Latest Odisha News

BREAKING NEWS

ଖୁବଶୀଘ୍ର ଆରମ୍ଭ ହେବ ହରିଦାସପୁର-ପାରାଦୀପ ରେଳ ଲାଇନ ନିର୍ମାଣ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ତଥା ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜରିଆରେ ସେ ଏହି ସୂଚନା ଦେବା ସହ ବହୁ ଦଶନ୍ଧିର ସ୍ବପ୍ନ ପୂରଣ ହେଲା ବୋଲି କହିଛନ୍ତି। ଏଥିସହ ପ୍ରଥମେ ଏହି ଲାଇନରେ ମାଲ ଗାଡ଼ି ଚାଲିବାକୁ ଥିବା ବେଳେ ଆଗାମୀ ଦିନରେ ଯାତ୍ରୀବାହୀ ଟ୍ରେନ ମଧ୍ୟ ଚଳାଚଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ୧୯୯୯ ମସିହାରେ ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ହେଲେ ପରବର୍ତ୍ତୀ ସମୟରେ ଏହାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା ଓ କେବଳ କାଗଜ କଲମରେ ଅଟକି ଯାଇଥିଲା। ତେବେ ଶ୍ରୀ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ନିରନ୍ତର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବା ସହ ଅଧିକାରୀମାନଙ୍କ ସହ ସମୀକ୍ଷା କରି କାର୍ଯ୍ୟକୁ ଆଗେଇ ନେଇଥିଲେ।

ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ (ଆର.ଭି.ଏନ.ଏଲ), ଓଡ଼ିଶା ସରକାର, ଓଡ଼ିଶା ଖଣି ନିଗମ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା। ଆନୁମାନିକ ୨୦୮୩.୯ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ଆବଶ୍ୟକ କିଛି ଜମି ଜଙ୍ଗଲ କ୍ଷେତ୍ରରେ ପଡୁଥିବାରୁ ତାହାର ଅଧିଗ୍ରହଣ ଦୀର୍ଘ ଦିନ ଧରି ପଡିରହିଥିଲା।

ଏଥିପାଇଁ ଶ୍ରୀ ପଣ୍ଡା ୨୦୧୪, ଅକ୍ଟୋବର ୧୪ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକରଙ୍କୁ ସାକ୍ଷାତ କରି ପ୍ରଥମ ପର‌୍ୟ୍ୟାୟ ପରିବେଶ ମଞ୍ଜୁରି ଆଣିଥିଲେ। ଏହାପରେ ୨୦୧୫ ଅଗଷ୍ଟ ୨୭ରେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଓ ରେଳ ବଜେଟରେ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ଦେବା ଲାଗି ଦାବି କରିଥିଲେ।

ପରେ ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଥିଲେ। ରାଜ୍ୟଠାରୁ କେନ୍ଦ୍ର ପର୍ଯ୍ୟନ୍ତ ନିୟମିତ ସମୀକ୍ଷା ଯୋଗୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଲା ଓ ୨୦୧୭ ଅଗଷ୍ଟ ସୁଦ୍ଧା ଏଥିରେ ୧୧୩୦.୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି।

ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ପ୍ରୋତ୍ସାହନ ପାଇଁ ଏହି କାମଟି ଶେଷ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଉଭୟ କେନ୍ଦ୍ରାପଡ଼ାବାସୀ ଏବଂ ତାଙ୍କ ପାଇଁ ଏହା ବହୁତ ଖୁସି ଖବର ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହି ରେଳ ଲାଇନକୁ ସମ୍ପ୍ରସାରଣ କରାଯିବା ନେଇ ସେ ଆଶା ପ୍ରକଟ କରିଛନ୍ତି।

Leave A Reply

Your email address will not be published.