Latest Odisha News

ମୁଖ୍ୟମନ୍ତ୍ରୀ ୩ଟି ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ଲାଗି ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ବାତ୍ୟା ଓ ବନ୍ୟା ପ୍ରପୀଡ଼ିତ ୩ଟି ଜିଲ୍ଲା ଲାଗି ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମ ଆଗରେ ଏହି ପ୍ରାକୃତିକ ଦୁର୍ବିପାକ ପ୍ୟାକେଜ ଘୋଷଣା କରିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ତିତଲି ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ପରିସ୍ଥିତି ହେଲିକପ୍ଟର ଯୋଗେ ଅନୁଧ୍ୟାନ କରିଛନ୍ତି । ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଗୁଣପୁର ସବ-ଡ଼ିଭିଜନ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ।

“ଆଜି ମୁଁ ନିଜେ ଅନୁଧ୍ୟାନ କରି ଦେଖିଲି ଯେ, ଏହି ତିନୋଟି ଜିଲ୍ଲାର ଚାଷ ଜମି ଫସଲ ବହୁଳ ଭାବେ କ୍ଷତିଗ୍ରସ୍ତ ହେବା ସହିତ ରାସ୍ତାଘାଟ, ଗଛ ଏବଂ ବିଦ୍ୟୁତ ସରବରାହରେ ପ୍ରଭୁତଃ କ୍ଷତି ଘଟିଛି ।” ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ସମସ୍ତ ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଲୋକଙ୍କମାନଙ୍କୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ମାଗଣାରେ ରିଲିଫ ଯୋଗାଇଦିଆଯିବ” ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ କ୍ଷତିଗସ୍ତ ହୋଇଥିବା ବିଦ୍ୟୁତ ସରବରାହ ମରାମତି କରାଯିବ । ତେବେ ୯୦ ପ୍ରତିଶତ ବିଦ୍ୟୁତ ସରବରାହ ୪୮ ଘଣ୍ଟା ମଧ୍ୟରେ ମରାମତି ହେବ କିନ୍ତୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୧୦ ପ୍ରତିଶତ ସ୍ୱାଭାବିକ ବିଦ୍ୟୁତ ସରବରାହ ଆସିବାକୁ ଆହୁରି ୩ରୁ ୪ ଦିନ ଲାଗିବ । ଆସନ୍ତା କାଲି ସୁଦ୍ଧା କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଟ୍ୟୁବ ୱେଲ ଗୁଡିକ ମରାମତି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ଭାବେ ଜନସାଧାରଣ ସେହିସବୁ ସ୍ଥାନମାନଙ୍କରେ ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉରିଁସବୁ ସ୍ଥାନମାନଙ୍କରେ ବାସଗୃହ କ୍ଷତିଗ୍ରସ୍ତ ହୋଇଛି ସେହିସବୁ ଅଞ୍ଚଳରେ ତୁରନ୍ତ ରିଲିଫ ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁସାରେ ପରିବାରର ବରିଷ୍ଠ ସଦସ୍ୟଙ୍କୁ ୬୦ଟଙ୍କା ରିଲିଫ ମିଳିବ । ବନ୍ୟା ପ୍ରଭାବିତ ପରିବାରର କନିଷ୍ଠ ସଦସ୍ୟମାନଙ୍କୁ ୪୫ଟଙ୍କା ଲେଖାଏଁ ରିଲିଫ ମିଳିବ । ତେବେ ୪ଜଣ ସଦସ୍ୟ ଥିବା ଗୋଟିଏ ପରିବାରକୁ ୩୦୦୦ ହଜାର ଟଙ୍କା ଲେଖାଏଁ ରିଲିଫ ମିଳିବ ।

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମିଡ଼ିଆ ସର୍ଭେର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜ୍ୟର ସମସ୍ତ ଜନସାଧାରଣଙ୍କ ଆଶୀର୍ବାଦ ଆମ ଉପରେ ରହିଥିବାରୁ ମୁଁ ଧନ୍ୟବାଦ ଜଣାଉଛି ।

ବାତ୍ୟାରେ କୌଣସି ପ୍ରାଣହାନୀ ଘଟିନଥିବା କଥାକୁ ବିଜେପି ଅସ୍ୱୀକାର କରିବା ଏବଂ ୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୯୭ର ଫାଇଲିନ ବାତ୍ୟା ପରେ ଏହା ହେଉଛି ସବୁଠୁ ବଡ଼ ବାତ୍ୟା ତିତିଲି, ଏହି ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିଥିଲା ।

“ଗଜପତି ଜିଲ୍ଲାରେ ମାଟି ଅତଡ଼ା ଖସି ପ୍ରାଣହାନୀ ଘଟିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏଥିରେ ପ୍ରାଣହାନୀ ଘଟିଥିବା ସମସ୍ତ ବ୍ୟକ୍ତିଙ୍କର ପରିବାରକୁ ମୋର ଶୋକ ଓ ଗଭୀର ସମବେଦନା ଜଣାଉଛି । ଏହି ଘଟଣାରେ ବିରୋଧି ଯଦି ସମାଲୋଚନା କରୁଥାଆନ୍ତି ତେବେ ସେମାନେ କରନ୍ତୁ, ଆମେ କିନ୍ତୁ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛୁ,” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.