ଆସ୍କା: ଆସ୍କା ଚିନିକଳରରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କର ପ୍ରାପ୍ୟ ଠିକ୍ ଭାବେ ମିଳୁନାହିଁ । ଆଖୁ ଚାଷୀଙ୍କୁ ମଧ୍ୟ ସଠିକ ସମୟରେ ମିଳୁନାହିଁ ସେମାନଙ୍କର ଦେୟ । ପରିଚାଳନାଗତ ତ୍ରୁଟି ଯୋଗୁଁ ବିଭିନ୍ନ ପ୍ରକାରର ସଙ୍କଟ ଦେଇ ଗତି କରୁଛି ଏଠାକାର ଚିନି ଶିଳ୍ପ । ଏଭଳି ଅଭିଯୋଗ ଆଣିଛନ୍ତି ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା । ଖାଲି ଏତିକି ନୁହେଁ ଏଠାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ପ୍ରିୟାପ୍ରୀତି ତୋଷଣ ନୀତିର ପ୍ରତିବାଦ କଲେ ଶ୍ରମିକ ସଂଗଠକଙ୍କ ଉପରେ ଆକ୍ରମଣ ହେଉଥିବା ମଧ୍ୟ କହିଛନ୍ତି ସେ । ତେଣୁ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ସହ ଚିନି ଶିଳ୍ପକୁ ରକ୍ଷା କରିବାପାଇଁ ଦାବି କରିଛନ୍ତି ରାମକୃଷ୍ଣ ।
ଶ୍ରମିକ ନେତା ରାମକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଆସ୍କା ଚିନି ଶିଳ୍ପ ଶ୍ରମିକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କୋଭିଡ-୧୯ ମହାମାରୀ ସମୟରେ ସାରା ଦେଶରେ ୧୪ କୋଟିରୁ ଉର୍ଦ୍ଧ୍ୱ ଲୋକ ସେମାନଙ୍କର ଜୀବିକା ହରାଇଥିବା କହିଛନ୍ତି ରାମକୃଷ୍ଣ ।ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କର୍ପୋରେଟ ସଂସ୍ଥାଙ୍କ ସ୍ୱାର୍ଥରେ ଶ୍ରମ ଆଇନରେ ସରକାର ପରିବର୍ତ୍ତନ କରିଥିବା ଗୁରୁତର ଅଭିଯୋଗ ଆସିଛି । କାହା ସ୍ୱାର୍ଥରେ ଦୈନିକ କାର୍ଯ୍ୟ ସମୟକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି ବୋଲି ଉଠିଛି ପ୍ରଶ୍ନ ।
ସେହିପରି ୩ ଶହ ପର୍ଯ୍ୟନ୍ତ ଶ୍ରମିକ କାମ କରୁଥିବା କାରଖାନାରେ ଶ୍ରମିକ ଛଟେଇ କିମ୍ୱା ତାଲା ବନ୍ଦ କରିବାକୁ ମାଲିକଙ୍କୁ କ୍ଷମତା ପ୍ରଦାନକୁ ମଧ୍ୟ ନିନ୍ଦା କରାଯାଇଛି । ଶ୍ରମିକଙ୍କର ନିଜସ୍ୱ ଛୁଟିକୁ ୨୪୦ ଦିନରୁ ୧୮୦ ଦିନକୁ କମାଇଦେବା ଭଳି ସରକାରଙ୍କ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବୈଠକରେ ଦାବି କରିଛନ୍ତି ବିଭିନ୍ନ ଶ୍ରମିକ ନେତା ।
Comments are closed.