Latest Odisha News

BREAKING NEWS

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ ପରବର୍ତ୍ତୀ ସମୟରେ ଜରାଜୀର୍ଣ୍ଣ ହୋଇ ପଡିରହିଥିଲା ।

କିନ୍ତୁ ଏବେ ଭଗ୍ନ ରାଣୀ ମହଲ ପାଇଛି ନୂଆ ରୂପ । ଭାଙ୍ଗିରୁଜି ଯାଉଥିବା ଏହି ପ୍ରାଚୀନ ମହଲକୁ ଐତିହ୍ୟ ସଂରକ୍ଷଣ ସଂସ୍ଥା ଇନଟାକ୍ ପକ୍ଷରୁ ପୁନର୍ବିନ୍ୟାସ କରାଯାଇଛି । ରାଜମହଲର ସେହି ଐତିହ୍ୟକୁ ପୁନରୁଦ୍ଧାର କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଇଛି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି କାମ କରାଯାଇଛି । ୨୦୧୬ରୁ କାମ ଆରମ୍ଭ ହୋଇଥିବା ବେଳେ ଇତି ମଧ୍ୟରେ ଏହାର ନବକଳେବର ହୋଇସାରିଛି ।

ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ମହଲ ପ୍ରସ୍ତୁତ । କିନ୍ତୁ ଏବେ ଏଥିରେ ବାଧକ ସାଜିଛି ମହଲକୁ ସଂଯୋଗ କରୁଥିବା ରାସ୍ତା । ମହଲର ଚାରିପଟକୁ ଯାଗାକୁ ପୂର୍ବରୁ ରାଜ୍ୟ ସରକାର ବିକ୍ରି କରିସାରିଛନ୍ତି । ତେଣୁ ମୁଖ୍ୟ ରାସ୍ତାରୁ ମହଲକୁ ସଂଯୋଗ କରୁଥିବା ରାସ୍ତାଟି ଏବେ କିଛି ଲୋକଙ୍କ ନାମରେ ରହିଛି । ଏହି ଭୂମି ଅଧିଗ୍ରହଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅର୍ଥ ମଂଜୁର ହୋଇସାରିଥିବା କୁହାଯାଉଥିବା ବେଳେ ସେ ସମ୍ପର୍କିତ ସରକାରୀ ଫାଇଲ ମିଳୁ ନ ଥିବାରୁ କାମ ଅଧାରେ ଅଟକି ରହିଛି । ତେବେ ଜିଲ୍ଲା ପ୍ରଶାସନ ସାମାନ୍ୟ ତତ୍ପରତା ଦେଖାଇଲେ ପର୍ଯ୍ୟଟକଙ୍କ କୋଳାହଳରେ ଖୁବ୍ ଶୀଘ୍ର ପୂରି ଉଠିବ ଏହି ରାଣୀ ମହଲ ।

ଇନଟାକ୍ ସମ୍ବଲପୁର ଶାଖା ସଦସ୍ୟ ଦୀପକ ପଣ୍ଡାଙ୍କ କହିବା ଅନୁଯାୟୀ, ମହଲ ମଧ୍ୟରେ ଥିବା କିଛି ପ୍ରାଚୀନ ପେଣ୍ଟିଂ ସାମାନ୍ୟ ଲିଭି ଆସିଥିବା ବେଳେ ଏହାକୁ ପରବର୍ତ୍ତୀ ସମୟରେ ରାଜ୍ୟ ବାହାରର ସ୍ୱତନ୍ତ୍ର ଚିତ୍ରକରଙ୍କ ଦ୍ୱାରା ପୁନରୁଦ୍ଧାର କରାଯାଇ ପାରିବ ।

ରାସ୍ତା ସମସ୍ୟା ଦୂର ହେଲେ ସମ୍ବଲପୁର ପର୍ଯ୍ୟଟନରେ ସମଲେଇ ମନ୍ଦିର, ହୁମ୍ମା ମନ୍ଦିର, ହୀରାକୁଦ ଡ୍ୟାମ ପରେ ଷୋଡଶ ଶତାଦ୍ଦୀର ରାଣୀ ମହଲ ଆଉ ଏକ ନୂଆ ଫର୍ଦ୍ଦ ଯୋଡିବ ।

Leave A Reply

Your email address will not be published.