ରଜ l ଓଡିଶାର ଗଣପର୍ବ l ରଜର ମଉଜ ବେଶ୍ ନିଆରା l ରଜ ତିନିଦିନରେ ଘରେ ଘରେ ଖାଦ୍ୟପେୟର ଆସର ଜମେ l ଗଡ଼ିଆ, ପୋଖରୀରୁ ମାଛ ଧରାଯାଏ l ପହିଲି ରଜ, ରଜ ଏବଂ ରଜ ପରଦିନ, ଏ ତିନିଦିନ ପାଇଁ ଘରେ ଘରେ ମଣ୍ଡା, ଆରିସା, ପୋଡ଼ପିଠା, ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ l ବିବାହିତା ଝିଅ ,ବୋହୁଙ୍କ ଘରୁ ରଜଭାର ଆସିଥାଏ l ଅବିବାହିତ କୁଆଁରୀ ରଜଦୋଳି ଖେଳିଥାନ୍ତି l ଜମେ ବାଗୁଡି, ଡୁଡୁ ଖେଳର ଆସର l ତାସ୍, ପଶାପଲ୍ଲୀ ଖେଳ ବି ଚାଲିଥାଏ l
ଏଇ ପର୍ବରେ ବେଶୀ ଖୁସି ମନାଇଥାନ୍ତି ଝିଅମାନେ, କୁଆଁରୀମାନେ l ଗାଁ ପେଟା ଗଛ ଡାଳରେ ରଜଦୋଳି ବାନ୍ଧି ଖୁବବ୍ ଥଟ୍ଟା, ମଜା, ଆକ୍ଷେପ, ପ୍ରତି ଆକ୍ଷେପ କରି ଗୀତ ବି ଗାଆନ୍ତି l
ଅଧିକ ପଢନ୍ତୁ: ରଜପର୍ବକୁ ନେଇ କ’ଣ ରହିଛି ବିଶ୍ୱାସ ଓ ପରମ୍ପରା !
ରଜଦୋଳି କଟମଟ ଗୀତ ବୋଲନ୍ତି l
“ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ଦିଶୁଥାଇ ଝଟଝଟ।”
ପୁଣି
“ବନସ୍ତେ ଡାକିଲା ଗଜ
ବରଷକ ଥରେ ଆସିଛି ରଜ
ଆସିଛି ରଜ
ଘେନି ନୂଆ ସଜବାଜ l”
ପ୍ରଥା ଅନୁସାରେ ତିନିଦିନ କୁଆଁରୀ ଝିଅମାନେ ଖାଲି ପାଦରେ ନ ଚାଲି କଦଳୀ ପାଟୁଆ ପିନ୍ଧି ଚାଲିଥାନ୍ତି l ମାଟି ମାଆକୁ କଷ୍ଟ ନ ଦେବା ଲାଗି ଚୁଲିରେ ନିଆଁ ଜଳେ ନାହିଁ l ଏପରିକି ନଖରେ ଗାର ଟାଣିବା ବି ମନା l
ଏବେ ସମୟ ବଦଳିଯାଇଛି l ବଦଳି ଯାଇଛି ସଭ୍ୟତା, ସଂସ୍କୃତି, ରୀତି, ନୀତି, ଚାଲି, ଚଳଣି l କେବଳଲ ବିଧି ରକ୍ଷା ଭିତରେ ପାଳନ ହେଉଛି ରଜପର୍ବ l ପୂର୍ବ ଭଳି ମାଦକତା ଆଉ ନାହିଁ l ଦୋଳି ଖେଳିବାକୁ ଗାଁ ତୋଟାବାଡ଼ି ନାହିଁ l
ଅଧିକ ପଢନ୍ତୁ: ତଥାପି ଆସୁଛି ରଜ…
ଯେଉଁଠି ଟିକିଏ ନିଖିଏ ବି ଅଛି ତାହା ଶୂନ୍ୟ l ପୁଅମାନଙ୍କର ଖେଳିବା ଲାଗି ଗାଁ ଦଣ୍ଡା, ଗୋହିରୀ ଆଉ ନାହିଁ l ସମସ୍ତେ ସହର ମୁହାଁ l
ପରିବର୍ତ୍ତନ ହେଉଛି ସମୟର ଆହ୍ବାନ l ପରିବର୍ତ୍ତନ ସବୁବେଳେ ସ୍ୱାଗତଯୋଗ୍ୟ l କିନ୍ତୁ ପରିବର୍ତ୍ତନ ନାଁରେ ଅନ୍ତଃସାର ଶୂନ୍ୟ ହେବ ଉଚିତ ନୁହେଁ l ସଭ୍ୟତା ନାଁ ରେ ବର୍ବରତା, ସଂସ୍କୃତି ନାଁ ରେ ଅପସଂସ୍କୃତି ଆଦୌ ଶୁଭଙ୍କର ନୁହେଁ l ଏସବୁକୁ ଆମକୁ ହିଁ ଜଗିବାକୁ ହେବ l
Comments are closed.