ଭୁବନେଶ୍ୱର: ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୋଇଥାଏ ।
ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତ ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ ଓ ତୃତୀୟ ଦିନକୁ ଭୁଦାହ ବା ଶେଷ ରଜ କୁହାଯାଏ । ସେହିଭଳି ୪ର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଅନେକ ସ୍ଥାନରେ ଏହାକୁ ଠାକୁରାଣୀ ବୁଡ ବୋଲି ମଧ୍ୟ କୁହାଯାଏ ।
ବିଶ୍ବାସ ଅନୁଯାୟୀ ଏହିଦିନରେ ମାଟି ମାଆ ରଜବତୀ ହେଉଥିବାରୁ, ଏହି ସମୟରେ ଭୂମି କର୍ଷଣ କରାଯାଇ ନଥାଏ । ଏପରିକି ଚାଷ ଭଳି ପ୍ରମୁଖ କାର୍ଯ୍ୟ ମାନ ମଧ୍ୟ ବନ୍ଦ ରହିଥାଏ। ଏହାଛଡା ଲୋକକଥା ଅନୁଯାୟୀ ମାଟିମାଆଙ୍କୁ ଏହି ସମୟରେ ବିଶ୍ରାମ ଦିଆଯାଇଥାଏ।
ଖାସ କରି ଏହି ତିନି ଦିନ ଯାକ ଝିଅ ବୋହୁ ମାନେ ନୂତନ ବସ୍ତ୍ର ପରିଧାନ କରି ପିଠାପଣା ଖାଇ ଖୁସି ମନେଇ ଥାଆନ୍ତି । ଏହାଛଡା ଘରେ ଘରେ ପୋଡପିଠା, ଚକୁଳି, କାକରା ଓ ମଣ୍ଡା ପ୍ରଭୃତି ପିଠାପଣା ଭଳି ନାନା ରକମର ପିଠା ସାଙ୍ଗକୁ ଭଳିକି ଭଳି ମିଠା ତିଆରି କରାଯାଇଥାଏ।
‘ରଜ ପର୍ବ’ର ଆଉ ଏକ ବିଶେଷ ଆକର୍ଷଣ ହେଉଛି ରଜ ଦୋଳି । ବାଉଁଶ ଦୋଳି, ପଟା ଦୋଳି, ଚରିକି ଦୋଳି, ରାମଦୋଳି ଭଳି ଅନେକ ଦୋଳିମାନ ଗାଁ ଗାଁରେ ଲାଗିଥାଏ ।
ଖାଲି ଯେ ଝିଅମାନେ ତାନୁହେଁ ପୁଅମାନେ ମଧ୍ୟ ଦୋଳି ଖେଳିବାର ମଜା ନେଇଥାନ୍ତି। ଗଛ ଡାଳରେ ରଜ ଦୋଳି ବାନ୍ଧି ମନ ଆନନ୍ଦରେ ଗୀତ ଗାଇ ଦୋଳି ଖେଳନ୍ତି ।
Comments are closed.