Latest Odisha News

କରୋନା: ସଂକ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଟ୍ରେନ ବଗି ଗୁଡିକୁ ସଂକ୍ରମଣରହିତ କରାଯିବା ଉପରେ ଜୋର ଦେଇଛି ପୂର୍ବତଟ ରେଳବାଇ । କୌଣସି ଯାତ୍ରୀଙ୍କୁ ଥଣ୍ଡା, କାଶ, ଜ୍ୱର ହେଲେ ରେଲୱେର ହେଲ୍ପ ଡେସ୍କକୁ ତୁରନ୍ତ ଜଣାଇବାକୁ ନିବେଦନ କରାଯାଇଛି ।

ପୂର୍ବତଟ ରେଳବାଇ ରେଲୱେ ଷ୍ଟେସନରେ ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ପାଇଁ ବୁଥ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । କରୋନା(କୋଭିଡ-୧୯) ରୋଗୀ ଓ ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ।

କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

୧. ପୂର୍ବ ତଟ ରେଳପଥ, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଥିବା ସହାୟତା କେନ୍ଦ୍ରରେ ଯାଞ୍ଚ ସୁବିଧା ବସାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟ ସରକାରଙ୍କ ଡାକ୍ତରମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି ।

୨. ବହୁସଂଖ୍ୟାରେ ଆସୁଥିବା ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରି ଯାଞ୍ଚ୍ କରିବାକୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଥର୍ମାଲ ସ୍କ୍ରିନିଂ ପାଇଁ ଇନ୍‌ଫ୍ରାରେଡ୍ ଥର୍ମୋମିଟର ଯୋଗାଇ ଦିଆଯିବ । ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲ୍ଟିୟର ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏଥି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

୩. ଟ୍ରେନ୍ କୋଚ୍ ଏବଂ ପାଇଖାନା ଗୁଡ଼ିକୁ ଜୀବାଣୁ ନାଶ ନିମନ୍ତେ ସ୍ୱତନ୍ତ୍ୱ ଗୁରୁତ୍ୱ ପ୍ରଦାନ କରାଯାଇଛି ।

୪. ଯେଉଁ ସ୍ଥାନରେ କର୍ମଚାରୀମାନେ ବହୁଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ଯଥା ବୁକିଂ ଏବଂ ଆରକ୍ଷଣ କେନ୍ଦ୍ରଗୁଡ଼ିକୁ ସ୍ୱତନ୍ତ୍ରଭାବେ ସ୍ପର୍ଶକାତର କରିବା (ସେନ୍ସିଟାଇଜ) ସହ ପରିସ୍କାର ପରିଚ୍ଛନ୍ନ ରଖାଯାଉଛି । ଟ୍ରେନରେ ଯାତ୍ରା କରୁଥିବା ଟିକେଟ୍ ପରୀକ୍ଷକମାନଙ୍କୁ ମଧ୍ୟ ସେହିଭଳି ସେନ୍ସିଟାଇଜ କରାଯାଉଛି ।

୫. ପୂର୍ବ ତଟ ରେଳପଥର ସମସ୍ତ ୩ଟି ରେଳ ମଣ୍ଡଳରେ ପୃଥକ/ସଂଗରୋଧ (ଆଇସୋଲେସନ୍‌/କ୍ୱାରେଣ୍ଟାଇନ୍‌) ସୁବିଧା ପ୍ରଦାନ କରାଯାଇଛି ।

୬. ଯେଉଁ ରେଳ କର୍ମଚାରୀମାନେ ନିକଟ ଅତୀତରେ ବିଦେଶ ଯାତ୍ରା କରିଛନ୍ତି ସେମାନଙ୍କୁ ଯାଞ୍ଚ କରିବା ସହ ପୃଥକ ଭାବେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୭. ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ବଡ଼ ଷ୍ଟେସନମାନଙ୍କରେ କୋଭିଦ୍‌-୧୯ କେସ୍‌କୁ ନିୟନ୍ତ୍ରଣ କରିବାଭଳି ସୁବିଧା ସହ ନିକଟସ୍ଥ ଡାକ୍ତରଖାନାକୁ ସନ୍ଦିଗ୍ଧଙ୍କୁ ପରିବହନ କରିବା ନିମନ୍ତେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।

୮. କୋଭିଦ୍‌-୧୯କୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାର ଜରୁରୀକାଳୀନ ଉପକରଣ ବା ଯନ୍ତ୍ରପାତି କିଣିବା ନିମନ୍ତେ ସମସ୍ତ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୯. ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି । ଏହିଭଳି ଏକ ଜରୁରୀ ପରିସ୍ଥିତିରେ ସରକାରଙ୍କୁ ସମସ୍ତେ ସହଯୋଗ କରିବାକୁ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.