ବୁଗୁଡା: ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ବୁଗୁଡା ଜଗତପାଟଣା ଗ୍ରାମର ମୁନା ଓରଫ ଅର୍ଜୁନ କର( ୩୨)ଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାଠାରୁ ଏକ ପିସ୍ତଲ, ଏକ ବାଇକ ଓ ୧୧ ଗୋଟି ମୋବାଇଲ ଜବତ କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୪ ତାରିଖ ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ନୟାଗଡ଼ ଜିଲ୍ଲା ଫତେପୁର ଥାନା ଅନ୍ତର୍ଗତ ମଣିପୁର ଢେପସାହିର ରଞ୍ଜନ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ଭୁବନେଶ୍ୱର ବ୍ରାଉନ ସୁଗାର ଜବତ ଘଟଣାରେ ରଞ୍ଜନଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଥିଲା। ଏନେଇ ବୁଗୁଡା ଥାନାରେ ଏକ ମାମଲା ମଧ୍ୟ ଋଜ୍ଜୁ ହୋଇଥିଲା ।
ଏହି ଘଟଣାରେ ପୋଲିସ ପୂର୍ବରୁ ବୁଗୁଡା ଅରବିନ୍ଦ ନଗରର ଭଗବାନ ସାହୁ(୨୭) ଓ ଧନୁ ସାହୁ (୨୧) ନାମକ ଦୁଇ ଜଣଙ୍କୁ ଗିରଫ କରିଥିଲା । ତେବେ ଗୁରୁବାର ଦିନ ପୋଲିସ ମୁଖ୍ୟ ଆସାମୀ ମୁନାକୁ ଗିରଫ କରିବାରେ ସଫଳ ହୋଇଥିବା ପ୍ରକାଶ। ମୁନାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।