Latest Odisha News

କାରଗିଲ୍ ବିଜୟ ଦିବସ; ଓଡିଶାର ବୀର ସହିଦଙ୍କୁ ଆଜିବି ଝୁରୁଛି ଜନ୍ମମାଟି

ଭୁବନେଶ୍ୱର: ମାତୃଭୂମି ପାଇଁ ସଂଗ୍ରାମ କରୁଥିବା ବେଳେ ସାହସୀ ବୀର ଯବାନମାନେ କାରଗିଲ୍ ଯୁଦ୍ଧରେ ନିଜର ପ୍ରାଣବଳୀ ଦେଇଥିଲେ । ‘କାରଗିଲ୍ ବିଜୟ ଦିବସ’ ଅବସରରେ ବୀର ସହିଦଙ୍କୁ ମନେ ପକାଇଛନ୍ତି ଦେଶବାସୀ।

ଦେଶ ମାତୃକାର ରକ୍ଷା କରିବାକୁ ଯାଇ ସହିଦ ହୋଇଥିବା ବୀର ଯବାନମାନଙ୍କ ମଧ୍ୟରେ କିଛି ଓଡିଆ ପୁଅବି ରହିଥିଲେ । ଏହି ଅବସରରେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ…

ବାଲେଶ୍ୱର ଜିଲ୍ଲାର ହରିଡା ଗାଁର ଶହୀଦ ଗଙ୍ଗାରାମ ଦାସ ହେଉଛି ଅନ୍ୟତମ । କାରଗିଲ୍ ଯୁଦ୍ଧରେ ଅନୁପ୍ରବେଶକାରୀଙ୍କ ସହ ଲଢେଇ କରି ସେ ବୀରଗତି ପ୍ରାପ୍ତି କରିଥିଲେ । ଆଜିବି ତାଙ୍କର ବଳିଦାନକୁ ଝୁରୁଛି ଗାଁ ମାଟି । ତାଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଗଙ୍ଗାରାମ ସ୍ମୁତି କମିଟି ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏପରିକି କମିଟି ସଦସ୍ୟଙ୍କ ପକ୍ଷରୁ କୁରୁଦା ଏବଂ ମଥାସାହିକୁ ସଂଯୋଗ କରୁଥିବା ରାସ୍ତାର ନାମ ଗଙ୍ଗାରାମ ନାମରେ ରଖାଯାଉ ବୋଲି ଦାବି କରାଯାଇଛି।

କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପାଙ୍ଗୁଦା ଗ୍ରାମବାସୀ ଜନ୍ମମାଟିର ସାହସୀ ପୁଅ ନିରଂଜନ ବେହେରାଙ୍କ ବୀରତ୍ୱକୁ ମନେ ପକାଇବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗ୍ରାମବାସୀ ମାନେ କହିଛନ୍ତି ଯେ ନିରଂଜନ ଆମ ହୃଦୟରେ ସବୁଦିନ ପାଇଁ ରହିବେ।

କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣା ହେଉଛନ୍ତି କାରଗିଲ୍ ଯୁଦ୍ଧରେ ପ୍ରାଣ ହରାଇଥିବା ଆଉ ଜଣେ ସହିଦ । ୨୩ ବର୍ଷୀୟ ସାହସୀ ବୀରଙ୍କ ମା’ ପ୍ରତିଦିନ ତାଙ୍କ ପୁଅର ପ୍ରତିମୂର୍ତ୍ତିକୁ ଦର୍ଶନ କରିବା ସହ ଗୁଣୁ ଗୁଣେଇ ହେଇ ପୁଅକୁ କ’ଣ ସବୁ କହିଚାଲିଥାନ୍ତି । ଏହି ଅବସରରେ ସେ ପୁଅର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୁଅର ବଳିଦାନ ପାଇଁ ସେ ଗର୍ବିତ ବୋଲି କହିଛନ୍ତି ।

କାରଗିଲର ଐତିହାସିକ ବିଜୟର ୨୧ତମ ପୂର୍ତ୍ତି ଅବସରରେ ସାରା ଦେଶ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଯୁଦ୍ଧରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସେହି ବୀର ଯବାନଙ୍କ ତ୍ୟାଗ ଓ ସମ୍ମାନର୍ଥେ ୧୯୯୯ ମସିହା ପରଠାରୁ ସବୁ ବର୍ଷ ଜୁଲାଇ ୨୬ରେ ‘କାରଗିଲ୍ ବିଜୟ ଦିବସ’ ପାଳନ କରାଯାଇ ଆସୁଅଛି।

Leave A Reply

Your email address will not be published.