ଫଳରେ କର୍ମୀମାନେ ଆସି ଦଳୀୟ ସୁପ୍ରିମୋଙ୍କୁ ଭେଟି ତାଙ୍କୁ ବାହାର କରିବାକୁ ଦାବି ଜଣାଇଲେ ଓ ବୈଜୟନ୍ତଙ୍କୁ ଦଳରୁ ବହିଷ୍କାର କରାଗଲା । ଦଳ ସହିତ ବେଶ ନିବିଡ଼ ଥିବା ବୈଜୟନ୍ତଙ୍କୁ ଦଳରୁ ଫିଙ୍ଗି ଦିଆଗଲା । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବାରବାର କହିଛନ୍ତି- ଦଳରେ ଏମିତି କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ସେହି ଅନୁସାରେ, ବହୁ ବରିଷ୍ଠ ଦଳୀୟ ନେତା ଦଳରୁ ବାହାରିଛନ୍ତି । ସେମାନଙ୍କ ତାଲିକା ଲମ୍ବା ।

ତେବେ ଏବେ ପ୍ରଶ୍ନ ଉଠୁଛି- ଦାମ ବାବୁ କରିବେ କଣ ? କିଛି ଲୋକ କହୁଛନ୍ତି- ଦାମ ବାବୁ ନିଜ ବିଜୁ ବିଚାର ମଂଚକୁ ଫେରିବେ । କେଇ ବର୍ଷ ତଳେ ଦାମ ବାବୁ ବିଜୁ ବିଚାର ମଂଚ ଗଠନ କରିଥିଲେ । ବିଜୁ ବାବୁଙ୍କୁ ତାଙ୍କ ରାଜନୀତିର ଆଦର୍ଶ ମାନୁଥିବା ଦାମ ବାବୁ ଏହାକୁ ହୁଏତ ସକ୍ରିୟ କରାଇ ପାରନ୍ତି ଓ ସେଥିରେ ସମୟ ବିତାଇ ପାରନ୍ତି ।


ଅନ୍ୟ ଏକ ଗୋଷ୍ଠୀର ମତ ଅନୁସାରେ, ଦାମ ବାବୁ ଯାହା କରୁଛନ୍ତି ତାହା ଠିକ ନିର୍ବାଚନ ପୂର୍ବରୁ । ନିର୍ବାଚନ ଆଉ କେଇ ମାସ ରହିଲା । ତେଣୁ ଓଡ଼ିଶାରେ ହୁଏତ ନୂଆ ରାଜନୈତିକ ସମୀକରଣ ହୋଇପାରେ । ଏଥିରେ ବିଜେଡ଼ିରୁ ବହିଷ୍କୃତ ବୈଜୟନ୍ତ ପଣ୍ଡା, ବିଜେପିରେ ଥାଇ ବି ନଥିବା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପୂର୍ବତନ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ମିଶି ପାରନ୍ତି । ଦାମ ବାବୁ ସେଠିକି ଯିବେ ହୁଏତ । ଉପକୂଳ ଓଡ଼ିଶାରେ ବିଜେଡ଼ିର ସର୍ବାଧିକ ଦବଦବା ରହିଛି । ଉପକୂଳ ଓଡ଼ିଶା ବିଜେଡ଼ିର ଅଭେଦ୍ୟ ଦୁର୍ଗ ହୋଇ ରହିଛି । ଆଉ ଏ ନେତାମାନେ ପ୍ରାୟତଃ ଉପକୂଳ ଓଡ଼ିଶାରେ ସକ୍ରିୟ । ବିଜୟ ମହାପାତ୍ର କେନ୍ଦ୍ରପଡ଼ା ଜିଲ୍ଲାର ହୋଇଥିବା ବେଳେ ବ୍ରଜ ତ୍ରିପାଠୀ ପୁରୀର । ସେମିତି ପଞ୍ଚାନନ କାନୁନଗୋ କଟକ ଜିଲ୍ଲାର । ଦାମ ବାବୁ ବି ଏକଥା କହିଛନ୍ତି- ମୁଁ ଅଲବତ ରାଜନୀତିରେ ରହିବି । ଲଢିବି । ଫଳରେ ଦାମ ସେମିତି ଏକ ପ୍ଲାଟଫର୍ମକୁ ହୁଏତ ବାଛି ପାରନ୍ତି ।

Leave A Reply

Your email address will not be published.