Latest Odisha News

BREAKING NEWS

ସଂକଟରେ ସିବିଆଇ

ଭୁବନେଶ୍ୱର: ଯେଉଁ ତଦନ୍ତକାରୀ ସଂସ୍ଥାକୁ ନେଇ ସାରା ଦେଶ ଗର୍ବ କରୁଥିଲା, ଏବେ ସେଇ ସଂସ୍ଥା ଉପରୁ ଯେମିତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ସିବିଆଇର ଉପର ଅଧିକାରୀମାନଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ତେବେ ଉପର ଅଧିକାରୀଙ୍କ ସହ ସରକାର ଏଥିରେ ରାଜନୀତି ପୁରାଉ ଥିବାରୁ ଗଣ୍ଡଗୋଳ ଆହୁରି ଜୋର ଧରିଛି ।

ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥା ସିବିଆଇ ଦେହରେ ଏବେ କଳଙ୍କର ଛିଟା । ସଙ୍ଗୀନ ଲାଞ୍ଚ ମାମଲାରେ ଏହାର ଏକ ନମ୍ବର ଓ ଦୁଇ ନମ୍ବର ଅଧିକାରୀ ଛନ୍ଦି ହୋଇ ପଡ଼ିଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ସରକାର ଉଭୟଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । କିନ୍ତୁ ବିବାଦ ତଥାପି ଥମୁନାହିଁ । ବରଂ ବିବାଦ ଯାଇ କୋର୍ଟରେ ପହଞ୍ଚିଲାଣି ।

ବର୍ମା ବନାମ ଆସ୍ଥାନା
ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଜେଶ ଆସ୍ଥାନାଙ୍କ ମଧ୍ୟରେ ସଂପର୍କ ଆରମ୍ଭରୁ ଭଲ ନଥିଲା । ଆସ୍ଥାନାଙ୍କୁ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ଥିଲେ ବର୍ମା । ଆସ୍ଥାନାଙ୍କ ପରିବର୍ତ୍ତେ ଆଉ କାହାକୁ ଏହି ପଦବୀ ଦିଆଯାଉ ବୋଲି ସେ ପରୋକ୍ଷରେ କହୁଥିଲେ । ତେଣୁ ଆରମ୍ଭରୁ ହିଁ ଦୁଇ ଜଣଙ୍କ ମଧ୍ୟରେ ପଡ଼ିନଥିଲା । ତେବେ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହେବାର ୪ ଦିନ ପରେ ସେ ସିଭିସିଙ୍କ ନିକଟରେ ହାଜର ହୋଇ ବର୍ମାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ । ପରେ ନିଜ ବିରୋଧରେ ହୋଇଥିବା ଏଫଆଇଆର ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ଏହା ଭିତରେ ଲାଞ୍ଚ ମାମଲାରେ ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇ ସିବିଆଇ ହାଜତରେ ରଖାଯାଇଛି ।

ଘଟଣାକ୍ରମ
ଘଟଣାକ୍ରମ ଏଇମିତି ଥିଲା । ଅକ୍ଟୋବର ୧୫ ତାରିଖରେ ରାଜେଶ ଆସ୍ଥାନାଙ୍କ ବିରୋଧରେ ସିବିଆଇ ଲାଞ୍ଚ ମାମଲା ରୁଜୁ କଲା । ତା’ପର ଦିନ ଲାଞ୍ଚ କାରବାରରେ ମଧ୍ୟସ୍ଥି ମନୋଜ ପ୍ରସାଦଙ୍କୁ ଗିରଫ କରିଥିଲା ସିବିଆଇ । ଅକ୍ଟୋବର ୨୦ ତାରିଖରେ ଲାଞ୍ଚ ମାମଲାରେ ଅନ୍ୟତମ ଅଭିଯୁକ୍ତ ଡିଏସପି ଦେବେନ୍ଦ୍ର କୁମାରଙ୍କ ଘର ଉପରେ ଚଢାଉ କଲା ସିବିଆଇ । ଏହାର ଦୁଇ ଦିନ ପରେ ବିଭିନ୍ନ ରେକର୍ଡ଼ ଏପାଖସେପାଖ କରିବା ଅଭିଯୋଗରେ ଦେବେନ୍ଦ୍ର କୁମାରଙ୍କୁ ସିବିଆଇ ଗିରଫ କଲା ।
ଅକ୍ଟୋବର ୨୩ ତାରିଖରେ ନିଜ ବିରୋଧରେ ହୋଇଥିବା ଏତଲାକୁ ଖାରଜ କରିବା ପାଇଁ ହାଇକୋର୍ଟ ଗଲେ ଆସ୍ଥାନା । ପରଦିନ କେନ୍ଦ୍ର ସରକାର ଉଭୟ ଆସ୍ଥାନା ଓ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦେଲେ । ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଗଲା । ତେବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ପାଖକୁ ଗଲେ ।

ସରକାରରେ ଦ୍ୱନ୍ଦ୍ୱ
ସିବିଆଇରେ ଏତେସବୁ ଘଟଣା ଘଟି ଯାଉଥିଲେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଶ୍ଚର୍ଯ୍ୟଜନକ ଭାବେ ଚୁପ ଅଛନ୍ତି । ସିବିଆଇ ତାଙ୍କ ଅଧିନରେ ଆସୁଛି । ଅଥଚ ସେ କିଛି କହୁ ନାହାନ୍ତି । ବରଂ ଦିଲ୍ଲୀରେ ଅର୍ଥମନ୍ତ୍ରୀ ଜେଟଲି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । କୁହାଯାଉଛି ଯେ, ସିବିଆଇ ଝଡ଼ ଅସଲରେ ହେଉଛି କେନ୍ଦ୍ର ସରକାରରେ ଚାଲିଥିବା ଝଡ଼ର ପ୍ରତିଫଳନ । ରାଜନାଥ ଓ ନିତୀନ ଗଡ଼କରୀ ଏବେ ଗୋଟିଏ ଟିମ୍ । ସେମାନଙ୍କ ପସନ୍ଦର ଅଫିସର ହେଉଛନ୍ତି ଆଲୋକ ବର୍ମା । କିନ୍ତୁ ଆଲୋକ ବର୍ମାଙ୍କୁ ଚେକମେଟ୍ କରିବା ପାଇଁ ମୋଦୀ ଓ ଅମିତ ଶାହା ଗୁଜୁରାଟ କ୍ୟାଡ଼ରର ଆସ୍ଥାନାଙ୍କୁ ଆଣି ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ଦେଇଥିଲେ । ଫଳରେ ସିବିଆଇର ଟିକିନିଖି ଖବର ଯେମିତି ଅମିତ ଶାହାଙ୍କ ପାଖରେ ରହିବ ।

କିନ୍ତୁ ଉଭୟ ଅଧିକାରୀଙ୍କ ମଧ୍ୟରେ ସଂପର୍କ ଦିନକୁ ଦିନ ତିକ୍ତ ହୋଇ ଚାଲିଲା । ଶେଷକୁ ଉଭୟଙ୍କୁ ସିବିଆଇରୁ ଛୁଟି ବି ଦେଇ ଦିଆଗଲା । ତେବେ ପ୍ରଶ୍ନ ଉଠୁଛି- ରାଜନାଥ କାହିଁକି ଚୁପ ? କଣ ପାଇଁ ସେ ମୁହଁ ଖୋଲୁ ନାହାନ୍ତି ? ନିଜ ମନ୍ତ୍ରଣାଳୟର ମାମଲା ନେଇ କାହିଁକି ନିରବତା ଅବଲମ୍ବନ କରୁଛନ୍ତି ରାଜନାଥ ? ଏହା କଣ ଆଉ ଏକ ବିବାଦକୁ ଦର୍ଶାଉଛି କି ?

କିଏ ଏ ଆସ୍ଥାନା ?
ଆସ୍ଥାନା ଗୁଜୁରାଟ କ୍ୟାଡ଼ରର ଆଇପିଏସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ଲୁ ଆଇଡ଼ ବୟ ବୋଲି ତାଙ୍କୁ କୁହାଯାଏ । ଆସ୍ଥାନା ୨୦୦୨ରେ ଗୋଧ୍ରା ରେଳପୋଡ଼ି ମାମଲାର ତଦନ୍ତ କରିଥିଲେ । ପୁଣି ବିହାରକୁ ଡେପୁଟେସନରେ ଯାଇ ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବଙ୍କୁ ଗିରଫ କରିଥିଲେ । ବିଜୟ ମାଲ୍ୟା ବ୍ୟାଙ୍କ ହେରାଫେରି ମାମଲାର ବି ସେ ତଦନ୍ତ କରୁଥିଲେ ।
କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଆସ୍ଥାନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଜ ଲୋକ ବୋଲି ଟ୍ୱିଟ କରିଛନ୍ତି ।
ତେବେ ଆସ୍ଥାନା ସିବିଆଇର ଅତରିକ୍ତ ନିର୍ଦ୍ଦେଶକ ହେବା ଦିନଠାରୁ ଆଲୋକ ବର୍ମା ତାଙ୍କ ନିଯୁକ୍ତିକୁ ବିରୋଧ କରୁଥିଲେ । କିନ୍ତୁ କେନ୍ଦ୍ର ସରକାର ଆସ୍ଥାନାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦ ଦେଇ ସିବିଆଇରେ ନମ୍ବର ଟୁ’ କରି ଦେଇଥିଲେ ।

ହାଲତ୍ ଖରାପ
ସିବିଆଇ ଉପରେ ସାଧାରଣ ଲୋକଙ୍କର ଅକାଟ୍ୟ ବିଶ୍ୱାସ । ଲୋକେ ଭାବନ୍ତି ସିବିଆଇ ତଦନ୍ତ କରୁଛି ମାନେ ଦୋଷୀ ନିଶ୍ଚୟ ଧରା ପଡ଼ିବେ । କିନ୍ତୁ ଗଲା କେଇ ଦିନରେ ଯେଉଁ ଢଙ୍ଗରେ ସିବିଆଇରେ ହଲଚଲ ଚାଲିଛି, ତାହା ପ୍ରମାଣିତ କରୁଛି- ସିବିଆଇ ନିଜେ ଦୁର୍ନୀତିରେ ଉବୁଟୁବୁ । ସେଠାରେ ଜୋରଦାର ଢଙ୍ଗରେ ପଇସାପତ୍ର କାରବାର ଚାଲେ । ପଇସାପତ୍ର ନେଇ ମାମଲାର ରଫାଦଫା କରି ଦିଆଯାଏ । ଯେଉଁମାନେ ବଡ଼ ବଡ଼ ପଦରେ ରହନ୍ତି, ସେମାନେ ସେଇ ଅନୁସାରେ ବେଶି ମାଲାମାଲ ହୁଅନ୍ତି । ଫଳରେ ସିବିଆଇ ନିଜେ କାଠଘଣାକୁ ଆସି ଯାଇଛି । ତା ଉପରେ ବିଶ୍ୱାସ ନେଇ ଉଠିଛି ପ୍ରଶ୍ନ ।
ନାଗେଶ୍ୱର ରାଓ କିଏ ?
ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ନାଗେଶ୍ୱର ରାଓ ହେଉଛନ୍ତି ୧୯୭୬ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇପିଏସ୍ । ୨୦୧୬ ଅପ୍ରେଲ ୭ ତାରିଖରେ ସେ ସିବିଆଇରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ ଓଡ଼ିଶା ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ରହିଥିଲେ । ସେ ବରଗଡ଼, ଜଗତସିଂହପୁର, ମୟୁରଭଂଜ ଓ ନବରଂଗପୁର ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି । ତେବେ ନାଗେଶ୍ୱରଙ୍କ ବିରୋଧରେ ବି ଅଭିଯୋଗ ରହିଛି । ତାମିଲନାଡ଼ୁର ଏକ ରିଅଲ ଇଷ୍ଟେଟ ମାମଲାକୁ ସେ ଚାପିବା କାରଣରୁ ରାଜକୋଷକୁ ୫୩ କୋଟି ଟଙ୍କାର କ୍ଷତି ହୋଇଥିଲା । ବରିଷ୍ଠ ଓକିଲ ତଥା ସମାଜସେବୀ ପ୍ରଶାନ୍ତ ଭୂଷଣ ନାଗେଶ୍ୱର ରାଓଙ୍କୁ ଜଣେ ଦୁର୍ନୀତିଖୋର ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି । ନାଗେଶ୍ୱର ରାଓଙ୍କ ପୂର୍ବରୁ ଉମାଶଙ୍କର ମିଶ୍ର ପ୍ରଥମ ଓଡ଼ିଆ ଭାବେ ସିବିଆଇର ନିର୍ଦ୍ଦେଶକ ହୋଇ ପାରିଥିଲେ । ପ୍ରକାଶ ମିଶ୍ର ଖୁବ କମ ବ୍ୟବଧାନରେ ଏହି ପଦବୀ ପାଇବାରୁ ବଞ୍ଚିତ ହୋଇଥିଲେ ।

ଚିଟଫଣ୍ଡ ତଦନ୍ତର ଭାଗ୍ୟ
ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ ହେଲା ପରେ ଓଡ଼ିଶାର ସବୁଠାରୁ ବଡ଼ ଦୁର୍ନୀତି ଚିଟଫଣ୍ଡ ତଦନ୍ତର ଭାଗ୍ୟ କଣ ହେବ ବୋଲି ପ୍ରଶ୍ନ ଉଠିଛି । ନାଗେଶ୍ୱର ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ବୋଲି କୁହାଯାଏ । ତେଣୁ ତାଙ୍କ ସମୟରେ ସିବିଆଇ କେମିତି ଓ କେଉଁ ଗତିରେ ଚିଟଫଣ୍ଡ ତଦନ୍ତ କରିବ, ତାକୁ ନେଇ ବେଶ ସନ୍ଦେହ ସୃଷ୍ଟି ହୋଇଛି । ପୁଣି ପଇସା ଖେଳରେ ସିବିଆଇ ମାତିଥିବାରୁ ସେଇ କାରଣରୁ ଓଡ଼ିଶାରେ ଚିଟଫଣ୍ଡ ତଦନ୍ତ ଧିମେଇ ଯାଇଥିଲା ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଚିଟଫଣ୍ଡରେ ହଜାର ହଜାର କୋଟି ଟଙ୍କା ଗରିବ ଲୋକଙ୍କର ବୁଡ଼ିଛି । ଏହି ମାମଲାରେ ସରକାରୀ ଦଳର ସାଂସଦ, ବିଧାୟକ ବନ୍ଧା ହୋଇ ସାରିଛନ୍ତି । କିନ୍ତୁ ପରେ ତଦନ୍ତ ଶିଥିଳ ହେବା ନେଇ ବାରମ୍ବାର ଚର୍ଚ୍ଚା ହୋଇ ଆସିଛି ।

Leave A Reply

Your email address will not be published.