Latest Odisha News

BREAKING NEWS

ମହୁମାଛି ଚାଷ କିପରି ଏହି ଚାଷୀଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେଲା ଜାଣନ୍ତୁ…

ବାଲେଶ୍ୱର: ଏବେ ମହୁମାଛି ଚାଷ କୃଷକମାନଙ୍କ ଲାଗି ଏକ ଲାଭଜନକ ଚାଷ ଭାବେ ସାବ୍ୟସ୍ତ ହୋଇପାରିଛି । ଏହି ମହୁଚାଷ ଦେଶରେ ଅନେକ ଦିନରୁ କରାଯାଉଥିଲେ ମଧ୍ୟ ଏବେ ସରକାର ମଧ୍ୟ ଏହି ଲାଭଜନକ ଚାଷ ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା ଏବେ ଅନ୍ତର୍ଜାତୀୟ ବଜାରରେ ମହୁର ଚାହିଦା ବେଶ୍ ବୃଦ୍ଧି ପାଇଛି, ଏହା ମଧ୍ୟ ଏହି ପୁରୁଣା ଚାଷ ପଦ୍ଧତି ଲୋକପ୍ରିୟତା ଅର୍ଜନ କରିବାର ଅନ୍ୟଏକ କାରଣ । ସାଧାରଣତଃ ମହୁ ସଂଗ୍ରହ ଲାଗି ମହୁମାଛି ରଖିବା ଭାରତର ଏକ ପୁରାତନ ପରମ୍ପରା । ଏହା କେବଳ କୃଷକମାନଙ୍କର ଏକ ଉପାର୍ଜନର ମାଧ୍ୟମ ହୋଇ ରହିନାହିଁ ବରଂ ଏହା କୃଷି ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିଛି ।

ଏହି ମହୁଚାଷକୁ ନେଇ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପୁରୁଳିଆ ଗ୍ରାମ ନିବାସୀ ମହୁଚାଷୀ ଅମୂଲ୍ୟ କୁମାର ନନ୍ଦୀଙ୍କର ଏକ ଉଦାହରଣ ନେଇପାରିବା । ଅମୂଲ୍ୟ ହେଉଛନ୍ତି ତାଙ୍କ ଗାଆଁର ପ୍ରଥମ ଚାଷୀ ଯିଏକି ମହୁଚାଷକୁ ଆପଣେଇ ନେଇଥିଲେ । କେବଳ ମହୁଚାଷରୁ ସେ ବାର୍ଷିକ ୭୦, ୦୦୦ ଟଙ୍କା ଉପାର୍ଜନ କରିଥାଆନ୍ତି । ଏହାବ୍ୟତୀତ ସେ ୨ ଏକର ଚାଷଜମିରେ ଧାନ ଚାଷ କରିବା ସହିତ ରବିଋତୁରେ ବାଦାମ ଚାଷ ମଧ୍ୟ କରିଥାଆନ୍ତି ।

ଅମୂଲ୍ୟଙ୍କ ଏହି ସଫଳତାର ରାସ୍ତା ସହଜ ନଥିଲା । ସେ ଯେତେବେଳେ ମହୁଚାଷ ନିଜେ ଏକୁଟିଆ ଆରମ୍ଭ କରିଥିଲେ ସେତେବେଳେ ସେ ଓଡ଼ିଶା ସରକାରଙ୍କ ଏକ ତାଲିମ କେନ୍ଦ୍ରରେ ଯୋଗଦେଇଥିଲେ । ସେହି ତାଲିମକେନ୍ଦ୍ରକୁ ତାଙ୍କ ଗାଆଁରୁ ସବୁବେଳେ ଯିବା ମଧ୍ୟ ମଧ୍ୟ ତାଙ୍କ ଲାଗି ସହଜ ନଥିଲା । ସେ ଅଧିକ ମହୁମାଛି ସଂଗ୍ରହ କରିପାରିଲେ ନାହିଁ । ସେ ଯେତେବେଳେ ରିଲାଏନ୍ସ ଫାଉଣ୍ଡେସନର (ଆରଏଫଆଇଏସ) ର ଟୋଲ୍ ଫ୍ରି ନମ୍ବର (୧୮୦୦୪୧୯୮୮୦୦) ପାଇଲେ ସେ ସେହି ନମ୍ବରରେ ତାଙ୍କର ଚାଷ ସମସ୍ୟା ସମ୍ପର୍କରେ ଯୋଗାଯୋଗ କଲେ । ପ୍ରକୃତରେ ଏହି ରିଲାଏନ୍ସ ଫାଉଣ୍ଡେସନଠାରୁ କମ୍ ବିନିଯୋଗରେ ଅଧିକ ସାହାଯ୍ୟ ପାଇପାରିଲେ ଅମୂଲ୍ୟ । “ପ୍ରକୃତରେ ଦେଖିବାକୁ ଗଲେ ଆରଏଫଆଇଏସ ଜଣେ ସାଧାରଣ ଚାଷୀର ଆର୍ଥିକ ପରିସ୍ଥିତିର ପର୍ଯ୍ୟାପ୍ତତାକୁ ଧ୍ୟାନ ଦେଇଥାଏ । ” ଏହା କହିଛନ୍ତି ସଫଳ ମହୁଚାଷୀ ଅମୂଲ୍ୟ ।

ସବୁଠାରୁ ଭଲ କୃଷିବିତମାନଙ୍କଠାରୁ ସଠିକ୍ ପରାମର୍ଶ ତଥା ଜ୍ଞାନ କୌଶଳ ଗ୍ରହଣ କରିବା ଲାଗି ଆରଏଫଆଇଏସର ଟେଲି କନଫରେନ୍ସିଂ ହିଁ ଉତ୍ତମ ମାଧ୍ୟମ । ଏହି ଟେଲି କନଫରେନ୍ସିଂ ମାଧ୍ୟମରେ ଚାଷୀମାନେ ସେମାନଙ୍କର କୃଷି ପଦ୍ଧତିକୁ ସଂଶୋଧନ କରିବା ସହିତ ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ଚାଷ କରିପାରୁଛନ୍ତି । ଉଦାହରଣ ସ୍ୱରୂପ, ଏହି ମହୁଚାଷ କରିବା ସମୟରେ ବେଳେ ବେଳେ ମହୁମାଛିମାନଙ୍କୁ ପକ୍ଷାଘାତ ରୋଗ ହୋଇଥାଏ ଯାହାକି ମହୁ ଉତ୍ପାଦନରେ କ୍ଷତି ପହଞ୍ଚାଇଥାଏ ।

ଅମୂଲ୍ୟ ମଧ୍ୟ ସେହିପରି ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେତେବେଳେ ସେ ନିରାଶ ହୋଇଥିଲେ ମଧ୍ୟ ଠିକ୍ ଏହି ସମୟରେ ସୌଭାଗ୍ୟକ୍ରମେ ଆରଏଫଆଇଏସର ଟୋଲ୍ ଫ୍ରି ନମ୍ବର ପାଇଥିଲେ । ଆରଏଫଆଇଏସ ପକ୍ଷରୁ ଜଣେ କୃଷିବିତ୍ ତାଙ୍କୁ ଉନ୍ନତ ମହୁଚାଷ ପ୍ରଣାଳୀ ଏବଂ ଅମୂଲ୍ୟଙ୍କ ଚାଷରେ ସମସ୍ତ ସମସ୍ୟା ଜାଣି ଉଚିତ୍ ଜ୍ଞାନକୌଶଳ ସହିତ ଠିକ୍ ପରାମର୍ଶ ଦେଇଥିଲେ । ଆରଏଫଆଇଏସର ଏହି ପରାମର୍ଶ ହିଁ ତାଙ୍କୁ ମହୁଚାଷରେ ଅନେକ ସାହାଯ୍ୟ କରିପାରିଥିଲା ।

ମଧୁ ଉତ୍ପାଦନରୁ ଗତଥର ତାଙ୍କର ବାର୍ଷିକ ଏକ ଲକ୍ଷ ଟଙ୍କା ଆୟ ହୋଇଥିଲା । ଆରଏଫଆଇଏସର ବିିଭିନ୍ନ କୃଷି ସମ୍ପର୍କିତ ସୂଚନା ଏବଂ ଅଡ଼ିଓ କଲ୍ ଚାଷୀମାନଙ୍କୁ ବହୁ ବିପଜ୍ଜନକ ପସଲ କ୍ଷତିରୁ ରକ୍ଷା କରିଥାଏ ।

ଅମୂଲ୍ୟ ୧୯୮୨ ମସିହାରୁ ଏହି ମହୁଚାଷ କରିଆସୁଛନ୍ତି । ଏବେ ତାଙ୍କପାଖରେ ୧୨ଟି ମହୁମାଛି ବାକ୍ସ ରହିଛି । ଅମୂଲ୍ୟ ଯେପରି ଭାବେ ଆରଏଫଆଇଏସର ପରାମର୍ଶ ତଥା ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ଜ୍ଞାନ ପାଇ ପାରି ନିଜର ଆର୍ଥିକ ଉପାର୍ଜନକୁ ବୃଦ୍ଧି କରିପାରିଛନ୍ତି ସେହିପରି ଭାବେ ଦେଶର ଅନ୍ୟ କୃଷକମାନେ ମଧ୍ୟ ଏହି ଜ୍ଞାନ କୌଶଳ ଓ ପରାମର୍ଶ ଗ୍ରହଣ କରି ଉପକୃତ ହୋଇପାରିବେ ।

Comments are closed.