Latest Odisha News

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ‘ଦେବକୀ-କୃଷ୍ଣ’ ମନ୍ଦିର…

ଗତ ସପ୍ତାହର ବୁଲିଯିବା ସ୍ତମ୍ଭରେ ମୁଁ ଆପଣଙ୍କୁ ଗୋଆର ଏକ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ମନ୍ଦିର ସଂପର୍କରେ ସୂଚନା ଦେଇଥିଲି…ଯାହା ରହିଛି ଉତ୍ତର ଗୋଆରେ ଏବେ ଆସନ୍ତୁ ସେହି ଉତ୍ତର ଗୋଆର ଦେବକୀକୃଷ୍ଣ ମନ୍ଦିର ବିଷୟରେ ଜାଣିବା…ଯେତେବେଳେ ଆପଣ ମାନେ ଗୋଆକୁ ବୁଲିବା ପାଇଁ ଯିବେ ସେତେବେଳେ ନିହାତି ଏହି ମନ୍ଦିରକୁ ଯିବେ ଯାହା ଗୋଆର ରାଜଧାନୀ ପାଣାଜୀ ଠାରୁ ପ୍ରାୟ ୧୭ କିଲୋମିଟର ପରେ ପଡ଼ିଥାଏ ।

ମୁଁ ଯେତବେଳେ ଏହି ମନ୍ଦିରକୁ ଯାଇଥିଲି ସେତେବେଳେ ସକାଳ ସମୟ ଥିଲା। ରାସ୍ତାରେ କିଛି ଦକ୍ଷୀଣଭାରତୀୟ ଖାଦ୍ୟ ଖାଇ ସାରିବା ପରେ ମୁଁ ଯାଇପହଁଚିଥିଲି ମାସେଲ୍‌ ବା ମାର୍ସାଲ ନାମକ ସ୍ଥାନରେ। ମନ୍ଦିର ବିଷୟରେ କହିବା ପୂର୍ବରୁ ମୁଁ ଆପଣ ମାନଙ୍କୁ ସୂଚନା ଦେବି କି ଗୋଆରେ ଦକ୍ଷୀଣ ଭାରତୀୟ ଖାଦ୍ୟ ଭଲ ମିଳେ। ଇଡିଲି ଦୋଷା ସମ୍ବର ବରା ଇତ୍ୟାଦି ।

ତେଣୁ ନିରାମିଷାଷି  ମାନଙ୍କ ପାଇଁ ଭଲ । ମୁଁ ପରବର୍ତ୍ତୀ ସମୟରେ ଗୋଆର ଖାଦ୍ୟ ପରଂପରା ସଂପର୍କରେ ସୂଚନା ଦେବା ସମୟରେ ସେ ସବୁ ବିଷୟରେ ବିସ୍ତୃତ ବିବରଣୀ ଦେବି । ଏବେ କିନ୍ତୁ ଆମେ ଜାଣିବା ଏହି ମାସେଲ୍‌ ଗାଆଁର ଦେବକୀକୃଷ୍ଣ ମନ୍ଦିର ସଂପର୍କରେ ।

ପ୍ରଥମେ ଆପଣ ମାନଙ୍କୁ ମୁଁ ଏଠାରେ ଉପାସିତ ହେଉଥିବା ଦେବାଦେବୀଙ୍କ ସଂପର୍କରେ ସୂଚନା ଦେଉଛି । ପ୍ରକୃତରେ ଏଠାରେ ଆପଣ ମନ୍ଦିର ଭିତରକୁ ଗଲେ ଏଠାକାର ଉପାସିତ ଦେବତା ଶ୍ରୀକୃଷ୍ଣଙ୍କର ମୂର୍ତ୍ତିକୁ ଦେଖିଲେ ନିହାତି ମୋ ଭଳି ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ ମୁଁ ପହଁଚିବା ପରେ ଯେଉଁ ମୂର୍ତ୍ତି ଦେଖିଲି ତାହା ଥିଲା ଏକ ନିଆରା ମୂର୍ତ୍ତି । ଏଠାରେ ଶ୍ରୀକୃଷ୍ଣଙ୍କୁ ମାତା ଦେବକୀଙ୍କ ସହ ଦେଖିବାକୁ ମିଳେ । ମୁଁ ସ୍ଥାନୀୟ କିଛି ଲୋକ ମାନଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିବାକୁ ପାଇଲି ଯେ ସାରା ଭାରତରେ ଏପରି ମୂର୍ତ୍ତି ବିରଳ । ସେଥିପାଇଁ ମନ୍ଦିରର ନାମ ରଖାଯାଇଛି ଦେବକୀ କୃଷ୍ଣ ମନ୍ଦିର ।

ଏଠାରେ ପହଁଚିବା ପରେ ଜାଣିବାକୁ ପାଇଲି ଯେ ଏଠାରେ ମାତା ଦେବକୀଙ୍କ ସହ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଏ । ପ୍ରକୃତରେ ଶ୍ରୀକୃଷ୍ଣଙ୍କ ଜୀବନୀରେ ମାତା ଯଶୋଦାଙ୍କର ଏକ ପ୍ରମୁଖ ଭୂମିକା ରହିଥିବା ଦେବକୀଙ୍କ କଥା ବିଶେଷ ଚର୍ଚ୍ଚା କରାଯାଇନାହିଁ । କିନ୍ତୁ ଗୋଆର ଏହି ମନ୍ଦିର ଦେଖିବା ପରେ ସତରେ ମୋତେ ଖୁବ୍‌ ଭଲ ଲାଗିଥିଲା । ମାତା ଦେବକୀଙ୍କର ମନ୍ଦିର ଭିତରେ ଦର୍ଶନ କରିବାର ସୌଭାଗ୍ୟ ମିଳିଥିବାରୁ ମୋତେ ଆତ୍ମ-ସନ୍ତୋଷ ମଧ୍ୟ ମିଳିଥିଲା । ତେବେ ଏହି ମନ୍ଦିର ମଧ୍ୟ ଗୋଆକୁ ପର୍ତ୍ତୃଗୀଜ ମାନଙ୍କ ଆଗମନ ସମୟରେ ସ୍ଥାନାନ୍ତରଣ କରିବାକୁ ପଡ଼ିଥିଲା ।

ମୁଁ ସ୍ଥାନୀୟ ଲୋକଙ୍କ ଠାରୁ ଯାହା ଜାଣିବାକୁ ପାଇଲି ପ୍ରଥମେ ଏହା ମାଣ୍ଡବୀ ନଦୀ ରେ ଥିବା ଚୋରାଓ ଦ୍ୱୀପରେ ଥିଲା । କିନ୍ତୁ ୧୫୩୦ ମସିହାରୁ ୧୫୪୦ ମସିହା ଭିତରେ ପର୍ତ୍ତୃଗୀଜ ମାନଙ୍କ ଗୋଆ ଅଧିକାର ସମୟରେ ଏହି ମୂର୍ତ୍ତିକୁ ସ୍ଥାନାନ୍ତରଣ କରାଯାଇଥିଲା ମାୟେମ୍‌ ନାମକ ସ୍ଥାନକୁ । ଏବଂ ପରବର୍ତ୍ତୀ ସମୟରେ ୧୫୪୦ରୁ ୧୫୬୭ ମସିହା ଭିତରେ ଏହି ଦେବକୀକୃଷ୍ଣ ମୂର୍ତ୍ତି ଏହି ମାସେର୍ଲ୍‌ ଗ୍ରାମରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଯେଉଁ ସୁଦୃଶ୍ୟ ମନ୍ଦିର ଆପଣ ମାନେ ଏଠାକୁ ଗଲେ ଦେଖିବେ ତାହା ପ୍ରାୟ ୧୮୪୨ ମସିହାର ପରବର୍ତ୍ତୀ ସମୟରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ ।

ତେବେ ଏହି ମନ୍ଦିରରେ ଉପାସିତ ହେଉଥିବା ଦେବକୀ କୃଷ୍ଣଙ୍କୁ ନେଇ କିମ୍ବଦନ୍ତୀ ଶୁଣିବାକୁ ମିଳେ । କୁହାଯାଏ ଯେ କୃଷ୍ଣ ବଳରାମ ଜରାସନ୍ଧ ନାମକ ଏକ ରାକ୍ଷସ ସହ ଲଢେଇ କରିବା ସମୟରେ ଦକ୍ଷିଣ ଭାରତରେ ଥିବା ଗୋମାଞ୍ଚଳ ପର୍ବତରେ ଅବସ୍ଥାନ କରିଥିଲେ ଆଉ ସେହି ସମୟରେ ଅନେକ ଦିନ ଧରି ମାତା ଦେବକୀ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ସେହି ପର୍ବତରେ ପହଁଚିଥିଲେ କିନ୍ତୁ ସେ ଶ୍ରୀକୃଷ୍ଣଙ୍କ ଯୁବକ ରୂପକୁ ଦେଖି ଖୁସି ହୋଇ ନଥିଲେ । ପ୍ରଭୂ ଶ୍ରୀକୃଷ୍ଣ ମା’ଙ୍କର ଦୁଃଖର କାରଣ ଜାଣିବାକୁ ଚାହିଁବାରୁ ଦେବକୀ ତାଙ୍କୁ ଶିଶୁପୁତ୍ର ରୂପରେ ଦେଖିବାକୁ ଚାହୁଁଛନ୍ତି ବୋଲି ଜାଣିବାକୁ ପାଇଲେ ।

ଏହା ପରେ ଶ୍ରୀକୃଷ୍ଣ ଶିଶୁପୁତ୍ର ରୂପ ଧାରଣ କରିଥିଲେ । ଦେବକୀଙ୍କ କୋଳରେ ଦର୍ଶନ ଦେଇଥିଲେ । ବିଶ୍ୱାସ ଅନୁସାରେ ଶ୍ରୀକୃଷ୍ଣଙ୍କର ଏହି ଶିଶୁ ରୂପର ଦର୍ଶନ ମାତା ଦେବକୀ ଗୋଆର ମାଣ୍ଡବୀ ନଦୀ ରେ ଥିବା ଚୌରାଓ ଦୀପରେ ପାଇଥିଲେ । ତେଣୁ ସେହି ରୂପ କୁ ପ୍ରଥମେ ଚୌରାଓ ଦ୍ୱୀପରେ ଉପାସନା କରାଯାଉଥିଲା ଯାହା ପୂର୍ବରୁ ମୁଁ ଆପଣ ମାନଙ୍କୁ ମୂର୍ତ୍ତି କିଭଳି ଆଉ କେବେ ସ୍ଥାନାନ୍ତରଣ ହୋଇଥିଲା କହିଥିଲି ।

କେବଳ ଏହି କିମ୍ବଦନ୍ତୀ ନୁହେଁ ଆଉ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ମୁଁ ଏହି ଦେବକୀଶ୍ରୀକୃଷ୍ଣ ମନ୍ଦିର ସଂପର୍କରେ ଶୁଣିବାକୁ ପାଇଲି ଯାହାକୁ ଏହି ମନ୍ଦିରକୁ ଏହାର ମୂଳସ୍ଥାନ ଚୌରାଓ ଏଠାକୁ  ସ୍ଥାନକୁ ସ୍ଥାନାନ୍ତରଣ କରିବାର ଅନ୍ୟତମ କାରଣ ବୋଲି କୁହାଯାଏ ।

କୁହାଯାଏ ଯେ ଭାସ୍କୋଡ଼ାଗାମା ଏହି ଚୌରାଓ ଦ୍ୱୀପକୁ ଆସିବା ସମୟରେ ଏହି ଦେବକୀକୃଷ୍ଣ ମୂର୍ତ୍ତି କୁ ଦେଖିବାକୁ ପାଇଥିଲେ । ସେ ନଇଁ ପଡ଼ି ମୂର୍ତ୍ତି କୁ ସମ୍ମାନ ଜଣାଇଥିଲେ କାରଣ ସେ ଏହି ମୂର୍ତ୍ତି କୁ ଭର୍ଜୀନ୍‌ ମ୍ୟାରୀ ଓ ବାଳକ ଯୀଶୁଙ୍କର ବୋଲି ଧରିନେଇଥିଲେ ପରବର୍ତ୍ତୀ ସମୟରେ ସେ ଏହି ମୂର୍ତ୍ତି ର ପ୍ରକୃତ ରୂପ ଜାଣିବା ପରେ ଏହାକୁ ସ୍ଥାନାନ୍ତରଣ ପାଇଁ କହିଥିଲେ।

ଆପଣମାନେ ମନେ ମନେ ଭାବି ଥାଉ ପାରନ୍ତି ଯେ ଏତେ କିମ୍ବଦନ୍ତୀ କଥା ମୁଁ ଆପଣ ଙ୍କୁ କାହିଁଙ୍କି କହୁଛି । ମୁଁ ନିଜ ଅନୁଭୂତିରୁ ସିଖି ଯେ ଯେଉଁ ସ୍ଥାନ ଆପଣ ବୁଲିବେ ସେହି ସ୍ଥାନ ସଂପର୍କରେ ଆପଣ ଯଦି କିଛି ପୂର୍ବରୁ ଜାଣିଥିବେ ତେବେ ନିଶ୍ଚିତ ଏହା ଆପଣ ଙ୍କୁ ସାହାର‌୍ୟ୍ୟ କରିବ । ଏହା ମୁଁ ନିଜେ ଭାରତର ବିଭିନ୍ନ ରାଜ୍ୟ ବୁଲିବା ଭିତରେ ଶିକ୍ଷାଲାଭ କରିଛି । ତେବେ ମୁଁ ଗୋଆ ର ଅନ୍ୟ ମନ୍ଦିର ଧର୍ମସ୍ଥଳୀ ବିଷୟରେ ସୂଚନା ଦେବା ପୂର୍ବରୁ ଦେବକୀ କୃଷ୍ଣ ମନ୍ଦିରର ଦର୍ଶନ ସମୟ ସଂପର୍କରେ ଆପଣ ମାନଙ୍କୁ ନେଇ ସୂଚନା ଦେବି । ଏହି ମନ୍ଦିର ସକାଳ ୬ଟା ୩୦ ମିନିଟ ସମୟରେ ଖୋଲାଯାଇ ଦିନ ୧ଟା ୩୦ ମିନିଟ୍‌ ଯାଏଁ ଖୋଲା ରୁହେ ଆଉ ତା ପରେ ପୁର୍ନବାର ଦିନ ୩ଟା ୩୦ ମିନିଟରୁ ଖୋଲାଯାଇ ରାତି ୮ଟା ୩୦ ମିନିଟ ଯାଏଁ ଖୋଲା ରୁହେ ।

ଦିନକୁ ଦୁଇଥର ଆଳତୀ କରାଯାଏ । ଦିନ ୧୨ଟା ୩୦ ମିନିଟ୍‌ରେ ଏବଂ ରାତି ୮ଟା ୩୦ ମିନିଟ୍‌ ରେ ଏହି ଆଳତୀ କରାଯାଏ । ଆପଣ ଭାବୁଥିବେ ଯେ ମୁଁ ଗୋଆ ର ମନ୍ଦିରର ସମୟ ସରଣୀ ସଂପର୍କରେ କାହିଁଙ୍କି ବାରମ୍ବାର ଜଣଉଛି ।

ତାର କାରଣ ହେଲା ଗୋଆର ମନ୍ଦିର ସମୟ ଅନୁସାରେ ହିଁ ଖୋଲା ଯାଏ ଏବଂ ବନ୍ଦ ବି ହୁଏ । ଏହା ର ବିଭିନ୍ନ ପୂଜା ଆଳତୀ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ଅନୁସାରେ କରାଯାଏ । ଯାହା ସାଧାରଣତଃ ଅନ୍ୟ ରାଜ୍ୟରେ ଦେଖିବାକୁ କମ୍‌ ମିଳେ ତେଣୁ ଆପଣ ବୁଲିବା ବେଳେ ଯଦି ମନ୍ଦିର ତରଫରୁ ଦିଆଯାଇଥିବା ସମୟ ଅନୁସାରେ ନ ଯିବେ ତା ହେଲେ ଦର୍ଶନ ମିଳିବା କଷ୍ଟକର ହୋଇଯିବ ଆପଣଙ୍କ ଯାତ୍ରା ବି ବୃଥା ହୋଇଯିବ । ସେମିତି ଅସୁବିଧାର ସମ୍ମୁଖୀନ ମୋତେ ମଧ୍ୟ ହେବାକୁ ପଡ଼ିଥିଲା ଗୋଆ ରେ ।ଯାହା ମୁଁ ଆପଣ ମାନଙ୍କୁ ପରବର୍ତ୍ତୀ ସମୟରେ ସୂଚନା ଦେବି…କ୍ରମଶଃ

Leave A Reply

Your email address will not be published.