ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲାଇଭ୍ରେ ରହି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଲୋକେସନରେ ଯାଇ ପହଞ୍ଚିଗଲେ ପୋଲିସ।
ଏଭଳି ଏକ ଘଟଣା ଘଟିଛି ମାୟା ନଗରୀ ମୁମ୍ବାଇରେ । ସୂଚନା ମୁତାବକ, ଘରୁ ଝଗଡା କରି ଆସି ମୁମ୍ବାଇ ସହରରେ ରହୁଥିବା ଜଣେ ଯୁବକ ଫେସବୁକ ଲାଇଭରେ ରହି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆୟର୍ଲାଣ୍ଡରେ ଥିବା ଫେସବୁକ୍ ଅଧିକାରୀମାନେ ଏହା ଜାଣିବା ପରେ ତୁରନ୍ତ ଦିଲ୍ଲୀ ପୁଲିସ ସହିତ ଯୋଗାଯୋଗ କରିଥିଲେ । ଦିଲ୍ଲୀ ପୁଲିସକୁ ଫେସବୁକ୍ ପକ୍ଷରୁ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦିଆଯାଇଥିଲା। ସେହି ତଥ୍ୟ ଆଧାରରେ ପୋଲିସ ଯୁବକଙ୍କୁ ଖୋଜି ଖୋଜି ପହଞ୍ଚିଥିଲା ତାଙ୍କ ମଣ୍ଡାୱଲୀସ୍ଥିତ ଘରେ। ପରେ ଜଣା ପଡ଼ିଲା ଉକ୍ତ ଆକାଉଣ୍ଟଟି ଯୁବକଙ୍କ ପତ୍ନୀଙ୍କର ବୋଲି। ଯୁବକ ଜଣକ ମୁମ୍ବାଇରେ ରହି ତାଙ୍କ ପତ୍ନୀଙ୍କ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରୁଥିବା ଜଣା ପଡିଥିଲା।
ଦିଲ୍ଲୀ ପୁଲିସ ତୁରନ୍ତ ମୁମ୍ବାଇ ପୁଲିସକୁ ଏହା ଏନେଇ ଜଣାଇଥିଲା। ମୁମ୍ବାଇ ପୁଲିସ ଡେରି ନକରି ଯୁବକଙ୍କ ପାଖରେ ପହଞ୍ଚିଥିଲା ଏବଂ ଶେଷରେ ଆତ୍ମହତ୍ୟା କରିବା ପୂର୍ବରୁ ପୁଲିସ ଉକ୍ତ ଯୁବକଙ୍କୁ ଉଦ୍ଧର କରିବାରେ ସଫଳ ହୋଇଛି। ଫେସବୁକ୍, ଦିଲ୍ଲୀ ପୁଲିସ ଏବଂ ମୁମ୍ବଇ ପୁଲିସର ତ୍ଵରିତ ପଦକ୍ଷେପ ଯୋଗୁଁ ଯୁବକଙ୍କ ଜୀବନ ବଞ୍ଚିପାରିବା ସମ୍ଭବ ହୋଇଛି।
ଦିଲ୍ଲୀ ପୁଲିସର ସାଇବର ସେଲ୍ ଡେପୁଟି କମିଶନର ଡା. ଅନୀଶ ରାୟ ଦେଇଥିବା ସୂଚନା ଅନୁସାରେ, ଗତ ଶନିବାର ରାତି ପ୍ରାୟ ୭ଟା ୫୧ରେ ତାଙ୍କ ନିକଟକୁ ଆୟର୍ଲାଣ୍ଡରୁ ଫେସବୁକ୍ ଅଧିକାରୀ କଲ୍ କରିଥିଲେ। ଜଣେ ଯୁବକ ଫେସବୁକ୍ରେ ଲାଇଭ୍ରେ ରହି ଆତ୍ମହତ୍ୟା ଉଦ୍ୟମ କରୁଥିବା ତାଙ୍କୁ ଜଣାଇଥିଲେ ଏହି କଲରେ ଜଣାଇଥିଲେ। ଏହା ପରେ ଉକ୍ତ ଆକାଉଣ୍ଟକୁ ଟ୍ରାକ୍ କରିବାରୁ ଏହାର ଲୋକେଶନ ଦିଲ୍ଲୀର ମଣ୍ଡାୱଲି ଦେଖାଇଥିଲା। ସେ ତୁରନ୍ତ ପୂର୍ବ ଜିଲା ପୁଲିସ ଉପାୟୁକ୍ତ ଜସମିତ ସିଂହଙ୍କୁ ଜଣାଇଥିଲେ। ଉକ୍ତ ଠିକଣାକୁ ସ୍ଥାନୀୟ ପୁଲିସକୁ ପଠାଯିବାରୁ ସେଠାରେ ଜଣେ ମହିଳା ରହୁଥିବା ଜଣାପଡ଼ିଥିଲା ଓ ତାଙ୍କ ସ୍ବାମୀ କିଛି ଦିନ ତଳେ ଘରେ ଝଗଡ଼ା କରି ମୁମ୍ବାଇ ଚାଲି ଯାଇଥିବା ସେ କହିଥିଲେ । ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଫୋନ ନମ୍ବର ପୁଲିସକୁ ଦେଇଥିଲେ ମାତ୍ର ତାଙ୍କ ଠିକଣା କହିପାରି ନଥିଲେ। ଅନୀଶ ତୁରନ୍ତ ମୁମ୍ବାଇ ସାଇବର ସେଲ ପୁଲିସ ଉପାୟୁକ୍ତ ବାଲ୍ ସିଂହ ରାଜପୁତ ଏବଂ ଡା. ରଶ୍ମିଙ୍କ ସହିତ ସମ୍ପର୍କ କରିଥିଲେ। ସେମାନଙ୍କ ସହଯୋଗରେ ତୁରନ୍ତ ଏକ ପୁଲିସ ଟିମ୍ ଯୁବକ ରହୁଥିବା ଲୋକେଶନକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା। ଏପରି ଏକ ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
Comments are closed.